କୋରୋନା ସଙ୍କଟ: ଦେଶରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୪୧, ଆକ୍ରାନ୍ତଙ୍କ ସଂଖ୍ୟା ୧୪୦୦ରୁ ଉର୍ଦ୍ଧ୍ୱ
Advertisement

କୋରୋନା ସଙ୍କଟ: ଦେଶରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୪୧, ଆକ୍ରାନ୍ତଙ୍କ ସଂଖ୍ୟା ୧୪୦୦ରୁ ଉର୍ଦ୍ଧ୍ୱ

ମହାରାଷ୍ଟ୍ର ପରେ କେରଳରେ ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ବର୍ତ୍ତମାନ ଯାଏ କେରଳରେ ୨୧୫ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।

କୋରୋନା ସଙ୍କଟ: ଦେଶରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୪୧, ଆକ୍ରାନ୍ତଙ୍କ ସଂଖ୍ୟା ୧୪୦୦ରୁ ଉର୍ଦ୍ଧ୍ୱ

ନୂଆଦିଲ୍ଲୀ: ଦେଶରେ କୋରୋନା ମହାମାରୀ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଆଜି ଅର୍ଥାତ ମଙ୍ଗଳବାର ବର୍ତ୍ତମାନ ଯାଏ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦୦ରୁ ଉର୍ଦ୍ଧ୍ୱ ପହଞ୍ଚିଛି । ଏଥିରୁ ୪୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାସହ ୧୦୦ରୁ ଉର୍ଦ୍ଧ୍ୱ କୋରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । କୋରୋନା ଯୋଗୁଁ ସର୍ବାଧିକ ମହାରାଷ୍ଟ୍ର ପ୍ରଭାବିତ ହୋଇଛି । ବର୍ତ୍ତମାନ ଯାଏ ମହାରାଷ୍ଟ୍ରରେ ୩୦୨ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିରୁ ୧୦ ଜଣଙ୍କ ମୃତ୍ୟୁ ହୋଇସାରିଛି ।

ସେହିପରି ମହାରାଷ୍ଟ୍ର ପରେ କେରଳରେ ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ବର୍ତ୍ତମାନ ଯାଏ କେରଳରେ ୨୧୫ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ ପହଞ୍ଚିଛି । କୋରୋନା ଭୂତାଣୁ ଦେଶର ୨୦ରୁ ଉର୍ଦ୍ଧ୍ୱ ରାଜ୍ୟରେ କାୟା ବିସ୍ତାର କରି ସାରିଛି । କୋରୋନା ଯୋଗୁଁ ସମଗ୍ର ଦେଶରେ ଲକ୍ ଡାଉନ୍ ଜାରି ରହିଛି । ଆଜି ଲକ୍ ଡାଉନର ସପ୍ତମ ଦିନ । କିନ୍ତୁ ସ୍ଥିତି ଦିନକୁ ଦିନ ଆହୁରି ଖରାପ ହେବାକୁ ଲାଗିଛି ।

ଆଜି ଗୋଟିଏ ଦିନରେ ହିଁ ୨୦୦ରୁ ଉର୍ଦ୍ଧ୍ୱ କୋରୋନା ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ୧୦ ଲୋକଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ କହିଛନ୍ତି ଯେ କୋରୋନାକୁ ନେଇ ସମାଜରେ ଥିବା ଭ୍ରାନ୍ତିକୁ କ୍ରମାଗତ ଦୂର କରାଯାଉଛି । କୋରୋନା ବିରୋଧରେ ଆମେ ଏକା ସାଙ୍ଗ ହୋଇ ଲଢ଼ିବାକୁ ପଡ଼ିବ । ଲୋକଙ୍କ ସମର୍ଥନ ନ ମିଳିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋରୋନା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପାୱାର କମିଟି ଗଠନ କରିଛି । ଏହି କମିଟି ରିସର୍ଚ୍ଚ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବ ।