ବିଭିନ୍ନ ପ୍ରସଙ୍ଗରେ ଟିଏମସି ଅଧ୍ୟକ୍ଷା ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।
Trending Photos
ମନୋଜ ମହାନ୍ତି, ନୂଆଦିଲ୍ଲୀ: ମମତା ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଷ୍ଚ୍ରୀୟ ଅଧକ୍ଷ ଜେ. ପି. ନଡ୍ଡା। ଶନିବାର ପଶ୍ଚିମ ବଙ୍ଗ ଗସ୍ତ କରି ଆଗାମୀ ସାଧାରଣ ନିର୍ବାଚନରେ ବିଜେପିର ରଣନୀତି ସମ୍ପକରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ସେ। ରାଜ୍ୟରେ କ୍ଷମତାସୀନ ମମତା ସରକାର ଅପରାଧିକ ପ୍ରବୃତ୍ତିର ହୋଇପଡିଛି। ଦଳ ୧୩୦ କାର୍ଯ୍ୟକର୍ତାଙ୍କ ସହିତ ପାଖାପାଖି ୩୦୦ ସମର୍ଥକଙ୍କୁ ହରାଇଛି କେବଳ ଟିଏମସିସ ଶାସନ କାଳ ମଧ୍ୟରେ।
ଏଥିରୁ ଜଣାପଡୁଛି ମମତା ସରକାରଙ୍କ ଅପରାଧିକ ପ୍ରବଣ ମାନସିକତା କେତେ। ବିଗତ ୨ ମାସ ମଧ୍ୟରେ ଏହା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡାଙ୍କ ଦ୍ବିତୀୟ ପଶ୍ଚିମବଙ୍ଗ ଗସ୍ତ। ଗତମାସରେ ତାଙ୍କର ଗସ୍ତ ସମୟରେ ତାଙ୍କ ଗାଡି ଉପରକୁ ଟେକା ପଥର ମାଡ଼ ହୋଇଥିଲା। ଏନେଇ ସେ କହିଛନ୍ତି, "ଗତ ମାସରେ ମୋର ଗସ୍ତ ସମୟରେ ସ୍ଥାନୀୟ ପ୍ରଶାସନ ସହ ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ରାଜନୈତିକ ଦଳ ମୋ ଉପରେ ଆକ୍ରମଣ କରିଥିଲା। ଯାହାର ସାକ୍ଷୀ ହେଉଛି ସାରା ଦେଶ। ଏହି ଘଟଣାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗୁରୁତର ସହ ନେଇଛି। ମୋର ଏହି ଗସ୍ତ ସମୟରେ ମୁଁ ସୁରକ୍ଷିତ ଅନୁଭବ କରୁଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନଡ୍ଡା କହିଛନ୍ତି। "
ବିଜେପି ରାଷ୍ଚ୍ରୀୟ ସଭାପତି ନଡ୍ଡା କହିଛନ୍ତି ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ନାହିଁ। ଶାସକ ତୃଣମୂଳ କଂଗ୍ରେସର କର୍ମକର୍ତ୍ତା ଅପରାଧ ପ୍ରବଣ ମାନସିକତା ହୋଇ କାର୍ଯ୍ୟ କରୁଛନ୍ତି। ରାଜ୍ୟରେ ସବୁସ୍ତରରେ ଦୁର୍ନିତୀର ଗନ୍ଧ ବାରି ହୋଇପଡ଼ୁଛି। ଏହା ସତ୍ତ୍ବେ ମମତା ସରକାର ଦୁର୍ନିତୀମୁକ୍ତ ସରକାର ବୋଲି ମିଥ୍ୟା ଡିଣ୍ଡିମ ପିଟୁଛି। ରାଜ୍ୟରେ ସମସ୍ତ ପ୍ରଶାସନିକ ଅଧିକାରୀ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ହାତବାରିସି ହୋଇ କାର୍ଯ୍ୟ କରୁଛନ୍ତି। ମୋ ଉପରେ ହୋଇଥିବା ଆକ୍ରମଣ ଘଟଣା ଏହା ସ୍ପଷ୍ଚ ଭାବେ ବାରି ହୋଇପଡୁଛି।
ପଶ୍ଚିମବଙ୍ଗରେ ୧୩୦ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ୩୦୦ ବିଜେପି ସମର୍ଥକଙ୍କୁ ହତ୍ୟା କରାଯାଇଛି। ଏହା ଅତ୍ୟନ୍ତ ଦୃର୍ଭାଗ୍ୟଜନକ। ମମତା ବାନାର୍ଜୀଙ୍କ ଉପରେ ବର୍ଷିବା ସହ ଆହୁରି କହିଛନ୍ତି ରାଜ୍ୟରେ କ୍ଷମତାସୀନ ତୃଣମୂଳ ସରକାର ଚାଷୀ ଭାଇଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ରୂପାୟନ କ୍ଷେତ୍ରରେ ବାଧକ ସାଜୁଛି। ଯାହା ଫଳରେ ପଶ୍ଚିମବଙ୍ଗର ଚାଷୀ ବିଭିନ୍ନ କେନ୍ଦ୍ରୀୟ ଯୋଜନାରୁ ଲାଭ ପାଇବାରୁ ବଞ୍ଚିତ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଚାଷୀଙ୍କୁ ସାହାଯ୍ୟ ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ପଶ୍ଚିମବଙ୍ଗ ସରକାର ବ୍ୟାଘତ ସୃଷ୍ଚି କରୁଛନ୍ତି। ପାଖାପାଖି ୨୬ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ପଞ୍ଜୀକରଣ କରି ସାରିଥିବାବେଳେ ମମତା ସରକାର ଏହାକୁ ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ କରୁନାହାଁନ୍ତି। ଯାହା ରାଜ୍ୟର କୃଷକଙ୍କ ପ୍ରତି ଅନ୍ୟାୟ। ଯେଉଁଥିପାଇଁ ମମତା ସରକାର ଚାଷୀଙ୍କ ବିଶ୍ବାସଭାଜନ ହୋଇ ପାରିନାହିଁ।