ଋଷିଆ ଭ୍ଲାଡିଭୋଷ୍ଟୋକ ସହର ଉପରେ ଅଧିକାର ଥିବା ନେଇ ଦାବି ଉଠାଇଛି ଚୀନ।
Trending Photos
ନୂଆଦିଲ୍ଲୀ: ଶତ୍ରୁ ଦେଶ ପରେ ଏବେ ମିତ୍ର ଦେଶରେ ଭୂମି ଉପରେ ନଜର ପକାଇଛି ଜମି ମାଫିଆ ଚୀନ। ସୀମାକୁ ଭାରତ ମୁହାଁମୁହଁ ହେବା ପରେ ଏବେ ଆୟତନ ଦୃଷ୍ଟିରୁ ବିଶ୍ୱର ସବୁଠାରୁ ବଡ ଦେଶ ଭାବେ ଋଷିଆର ପୂର୍ବ ଭାଗରେ ଅବସ୍ଥିତ ଭ୍ଲାଡିଭୋଷ୍ଟୋକ ସହର ଉପରେ ଦାବି ଉଠାଇଛି ଚୀନ । ଯାହା ବର୍ତ୍ତମାନ ଚର୍ଚ୍ଚାର ପରିସରରେ ରହିଛି ।
ସମଗ୍ର ବିଶ୍ୱରେ ଏବେ କୋଭିଡ୧୯ ସଂକଟ ଜାରି ରହିଥିବା ସମୟରେ ଅନେକ ଦେଶ ସହିତ ସମ୍ପର୍କକୁ ବିବାଦୀୟ କରିବାରେ ଲାଗି ପଡିଛି ଚୀନ । ଭାରତ, ମିଆଁମାର, ଜାପାନ ପରେ ଚୀନ୍ ବର୍ତ୍ତମାନ ଋଷିଆ ପ୍ରତି ଶତ୍ରୁତା ଆଚରଣ କରିଛି । କୋରୋନାକୁ ବର୍ତ୍ତମାନ ବିଶ୍ୱବ୍ୟାପୀ ସମାଲୋଚନାର ଶିକାର ହେଉଥିବା ଚୀନକୁ ସାଥ ଦେଇଥିଲା ଋଷିଆ । ମାତ୍ର ସମ୍ରାଜ୍ୟବାଦୀ ଚୀନ ବନ୍ଧୁତାର ମୂଲ୍ୟ ବୁଝିବା ପରିବର୍ତ୍ତେ ମିତ୍ର ଦେଶକୁ ଧୋକ୍କା ଦେଇଛି ।
ସାମ୍ପ୍ରତିକ ସ୍ଥିତିରେ ଋଷିଆରେ କୋରୋନା ଜନିତ ପରିସ୍ଥିତି ଗୁରୁତର ଥିବା ବେଳେ, ଏନେଇ ଚୀନ ବିରୁଦ୍ଧରେ କୌଣସି ଅଭିଯୋଗ କରିନାହିଁ। ହଂକଂ ପ୍ରସଙ୍ଗରେ ଋଷିଆ ମଧ୍ୟ ନିରବ ରହିବା ସହ କୌଣସି ଗୋଟିଏ ଶବ୍ଦ କହିନାହିଁ । ହେଲେ ଏହାର ପ୍ରତିବଦଳରେ ଚୀନ, ଋଷିଆ ସହ ଛଳନାପୂର୍ଣ୍ଣ ଆଭିମୁଖ୍ୟ ପ୍ରଦର୍ଶିତ କରିଛି ।
ଋଷିଆର ପୂର୍ବ ଭାଗରେ ଅବସ୍ଥିତ ଭ୍ଲାଡିଭୋଷ୍ଟୋକ ସହର ଉପରେ ଅଧିକାର ଥିବା ଚୀନ ଦାବି କରିଛି । ଏହି ସହର ଏକଦା ପ୍ରାଚୀନ ଚୀନରେ ଶାସନ କରୁଥିବା କିଙ୍ଗ ସାମ୍ରାଜ୍ୟର ଅଂଶବିଶେଷ ରହିଥିଲା । ଦ୍ୱିତୀୟ ଅଫିମ ଯୁଦ୍ଧ ସମୟରେ ସେତେବେଳେର ଋଷିଆର ରାଜାଙ୍କ ଠାରୁ ପରାସ୍ତ ହେବା ପରେ ଏହି ସହରକୁ ଋଷିଆକୁ ହସ୍ତାନ୍ତର କରିଥିଲା ଚୀନ । ଏଥିପାଇଁ ୧୮୬୦ ମସିହାରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଥିଲା। ସେବେଠାରୁ ଭ୍ଲାଡିଭଷ୍ଟକ ସହର ଋଷିଆ ଅଧିନରେ ରହିଥିଲା। ହେଲେ ଚୀନ ଏହି ଚୁକ୍ତିନାମାକୁ ଗ୍ରହଣ କରିବାକୁ ମନା କରିଛି ।
କେବଳ ଏତିକି ନୁହେଁ ଚୀନ୍ ଏହା ମଧ୍ୟ କହିଛି ଏହି ସହର ପୂର୍ବରୁ ହୈସନୱାଇ ନାମରେ ପରିଚିତ ଥିଲା । ଯାହା ଋଷିଆ ପକ୍ଷରୁ ଏକତରଫା ଚୁକ୍ତିନାମା ଅନୁଯାୟୀ ଚୀନ ଠାରୁ ଛଡାଇ ନିଆଯାଇଥିଲା । ବର୍ତ୍ତମାନ ଚୀନ ଋଷିଆ ବିରୋଧରେ ପ୍ରଚାର ଆରମ୍ଭ କରିଦେଇଛି । ଭ୍ଲାଡିଭୋଷ୍ଟୋକ ସହର ଉପରେ ଋଷିଆ ପ୍ରାୟ ୧୬୦ ବର୍ଷ ଧରି ଏହାକୁ ଦଖଲ ରଖିଛି ।
ସୋସିଆଲ ମିଡିଆ ପୋଷ୍ଟରୁ ଏହି ବିବାଦ ଆରମ୍ଭ ହୋଇଥିଲା। ମାଇକ୍ରୋ ବ୍ଲଗିଂ ସାଇଟ୍ ୱାଇବୋରେ ଚୀନରେ ଅବସ୍ଥାପିତ ଋଷୀୟ ଦୂତାବାସ ଦ୍ୱାରା ଭ୍ଲାଡିଭୋଷ୍ଟୋକ ସହର ବିଷୟରେ ଏକ ଭିଡିଓ ପୋଷ୍ଟ କରାଯାଇଥିଲା। ଭିଡିଓର ଉଦ୍ଦେଶ୍ୟ ଥିଲା ଭ୍ଲାଡିଭୋଷ୍ଟୋକ ସହରର ୧୬୦ ତମ ପ୍ରତିଷ୍ଠା ଦିବସ ପାଳନ କରିବା ।
ଭାରତକୁ ଛାଡି ଫିଲିପାଇନ୍ସ, ମାଲେସିଆ, ଇଣ୍ଡୋନେସିଆ ସହିତ ଚୀନ୍ର ମଧ୍ୟ ବିବାଦ ରହିଛି। ଋଷିଆର ଭ୍ଲାଡିଭୋଷ୍ଟୋକ ସହର ପ୍ରଶାନ୍ତ ମହାସାଗରରେ କୂଳରେ ଅବସ୍ଥିତ ଏକ ସାମୁଦ୍ରିକ ବନ୍ଦର । ଏହି ସହର ଦେଶର ପୂର୍ବ ଭାଗରେ ଅବସ୍ଥିତ ପ୍ରିମୋର୍ସ୍କି କ୍ରାଇ ପ୍ରଦେଶର ରାଜଧାନୀ । ଏହି ସହର ଚୀନ୍ ଏବଂ ଉତ୍ତର କୋରିଆର ସୀମା ନିକଟରେ ଅବସ୍ଥିତ । ବାଣିଜ୍ୟିକ ଏବଂ ଐତିହାସିକ ଭାବରେ ଋଷିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସହର ହେଉଛି ଭ୍ଲାଡିଭୋଷ୍ଟୋକ । ଦେଶର ଅଧିକଂଶ ବୈଦେଶିକ ବାଣିଜ୍ୟକ କାରବାର ଏହି ବନ୍ଦର ମାଧ୍ୟମରେ ହୋଇଥାଏ ।