ସର୍ବପ୍ରଥମେ ଭୀମା କୋରେଗାଓଁ ପ୍ରସଙ୍ଗ ୨୦୧୮ ବର୍ଷରେ ଆସିଥିଲା। ସେତେବେଳେ ଏ ଘଟଣା ଦେଶର ରାଜନୀତିକୁ ଦୋହଲାଇ ଦେଇଥିଲା। ଏହି ଘଟଣା ପଛରେ ଏକ ଐତିହାସିକ କାରଣ କ'ଣ ରହିଛି ଯାହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଛି।
Trending Photos
ନୂଆଦିଲ୍ଲୀ: ଭାରତ ସମେତ ସମଗ୍ର ବିଶ୍ୱରେ ଆଜି ନୂଆବର୍ଷକୁ ସ୍ୱାଗତ କରାଯାଉଛି। ହେଲେ ଆଜିର ଦିନରେ ୨୦୩ ବର୍ଷ ପୂର୍ବେ ହୋଇଥିବା ଏକ ଯୁଦ୍ଧ ଭାରତୀୟ ଇତିହାସର ଧାରକୁ ବଦଳାଇ ଦେଇଥିଲା। ଏହି ଯୁଦ୍ଧ ଭୀମା କୋରେଗାଓଁ ନାମରେ ପରିଚିତ। ପ୍ରତିବର୍ଷ ନୂଆ ବର୍ଷର ପ୍ରଥମ ଦିନରେ ଏହି ଯୁଦ୍ଧର ସ୍ମୃତିଚାରଣ କରାଯାଇଥାଏ।
ଭୀମା କୋରେଗାଓଁ ଯୁଦ୍ଧ ପ୍ରସଙ୍ଗ ଭାରତୀୟ ଇତିହାସ ସହ ରାଜନୀତିରେ ଏକ ବିତର୍କର ଅଧ୍ୟାୟ ଭାବେ ଉଭାହୋଇଛି। ସର୍ବପ୍ରଥମେ ଏହି ପ୍ରସଙ୍ଗ ୨୦୧୮ ବର୍ଷରେ ଆସିଥିଲା। ସେତେବେଳେ ଏ ଘଟଣା ଦେଶର ରାଜନୀତିକୁ ଦୋହଲାଇ ଦେଇଥିଲା। ଆଜକୁ ୩ ବର୍ଷ ପୂର୍ବେ ଏହି ଯୁଦ୍ଧର ୨୦୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ମହାରାଷ୍ଟ୍ରରେ ସାମ୍ପ୍ରଦାୟିକ ଦଙ୍ଗା ମଧ୍ୟ ହୋଇଥିଲା। ଏହି ଘଟଣା ପଛରେ ଐତିହାସିକ କାରଣ କ'ଣ ରହିଛି ଯାହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଛି।
ଆଜିକୁ ୨୦୩ ବର୍ଷ ତଳେ ମହାରାଷ୍ଟ୍ରର କୋରେଗାଓଁସ୍ଥିତ ଭୀମା ନଦୀ କୂଳରେ ଏକ ଯୁଦ୍ଧ ହୋଇଥିଲା। ଯାହା ଭାରତୀୟ ଇତିହାସରେ ଭୀମା କୋରେଗାଓଁ ଯୁଦ୍ଧ (Bhima Koregaon War) ନାମରେ ଲିପିବଦ୍ଧ ହୋଇଛି। ସେ ସମୟରେ ବାଣିଜ୍ୟ କରିବାକୁ ଭାରତକୁ ସୁଦୂର ଇଂଲଣ୍ଡରୁ ଆସିଥିବା ବିଦେଶୀ ଇଂରେଜ ସରକାର (British Govt) ଦେଶର ବିଭିନ୍ନ ଅଞ୍ଚଳକୁ ଦଖଲ କରି ନେବା ସହ ଏହି ସ୍ଥାନକୁ ଶାସନ କରୁଥାନ୍ତି।
ଅନ୍ୟପଟେ ଭୀମା କୋରେଗାଓଁ ଯୁଦ୍ଧ ଯେଉଁସ୍ଥାନରେ ହୋଇଥିଲା ତାହା ସେତେବେଳର ସମୟ ପେଶୱାଙ୍କ (Peshwa) ଦ୍ୱାରା ଶାସିତ ହେଉଥିବା ପୁନା ସାମ୍ରାଜ୍ୟର ଅନ୍ତର୍ଭୂକ୍ତ ଥିଲା। ପେଶୱା ଶାସକ ବର୍ଗ ସବର୍ଣ୍ଣ ଅର୍ଥାତ ବ୍ରାହ୍ମଣ ସମ୍ପ୍ରଦାୟର ଥିଲେ। ପେଶୱାଙ୍କ ଶାସନ କାଳରେ ସେତେବେଳର ସମାଜରେ ଜାତିଗତ ଭେଦଭାବ ବେଶ କଠୋର ରହିଥିଲା।
ସେତେବେଳର ପୁନା ସାମ୍ରାଜ୍ୟରେ ମାହାର ନାମକ ଏକ ଜାତି ବସବାସ କରୁଥାନ୍ତି। ଯେଉଁମାନେ ଅନୂସୂଚିତ ଜାତି ବର୍ଗରେ ଅନ୍ତର୍ଭୂକ୍ତ। ସେ ସମୟରେ ସମାଜରେ ପ୍ରଚଳିତ ଥିବା ଜାତିଗତ ଭେଦଭାବ କାରଣରୁ ଶାସକ ପେଶୱା ବର୍ଗ ପ୍ରଜା ମାହାରଙ୍କ ମଧ୍ୟରେ କୌଣସି ସମାନତା ନଥିଲା। ସେବାକାର ପୁନା ସାମ୍ରାଜ୍ୟର ଶାସକ ପଦରେ ଅଧିଷ୍ଠିତ ଥାନ୍ତି ଦ୍ୱିତୀୟ ବାଜିରାଓ ପେଶଓ୍ଵା।
ଅନ୍ୟ ପଟେ ସେ ସମୟରେ ଭାରତର ଅନେକ କ୍ଷେତ୍ରକୁ ନିଜ ଅଧିକାରଭୂକ୍ତ କରିବା ସହ ଅନ୍ୟାନ୍ୟ ଅଞ୍ଚଳକୁ ଦଖଲ କରିବା ପାଇଁ ଯୋଜନା କରୁଥାନ୍ତି ବିଶ୍ୱରେ ସାମ୍ରାଜ୍ୟବାଦୀ ଶକ୍ତି ଭାବେ ଜଣାଶୁଣା ଇଂରେଜ ସରକାର। ଏହି ସ୍ଥାନ ମଧ୍ୟରେ ରହିଥିଲା ପେଶୱାଙ୍କ ଦ୍ୱାରା ଶାସିତ ହେଉଥିବା ପୁନା। ଏହି କାରଣକୁ ନେଇ ୧୮୧୮ ମସିହା ଜାନୁଆରୀ ୧ ତାରିଖରେ ବିଦେଶୀ ଇଂରେଜ ସରକାର ଆଉ ସ୍ଥାନୀୟ ଶାସକ ପେଶୱାଙ୍କ ମଧ୍ୟରେ କୋରେଗାଓଁ ନାମକ ସ୍ଥାନରେ ଅବସ୍ଥିତ ଭୀମା ନଦୀ କୂଳରେ ଏକ ଯୁଦ୍ଧ ହୋଇଥିଲା।
ଯାହା ଭୀମା କୋରୋଗାଓଁ ଯୁଦ୍ଧ ନାମରେ ଭାରତୀୟ ଇତିହାସରେ ସ୍ଥାନିତ। ଏହି ଯୁଦ୍ଧରେ ଇଷ୍ଟ ଇଣ୍ଡିଆ କମ୍ପାନୀ ପକ୍ଷରୁ ପ୍ରାୟ ୮୦୦ ସୈନିକ ଯୁଦ୍ଧ ଲଢୁଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୫୦୦ ସୈନିକ ମାହାର ସମ୍ପ୍ରାଦୟର ଥିଲେ। ଅନ୍ୟପଟେ ପେଶୱାଙ୍କ ସୈନ୍ୟବାହିନୀରେ ପାଖାପାଖି ୨୫ ହଜାର ସୈନିକ ରହିଥିଲେ। ମାତ୍ର କମ ସୈନ୍ୟ ଥିବା ସତ୍ତ୍ୱେ ଏହି ଯୁଦ୍ଧରେ ପେଶୱାଙ୍କୁ ମାତ ଦେବାରେ ସକ୍ଷମ ହୋଇଥିଲେ ଇଂରେଜ ସରକାର।
ପୁନା ସାମ୍ରାଜ୍ୟକୁ ଦଖଲ କରିବାକୁ ଯୋଜନା କରୁଥିବା ଇଂରେଜ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରିଥିଲେ ପେଶୱା ବାଜିରାଓ। ଏହି ଯୁଦ୍ଧରେ ଅଂଶ୍ରଗହଣ କରି ମାହାର ସୈନିକ ପେଶୱାଙ୍କ ସହିତ ମିଶି ଇଂରେଜ ସରକାରଙ୍କ ବିରୋଧରେ ଯୁଦ୍ଧ କରିବାକୁ ଚାହିଁଥିଲେ ହେଲେ ଯେତେବେଳେ ମାହାର ସୈନିକଙ୍କ ମୁଖିଆ ଶାସକ ପେଶୱାଙ୍କୁ ଯୁଦ୍ଧ ପୂର୍ବରୁ ପଚାରିଥିଲେ ଯଦି ସେମାନେ ବିଦେଶୀ ବ୍ରିଟିଶ ଇଂରେଜ ସେନାକୁ ହରାଇ ଦିଅନ୍ତି ତାହେଲେ କ'ଣ ପେଶୱା ସେମାନଙ୍କୁ ସମାଜରେ ସେମାନଙ୍କ ସମସ୍କନ୍ଧ ଭାବେ ଗ୍ରହଣ କରିବେ।
ଏହାର ଜବାବରେ ଶାସକ ପେଶୱା ମାହାର ସୈନିକଙ୍କ ମୁଖ୍ୟଙ୍କୁ ନାସ୍ତିବାଣୀ ଶୁଣାଇଥିଲେ। ସମାଜରେ ଯେପରି ଜାତିଗତ ବ୍ୟବସ୍ଥା ରହିଛି ତାହା ସେପରି ରହିବ ବୋଲି ଜଣାଇ ଦେଇଥିଲେ। ଏପରି ବାଣୀ ଶୁଣିବା ପରେ ମାହାର ସୈନିକଙ୍କ ମୁଖିଆ ଇଂରେଜ ସରକାରଙ୍କ ଅଧିନସ୍ଥ ଇଷ୍ଟ ଇଣ୍ଡିଆ କମ୍ପାନୀ ସପକ୍ଷରେ ରହି ଶାସକ ପେଶୱାଙ୍କ ବିରୁଦ୍ଧରେ ଇତିହାସ ପ୍ରସିଦ୍ଧ ଭୀମା କୋରେଗାଓଁ ଯୁଦ୍ଧ ଲଢିଥିଲେ।
ଏହି ଯୁଦ୍ଧରେ ଶାସକ ପେଶୱା ଇଂରେଜ ସରକାରଙ୍କ ଦ୍ୱାରା ପରାସ୍ତ ହୋଇଥିଲେ। ହେଲେ ଏହି ଯୁଦ୍ଧରେ ବିଜୟ ହାସଲ କରିବାକୁ ନେଇ ଭାରତୀୟ ଇତିହାସରେ ଏକ ବିବାଦୀୟ ଅଧ୍ୟାୟ ସୃଷ୍ଟି ହେଉଛି। ତାହାର ବ୍ରିଟିଶ ସରକାରଙ୍କ ଇଷ୍ଟ ଇଣ୍ଡିଆ କମ୍ପାନୀ ସପକ୍ଷରେ ଯୁଦ୍ଧ ଲଢିଥିବା ସୈନିକଙ୍କ ମଧ୍ୟରୁ ଅଧିକାଂଶ ଥିଲେ ସେତେବେଳର ସମାଜରେ ଜାତିଗତ ଭେଦବାବର ଶୀକାର ହୋଇଥିବା ମାହାର ସମ୍ପ୍ରଦାୟର। ଭୀମା କୋରେଗାଓଁ ଯୁଦ୍ଧକୁ ଅନୁସୂଚିତ ଜାତିର (ଦଳିତ) ବିଜୟ ବୋଲି ଦର୍ଶାଇବାକୁ ନେଇ ମହାରାଷ୍ଟ୍ରରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ହୋଇଥିଲା।
ଚଳିତବର୍ଷ ଭୀମା କୋରେଗାଓଁ ଯୁଦ୍ଧକୁ ୨୦୩ ବର୍ଷ ପୁରୁଛି। ଆଜକୁ ୩ ବର୍ଷ ପୂର୍ବେ ଅର୍ଥାତ ୨୦୧୮ରେ ଏହି ଯୁଦ୍ଧର ୨୦୦ ବର୍ଷ ପୂର୍ତ୍ତି ଅବସରରେ ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ହୋଇଥିବା ଶୋଭାଯାତ୍ରା ସମୟରେ ହିଂସାକାଣ୍ଡ ଘଟିଥିଲା। ଭୀମା କୋରେଗାଓଁକୁ ଯୁଦ୍ଧକୁ ବ୍ରାହ୍ମଣ-ଦଳିତ ସଂଘର୍ଷ ଭାବେ ଉପସ୍ଥାପିତ କରିବାକୁ ନେଇ ଭାରତର ରାଜନୈତିକ ଇତିହାସରେ ଏହି ପ୍ରସଙ୍ଗ ଏକ ବିବାଦୀୟ ଅଧ୍ୟାୟ ଭାବେ ଜନମାନସରେ ଉଭା ହୋଇଛି। ଏପରିକି ଅର୍ବାନ ନକ୍ସଲ ଭଳି ଏକ ତଥାକଥିତ ଦେଶ ବିରୋଧି ଶକ୍ତି ବିଗତ ବର୍ଷରେ ଗଣମାଧ୍ୟମରେ ଶିରୋନାମା ପାଲଟିଛନ୍ତି।
ଇଂରେଜ ସରକାର ୧୮୧୮ ମସିହା ଆଜିର ଦିନରେ ହୋଇଥିବା ଯୁଦ୍ଧରେ ସେମାନଙ୍କ ସପକ୍ଷରେ ଯୁଦ୍ଧ ଲଢି ଶହୀଦ ହୋଇଥିବା ସୈନିକଙ୍କ ସମ୍ମାନ ଲାଗି ଭୀମା ନଦୀ କୂଳରେ ୬୦ ଫୁଟ ଉଚ୍ଚତା ବିଶିଷ୍ଟ ସ୍ମାରକୀ ଶିଳାସ୍ତମ୍ଭ ସ୍ଥାପନ କରିଥିଲେ। ଯାହା ବର୍ତ୍ତମାନ ବିଜୟ ସ୍ତମ୍ଭ ଭାବେ ଦୃଶ୍ୟମାନ। ସେଥିରେ ଇଂରେଜ ସେନା ପକ୍ଷରୁ ଯୁଦ୍ଧ ଲଢି ଶହୀଦ ହୋଇଥିବା ୪୯ ଜଣ ସୈନ୍ୟଙ୍କ ନାମ ସ୍ଥାନିତ ହୋଇଥିଲା। ସେମାନଙ୍କ ମଧ୍ୟରୁ ୨୨ ଜଣ ଥିଲେ ମାହାର୍ ସମ୍ପ୍ରଦାୟର। ସେବେଠାରୁ ପ୍ରତିବର୍ଷ ଜାନୁଆରୀ ପହିଲାରେ ଏହି ଯୁଦ୍ଧର ବର୍ଷ ପୂର୍ତ୍ତି ଅବସରରେ ବିଜୟ ସ୍ତମ୍ଭ ନିକଟରେ ପୁଣି ନିଜକୁ ଦୋହରାଇଥାଏ ଭାରତୀୟ ଇତିହାସ।