ପାକିସ୍ତାନ ପଟୁ ହୋଇଥିବା ଗୁଳିମାଡର ମୁହଁତୋଡ ଜବାବ ଦେଇଛି ଭାରତ ।
Trending Photos
ଶ୍ରୀନଗର: ପଛ ପଟୁ ଛୁରୀ ମାରିବାରେ ମାହିର ପାକିସ୍ତାନ ନିଜର ପ୍ରକୃତି ବଦଳାଇବାର ନାଁ ଧରୁନାହୁଁ । ସମ୍ମୁଖ ଯୁଦ୍ଧରେ ଲଢିବାକୁ ସାହସ ଜୁଟାଇ ପାରୁନଥିବା ପାକିସ୍ତାନ ପୁଣି ଥରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅସ୍ତ୍ର ବିରତି ଉଲଂଘନ କରି ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରିଛି । ଗୁରୁବାର (ଅଗଷ୍ଟ ୨୦, ୨୦୨୦) ବିଳମ୍ବିତ ରାତ୍ରୀରେ ପାକିସ୍ତାନୀ ରେଞ୍ଜର୍ସ (Pakistani Rangers) ଜମ୍ମୁ କାଶ୍ମୀରର ହୀରାନଗର ସେକ୍ଟରକୁ ଟାର୍ଗେଟ କରି ଗୁଳିମାଡ କରିଥିଲା । ଏହି ଆକ୍ରମଣରେ ୬ଟି ଘର କ୍ଷତିଗ୍ରସ୍ତ ହୋଇଛି।
ପାକିସ୍ତାନ ପଟୁ ହୋଇଥିବା ଆକ୍ରମଣର ମୁହଁତୋଡ ଜବାବ ଦେଇଛି ସୀମା ସୁରକ୍ଷା ବଳ-ବିଏସଏଫ (BSF-Border Security Force)। ଜମ୍ମୁ କାଶ୍ମୀରରେ ବେଆଇନ ଅନୁପ୍ରବେଶ ଏବଂ ଆତଙ୍କବାଦର ମୂଳୋତ୍ପାଟନ କରିବା ଲାଗି କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ଭାରତୀୟ ସୁରକ୍ଷା ବଳ । ଭାରତର ଏପରି ଆକ୍ରମଣାତ୍ମକ ଆଭିମୁଖ୍ୟକୁ ନେଇ ଭୟଭୀତ ହୋଇପଡିଛି ଆତଙ୍କବାଦୀଙ୍କ ପୃଷ୍ଠପୋଷକ ପାକିସ୍ତାନ । ବିଗତ ୪ ଦିନ ମଧ୍ୟରେ ସୁରକ୍ଷାବଳର କାର୍ଯ୍ୟାନୁଷ୍ଠାନରେ ଟଳି ପଡିଛନ୍ତି ୬ ଆତଙ୍କବାଦୀ । ଗୁରୁବାର ଦାନିଶ ନାମକ ଜଣେ ଆତଙ୍କବାଦୀକୁ ହତ୍ୟା କରିଥିଲା ସୁରକ୍ଷା ବାହିନୀ । ମୃତକ ଆତଙ୍କୀ ନିକଟରୁ ବିପୁଳ ପରିମାଣରେ ଗୁଳିଗୋଳା ଜବତ କରାଯାଇଥିଲା ।
ଏନେଇ ମତ ରଖି ଜମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂହ କହିଛନ୍ତି ବିଗତ ୪ ଦିନ ମଧ୍ୟରେ ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ଅପରେସନରେ ୬ ଆତଙ୍କବାଦୀ ଟଳିପଡିଛନ୍ତି । ମୃତକ ଆତଙ୍କବାଦୀଙ୍କ ମଧରୁ ୪ କାଶ୍ମୀରରେ ସକ୍ରିୟ ଥିବା ୧୦ ଜଣ ମୁଖ୍ୟ ଆତଙ୍କବାଦୀ ତାଲିକାରେ ଅନ୍ତର୍ଭୂକ୍ତ କରାଯାଇଥିଲା । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଉତ୍ତର କାଶ୍ମୀରରେ କାର୍ଯ୍ୟ କରୁଥିବା ଲସ୍କର-ଇ-ତୋଏବା ଗୋଷ୍ଠୀର ସର୍ବବୃହତ କମାଣ୍ଡର ସାଜଜାଦ ହାଇଦର, ତା'ର ପାକିସ୍ତାନୀ ସହଯୋଗୀ ଉସମାନ ଏବଂ ସ୍ଥାନୀୟ କାଶ୍ମୀରର ସହଯୋଗୀ ଅନାୟତୁଲ୍ଲା ମଧ୍ୟ ଅଛନ୍ତି।
ଡିଜିପି କହିଛନ୍ତି ସଜ୍ଜାଦ ହାଇଦର ଅନେକ ଆତଙ୍କବାଦୀ ଘଟଣାରେ ସମ୍ପୃକ୍ତ ଥିଲା । ଜିହାଦ ନାମରେ ଅନେକ କାଶ୍ମୀର ଯୁବକଙ୍କୁ କଟ୍ଟରପନ୍ଥୀ କରି ସାରିଥିଲ । କାଶ୍ମୀରର ଲୋକଙ୍କୁ ତାହାର ମୃତ୍ୟୁ ପରେ ଆଶ୍ୱସ୍ତି ମିଳିବ । ଗୁରୁବାର ଏକ ଏନକାଉଣ୍ଟରରେ ପାକିସ୍ତାନୀ ଆତଙ୍କବାଦୀ ଦାନିଶର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ଅନ୍ୟ ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ମଧ୍ୟ ଲସ୍କର କମାଣ୍ଡର ନାସିର-ଉ-ଦିନ୍ ଲୋନ୍ ଥିଲା, ଯିଏ ଅପ୍ରେଲ ୧୮ ତାରିଖରେ ସୋପୋରରେ ଏବଂ ମେ ୪ ତାରିଖରେ ହ୍ୟାଣ୍ଡୱାରା ଠାରେ ୬ ସିଆରପିଏଫ ଯବାନଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ରହିଥଲା । ହ୍ୟାଣ୍ଡୱାରା ଆକ୍ରମଣ ସମୟରେ ଆତଙ୍କବାଦୀ CRPF ଯବାନଙ୍କ ନିକଟରୁ ବନ୍ଧୁକ ଛଡ଼ାଇ ନେଇଥିଲେ। ଯାହାକୁ ନାସିର ନିକଟରୁ ଉଦ୍ଧାର କରାଯାଇଥିଲା। ନାସିର ଏବଂ ଦାନିଶ ସାମରିକ କାର୍ଯ୍ୟାନୁଷ୍ଠାନରେ ଟଳିପଡିବା ସୁରକ୍ଷାବଳ ଲାଗି ଏକ ବିରାଟ ସଫଳତା ।