ରାଜନୈତିକ ଘୋଡା ବେପାରର ଅନ୍ୟ ନାଁ ହେଉଛି କଂଗ୍ରେସ: କୁମାରସ୍ୱାମୀ
Advertisement
Article Detail0/zeeodisha/odisha720113

ରାଜନୈତିକ ଘୋଡା ବେପାରର ଅନ୍ୟ ନାଁ ହେଉଛି କଂଗ୍ରେସ: କୁମାରସ୍ୱାମୀ

କଂଗ୍ରେସ କାରଣରୁ ଭାରତୀୟ ରାଜନୀତିରେ ଘୋଡା ବେପାର ପ୍ରବେଶ କରିଛି ବୋଲି କହିଛନ୍ତି କର୍ଣ୍ଣଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ।

ରାଜନୈତିକ ଘୋଡା ବେପାରର ଅନ୍ୟ ନାଁ ହେଉଛି କଂଗ୍ରେସ: କୁମାରସ୍ୱାମୀ

ବେଙ୍ଗାଲୁରୁ: ଭାରତୀୟ ରାଜନୀତିରେ ଘୋଡା ବେପାର ଏକ ପ୍ରସଙ୍ଗ ଭାବେ ସବୁବେଳେ ଚର୍ଚ୍ଚାର ପରିସର ମଧ୍ୟରେ ରହିଥାଏ । ଏହାର ପ୍ରଭାବରେ ଦେଶର ବିଭିନ୍ନ ରାଜ୍ୟର ରାଜନୀତିରେ ପଟ ପରିବର୍ତ୍ତନ କରିଥିବାର ଅନେକ ଉଦାହରଣ ରହିଛି । ନିକଟରେ ଅତୀତରେ କର୍ଣ୍ଣାଟକ ଏବଂ ମଧ୍ୟ ପ୍ରଦେଶରେ କ୍ଷମତସୀନ ଥିବା ସରକାରର ପତ୍ତନ ଘୋଡା ବେପାର କାରଣରୁ ହୋଇଛି।

ଉପରୋକ୍ତ ଦୁଇ ରାଜ୍ୟରେ ସରକାର ଗାଦିଚ୍ୟୁତ ହେବା ପଛରେ କେନ୍ଦ୍ରରେ କ୍ଷମତାସୀନ ଥିବା ଶାସକ ବିଜେପିର ହାତ ରହିଥିବା ନେଇ ଅନେକ ଚର୍ଚ୍ଚା ହୋଇଥିଲା । ହେଲେ ଏବେ ଏହି ପ୍ରସଙ୍ଗରେ ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସକୁ ଟାର୍ଗେଟ କରିଛି ପୂର୍ବରୁ କର୍ଣ୍ଣାଟକରେ ସରକାର ଗଠନ କରିଥିବା ଜନତା ଦଳ (ସେକ୍ୟୁଲାର)-ଜେଡିଏସ(Janata Dal Secular-JDS)। 

ଏ ପ୍ରସଙ୍ଗରେ ମତ ରଖି କଂଗ୍ରେସକୁ କଟାକ୍ଷ କରି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ କହିଛନ୍ତି ଭାରତୀୟ ରାଜନୀତିରେ ଘୋଡା ବେପାରର ଅନ୍ୟତମ ନାଁ ହେଉଛି କଂଗ୍ରେସ । ଏହା ସହିତ ବିଜେପି ବିରୋଧରେ ଦେଶବ୍ୟାପୀ "ସେଭ୍ ଡେମୋକ୍ରାସି" ଅଭିଯାନକୁ ନେଇ କଂଗ୍ରେସ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ସେ।

ପୂର୍ବତନ ରାଜନୈତିକ ସହଯୋଗୀ ଉପରେ ଆକ୍ରମଣ କରି କୁମାରସ୍ୱାମୀ କହିଛନ୍ତି, ରାଜନୈତିକ ଦଳ ମଧ୍ୟରେ ବିଭାଜନ ସୃଷ୍ଟି କରିବା ଏବଂ ବିଧାୟକ କିଣିବାରେ କଂଗ୍ରେସ ଅଭିଜ୍ଞ ।  ଭାରତୀୟ ରାଜନୀତିରେ ଘୋଡା କାରବାର ଶବ୍ଦ କେବଳ କଂଗ୍ରେସ କାରଣରୁ ଆସିଛି।

"ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ସରକାରକୁ ହଟାଇବା ପାଇଁ ବିଧାୟକ କିଣୁଥିବା ବିଜେପି ବିରୋଧରେ କଂଗ୍ରେସ ଏକ ଦେଶବ୍ୟାପୀ ସେଭ୍ ଡେମୋକ୍ରାସି ଆରମ୍ଭ କରିଛି। କଂଗ୍ରେସ ଏହା କ’ଣ କରିଛି? ରାଜସ୍ଥାନରେ ସରକାର ଗଠନ ପାଇଁ କଂଗ୍ରେସକୁ ସମର୍ଥନ କରୁଥିବା ସମସ୍ତ ବିଏସପି ବିଧାୟକଙ୍କୁ ସେମାନେ ପ୍ରଲୋଭିତ କରି ନାହାଁନ୍ତି କି? ଏହା ଏକ କ୍ରୟ ନୁହେଁ କି? " ଏ ବାବଦରେ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି କୁମାରସ୍ୱାମୀ।

"ଯଦି ତୁମେ ପ୍ରତାରଣା ମାଧ୍ୟମରେ ତୁମକୁ ସମର୍ଥନ କରୁଥିବା ବିଧାୟକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବ, କିଏ ତୁମକୁ ସମର୍ଥନ କରିବ? ଏହି ଭୁଲ ତୁମକୁ ଦୃଶ୍ୟମାନ ହେଉନାହିଁ କି?" ରାଜସ୍ଥାନ ରାଜନୈତିକ ସଂକଟ ଉପରେ ପ୍ରତିକ୍ରିୟା ରଖି ଗଣାମାଧ୍ୟମରେ ଏହା କହିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ । ଗତ ବର୍ଷ ସେପ୍ଟେମ୍ବର ରାଜସ୍ଥାନର ସମସ୍ତ ୬ ବିଏସପି ବିଧାୟକ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ।

ଏହା ସହିତ କୁମାରସ୍ୱାମୀ କହିଛନ୍ତି କଂଗ୍ରେସ ଏହା ମଧ୍ୟ ମନେ ରଖିବା ଉଚିତ, ସେମାନେ ଅତୀତରେ ଜେଡିଏସକୁ ମଧ୍ୟ ଭାଗ କରିସାରିଛନ୍ତି। 

"ସେମାନେ ବିଭାଜନ କରିବାକୁ ଚେଷ୍ଟା କରିନାହାଁନ୍ତି କି? ଏହା ଏକ ସତ୍ୟ ନୁହେଁ କି ଗୋଟିଏ ରାଜ୍ୟସଭା ଆସନ ପାଇଁ କର୍ଣ୍ଣାଟକରେ କଂଗ୍ରେସ ସରକାର ଆଠ ଜଣ ଜେଡି (ଏସ) ବିଧାୟକ କିଣିଛନ୍ତି? ଏହା ଗଣତନ୍ତ୍ର କି? ଉଭୟ ଦଳ (କଂଗ୍ରେସ ଏବଂ ବିଜେପି) ବିଧାୟକ କ୍ରୟ ମାମଲାରେ ଅପରାଧି ବୋଲି ସେ ଉଲ୍ଲେଖ କରିଛନ୍ତି।

ଗତ ୨୦୧୬ ରାଜ୍ୟସଭା ନିର୍ବାଚନ ସମୟରେ ୮ଜଣ ଜେଡି(ଏସ) ବିଧାୟକ ଦଳୀୟ ପ୍ରାର୍ଥୀଙ୍କ ପରିବର୍ତ୍ତେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ।

"ଯେତେବେଳେ ଏସଏମ କୃଷ୍ଣା କର୍ଣ୍ଣାଟକର ମୁଖ୍ୟମନ୍ତ୍ର  ଥିଲେ, ସେତେବେଳେ କଂଗ୍ରେସ ଆମର ବିଧାୟକ କିଣିନଥିଲା କି? ୨୦୧୮ବିଧାନସଭା ନିର୍ବାଚନ ପରେ କଂଗ୍ରେସ ଆମ ବିଧାୟକ କିଣି ସରକାର ଗଠନ କରିବାକୁ ଷଡଯନ୍ତ୍ର କରି ନାହିଁ କି? ଏହାର ଉତ୍ତର ଦେବାକୁ କଂଗ୍ରେସର ନୈତିକ ସାହସ ଅଛି କି? ଏହି ପ୍ରଶ୍ନ ପଚାରିଛନ୍ତି କୁମାରସ୍ୱାମୀ ।