ମନ୍ତ୍ରୀମଣ୍ଡଳ ବିସ୍ତାର କରିବେ ଯୋଗୀ, ନୂଆ ଚେହେରାଙ୍କୁ ମିଳିପାରେ ସ୍ଥାନ
Advertisement
Article Detail0/zeeodisha/odisha785399

ମନ୍ତ୍ରୀମଣ୍ଡଳ ବିସ୍ତାର କରିବେ ଯୋଗୀ, ନୂଆ ଚେହେରାଙ୍କୁ ମିଳିପାରେ ସ୍ଥାନ

ଆସନ୍ତା ୨୦୨୨ରେ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ମନ୍ତ୍ରୀମଣ୍ଡଳ ବିସ୍ତାର କରିବେ ଯୋଗୀ, ନୂଆ ଚେହେରାଙ୍କୁ ମିଳିପାରେ ସ୍ଥାନ

ଲକ୍ଷ୍ନୌ: ମନ୍ତ୍ରୀମଣ୍ଡଳ ବିସ୍ତାର କରିବେ ଉତ୍ତର ପ୍ରଦେଶରେ କ୍ଷମତାସୀନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ବିଜେପି ସରକାର (CM Yogi Ministry)। ରାଜ୍ୟର ୭ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ଶାସକ ବିଜେପିକୁ ଜବରଦସ୍ତ ସଫଳତା ମିଳିବା ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ  ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ନିର୍ବାଚନରେ ଶାସକ ଦଳ ମୋଟ ୭ ଆସନରୁ ୬ ସିଟ୍ ହାତେଇଛି। 

ଆସନ୍ତା ୨୦୨୨ରେ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (UP Assembly Poll 2022)। ଏହା ନିର୍ବାଚନ ପୂର୍ବରୁ ଶେଷ ମନ୍ତ୍ରୀମଣ୍ଡଳ ବିସ୍ତାର ହେବ ବୋଲି କୁହାଯାଉଛି। ଏଥର ଜାତିଗତ ସମୀକରଣ ପରିବର୍ତ୍ତେ କ୍ଷେତ୍ର ଆଧାରରେ ମନ୍ତ୍ରୀମଣ୍ଡଳ ବିସ୍ତାର ହେବ। ରାଜ୍ୟ ସରକାରରେ କ୍ୟାବିନେଟ ମନ୍ତ୍ରୀ ରହିଥିବା ଚେତନ ଚୌହାନଙ୍କ ନିଧନ ହେବା କାରଣରୁ ସେ ପ୍ରତିନିଧିତ୍ୱ କରୁଥିବା ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ବାଜିମାତ କରିଛି। ତାଙ୍କ ପତ୍ନୀ ସଙ୍ଗୀତା ଚୌହ୍ୱାନ ବିଜେପି ଟିକେଟରେ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଥିଲେ। 
   
ସେହିପରି ବୁଲନ୍ଦସହରର ପୂର୍ବତନ ବିଧାୟକ ସ୍ୱର୍ଗତ ବିଧାୟକ ବିରେନ୍ଦ୍ର ସିଂ ସିରୋହିଙ୍କ ପତ୍ନୀ ଉଷା ସିରୋହି ମଧ୍ୟ ଉପନିର୍ବାଚନରେ ​​ଜିତିଛନ୍ତି। ଏହି ଦୁଇଜଣଙ୍କ ମଧ୍ୟରୁ ଜଣଙ୍କୁ ମନ୍ତ୍ରୀ ପଦ ମିଳିପାରେ। ରାଜ୍ୟ ସରକାରରେ ମନ୍ତ୍ରୀ ରହିଥିବା କମଲ ରାନୀ ବରୁଣଙ୍କ ମୃତ୍ୟୁ ପରେ କ୍ୟାବିନେଟରେ ମହିଳାଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି।

ଅନ୍ୟପଟେ କେତେକ ମନ୍ତ୍ରୀଙ୍କ ପ୍ରଦର୍ଶନକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ସନ୍ତୁଷ୍ଟ ନାହାଁନ୍ତି। ସେମାନଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯାଇ ସାଙ୍ଗଠନିକ କାର୍ଯ୍ୟରେ ନିୟୋଜିତ କରାଯାଇପାରେ। କେତେକ ମନ୍ତ୍ରୀଙ୍କୁ ଅନ୍ୟାନ୍ୟ ଦାୟିତ୍ୱ ମିଳିପାରେ। ଏହା ସହିତ କିଛି ଯୁବ ବିଧାୟକଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇ ଆସନ୍ତା ୨୦୨୨ ବିଧାନସଭା ନିର୍ବାଚନରେ ଯୁବବର୍ଗର ଭୋଟ ହାତେଇବାକୁ ଯୋଜନା ରଖିଛି ବିଜେପି।

ଗତ ବର୍ଷ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅର୍ଥମନ୍ତ୍ରୀ ରାଜେଶ ଅଗ୍ରୱାଲ, ଜଳସେଚନ ମନ୍ତ୍ରୀ ଧର୍ମପାଲ ଏବଂ ମୌଳିକ ଶିକ୍ଷା ମନ୍ତ୍ରୀ ଅନୁପମା ଜୈସ୍ୱାଲଙ୍କୁ କ୍ୟାବିନେଟରୁ ହଟାଇ ଦେଇଛନ୍ତି। ରାଜେଶ ଅଗ୍ରୱାଲଙ୍କୁ ଚଳିତ ବର୍ଷ ବିଜେପିର ଜାତୀୟ କୋଷାଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଗତ ବର୍ଷ ଅଗଷ୍ଟ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ସମ୍ପ୍ରସାରଣ କରିଥିଲେ। ଏଥିରେ ୧୮ ନୂତନ ମନ୍ତ୍ରୀ ସ୍ଥାନ ପାଇଥିବାବେଳେ ୫ ମନ୍ତ୍ରୀଙ୍କୁ ପଦୋନ୍ନତି ମିଳିଥିଲା। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମନ୍ତ୍ରୀ ପରିଷଦରେ ବର୍ତ୍ତମାନ ୫୪ ଜଣ ମନ୍ତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୩ କ୍ୟାବିନେଟ, ୯ ରାଷ୍ଟ୍ରମନ୍ତ୍ରୀ ସ୍ୱାଧିନ ଦାୟିତ୍ୱ ଏବଂ ୨୨ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି।