Advertisement
Article Detail0/zeeodisha/odisha2315141
Zee OdishaZee Odishaମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ମନୋଜ ଆହୁଜା

ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ମନୋଜ ଆହୁଜା

ମନୋଜ ଆହୁଜା ଓଡ଼ିଶା ‌ଫେରିବା ପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର କରିଥିବା ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରିଥିଲେ।

ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ମନୋଜ ଆହୁଜା

ଭୁବନେଶ୍ଵର: ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା। ଲୋକସେବା ଭବନରେ ସେ ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

କେନ୍ଦ୍ର ସରକାରରେ କୃଷି ସଚିବ ଏବଂ ଚାଷୀ କଲ୍ୟାଣ ସଚିବ ଭାବେ କାମ କରୁଥିଲେ ମନୋଜ ଆହୁଜା। ମନୋଜ ଆହୁଜା ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚର ଆଇଏଏସ୍ ଅଫିସର। ସେ ପଟିଆଲାସ୍ଥିତ ଥାପର ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରୁ ଡିଗ୍ରୀ, ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଏମବିଏ ଏବଂ ଆମେରିକାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ଆଡମିନିଷ୍ଟ୍ରେସନ (ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ)ରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି। 

ମନୋଜ ଆହୁଜା ଓଡ଼ିଶା ‌ଫେରିବା ପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର କରିଥିବା ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରିଥିଲେ। ଗତ ୨୫ ତାରିଖରେ କ୍ୟାବିନେଟ୍‌ର ନିଯୁକ୍ତି ସଂକ୍ରାନ୍ତୀୟ କମିଟି ତାଙ୍କୁ ଓଡ଼ିଶା ଫେରିବା ପାଇଁ ଅନୁମତି ଦେଇଥିଲା। ଏଥିସହିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମନୋଜ ଆହୁଜା ଆସନ୍ତା ‌ଡିସେମ୍ବର ମାସରେ ଅବସର ନେବେ। ଶ୍ରୀ ଆହୁଜାଙ୍କ ପତ୍ନୀ ୧୯୯୦ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଆରତୀ ଆହୁଜା କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିଲା ବେଳେ ଗତ ଫେବ୍ରୁଆରି ମାସରେ ଅବସର ନେଇସାରିଛନ୍ତି। ବର୍ତ୍ତମାନର ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନା ଆସନ୍ତା ୩୦ ତାରିଖରେ ଅବସର ନେଉଛନ୍ତି।

Add Zee News as a Preferred Source

ମନୋଜ ଆହୁଜା ଓଡ଼ିଶାରେ ଜଣେ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଓଡ଼ିଶା ସରକାରଙ୍କ ସମବାୟ, ଖଣି ଓ ଇସ୍ପାତ, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗର ସଚିବଭାବେ ସେ ଦାୟିତ୍ୱ ନିର୍ବାହ କରିଛନ୍ତି। ବାଣିଜ୍ୟ କର କମିସନର ଭାବେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ହରିୟାଣାରେ ଜନ୍ମିତ ମନୋଜ ଆହୁଜାଙ୍କର ସ୍ୱଚ୍ଛତା ଓ ସାଧୁତା ପାଇଁ ସେ ବେଶ୍ ସୁପରିଚିତ। ୨୦୧୭ ମସିହାରେ ଡେପୁଟେସନରେ କେନ୍ଦ୍ରକୁ ଯାଇଥିବା ଓଡ଼ିଶା କ୍ୟାଡରର ଏହି ଅଧିକାରୀ ଭାରତୀୟ ପ୍ରଶାସନିକ ସେବାକୁ ଆସୁଥିବା ଶିକ୍ଷା ନବୀଶଙ୍କୁ ଜନ ପ୍ରଶାସନ ସହ କିପରି ଯୋଡ଼ି ହେବା ତାହାର ନେତୃତ୍ୱ ନେଇଥିଲେ। ଲାଲ୍ ବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ତାଙ୍କର କାର୍ଯ୍ୟକାଳ ଆଜି ବି ଅନେକଙ୍କ ମନରେ ସ୍ମରଣୀୟ ହୋଇ ରହିଛି। ସିବିଏସ୍ଇ ଅଧ୍ୟକ୍ଷ ଭାବେ ସେ ଶିକ୍ଷା କ୍ଷେତ୍ରରେ ସ୍ୱଳ୍ପ ସମୟରେ ଅନେକ ସଂସ୍କାର ଆଣିଥିଲେ। 

About the Author