କୋରୋନା କବଜାରେ ନେତା-ମନ୍ତ୍ରୀ, ଘାତକ ସ୍ଥିତି ବେଳେ ଟିକାର ହେଉଛି କଳାବଜାରୀ
Advertisement

କୋରୋନା କବଜାରେ ନେତା-ମନ୍ତ୍ରୀ, ଘାତକ ସ୍ଥିତି ବେଳେ ଟିକାର ହେଉଛି କଳାବଜାରୀ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୩୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ସହ ୧୩୪୧ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଏବେ ପ୍ରାୟ ୧୬ ଲକ୍ଷ ୮୦ ହଜାର ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି। ଏହି ସମ୍ବେଦନଶୀଳ ସମୟରେ କୋରୋନା ଟିକାର କଳାବଜାରୀ ହେଉଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଭୟଙ୍କର ହେଉଛି ମହାମାରୀ କୋରୋନାର ଦ୍ୱିତୀୟ ଲହରୀ। ଦେଶରେ କୋରୋନାର ଦ୍ରୁତ ସଂକ୍ରମଣକୁ ରୋକିବା ଏବେ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୩୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ସହ ୧୩୪୧ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଏବେ ପ୍ରାୟ ୧୬ ଲକ୍ଷ ୮୦ ହଜାର ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି। ଏହି ସମ୍ବେଦନଶୀଳ ସମୟରେ କୋରୋନା ଟିକାର କଳାବଜାରୀ ହେଉଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି।

ଦିନକୁ ଦିନ କୋରୋନା (coronavirus) ର ଦ୍ୱିତୀୟ ଲହରୀ ଘାତକ ରୂପ ନେଉଥିବାବେଳେ ସ୍ଥିତି ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ହୋଇଛି। ଏହାସହିତ  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ଶୁକ୍ରବାର ଦିଲ୍ଲୀ ଏମ୍ସ ପରିଦର୍ଶନ କରିବା ସହ ସ୍ୱାସ୍ଥ୍ୟ ସୁବିଧାର ଅନୁଧ୍ୟାନ କରିଛନ୍ତି।  ସେପଟେ ଇନ୍ଦୋର, ଭୋପାଳ, ପୁଣେ ସମେତ ବିଭିନ୍ନ ସହରରେ କୋରୋନା ଚିକିତ୍ସାରେ ବ୍ୟବହୃତ ରେମଡେସିଭର ଇଂଜେକସନର କଳାବଜାରି ଅଭିଯୋଗ ହୋଇଛି। ୟୁପିର କାନପୁରରେ ରେମଡେସିଭର କଳାବଜାରୀ ଅଭିଯୋଗରେ ୩ ଜଣଙ୍କୁ STF ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ୨୬୫ ଇଂଜେକସନ ମଧ୍ୟ ଜବତ ହୋଇଛି। 

Also Read: ଜେଲରୁ ମୁକୁଳିବେ ଲାଲୁ ଯାଦବ! ଦୁମକା କୋଷାଗାର ମାମଲାରେ ମିଳିଲା ଜାମିନ

ମଧ୍ୟପ୍ରଦେଶର (Madhya Pradesh) ଜବଲପୁରରେ ମଧ୍ୟ ରେମଡେସିଭର କଳାବଜାରୀ ଅଭିଯୋଗରେ ୩ ଜଣ ପୁରୁଷ ନର୍ସ ଓ ଜଣେ ମେଡିକାଲ ରିପ୍ରେଜେଣ୍ଟଟିଭଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ୪ କୋରୋନା ଆକ୍ରାନ୍ତଙ୍କ ପରିବାର ଲୋକଙ୍କୁ ୪ଟି ଇଂଜେକସନ ବାବଦକୁ ୭୭ ହଜାର ଟଙ୍କା ଚାର୍ଚ୍ଚ କରିଥିଲେ। ସେପଟେ ରେମଡେସିଭର ସହ ଅନେକ ହସ୍ପିଟାଲରେ ବେଡ, ଭେଣ୍ଟିଲେଟର ଓ ଅକ୍ସିଜେନ ମଧ୍ୟ ଅଭାବ ପରିଲକ୍ଷିତ ହୋଇଛି। ଲୋକେ ଟିକା (Corona vaccine) ନେବା ପାଇଁ ଆଗ୍ରହ ଦେଖାଉ ଥିବାବେଳେ କେନ୍ଦ୍ର ସରକାର ଆବଶ୍ୟକ ପରିମାଣର କୋରୋନା ଟିକା ଯୋଗାଉନଥିବା ପ୍ରାୟତଃ ରାଜ୍ୟ ଅଭିଯୋଗ କରୁଛନ୍ତି। 

କୋରୋନାର କାୟା ବିସ୍ତାର ଉପରେ ରୋକ୍ ଲଗାଇବା ପାଇଁ ଟିକାକରଣକୁ ମଧ୍ୟ ତ୍ୱରାନ୍ୱିତ କରିବାକୁ ସରକାର ନୂଆ ରଣନୀତି ପ୍ରସ୍ତୁତ କରଛନ୍ତି। କେନ୍ଦ୍ର ସରକାର ମୁମ୍ବାଇର ହାଫକିନ୍ ବାୟୋ ଫାର୍ମାସ୍ୟୁଟିକାଲକୁ ଭାରତ ବାୟୋଟିକର Covaxin ଭ୍ୟାକସିନ ଉତ୍ପାଦନ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପୂର୍ବରୁ ଏନେଇ କେନ୍ଦ୍ର ସରକାରଙ୍କ ଅନୁମତି ମାଗିଥିଲେ। ଏହାସହିତ ଦେଶରେ ଟିକା ଅଭାବ ପୂରଣ ପାଇଁ ୩ରୁ ଅଧିକ ବିଦେଶୀ ଟିକାକୁ ଜରୁରୀ ବ୍ୟବହାର ଅନୁମତି ମିଳିବା ସମ୍ଭାବନା ରହିଛି।

Also Read: ଯଦି ଭାରତରେ ଲାଗେ ୧ ମାସର ଲକଡାଉନ୍, ତ GDP ରେ ହେବ...

ଦେଶରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାବେଳେ ସରକାର ଭ୍ୟାକ୍ସିନ ଉତ୍ପାଦନ (Vaccine production) ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି। ଟିକା ଉତ୍ପାଦନକାରୀ କମ୍ପାନୀର ଟ୍ରାଏଲ, ଉଚ୍ଚ ଗବେଷଣା ପାଇଁ ସରକାର ସହାୟତା ବୃଦ୍ଧି କରିଛନ୍ତି। ICMR ପକ୍ଷରୁ ଦେଶର ପ୍ରମୁଖ ଟିକା ଉତ୍ପାଦନକାରୀ କମ୍ପାନୀ SSIକୁ ୧୦ କୋଟି ଓ ଭାରତ ବାୟୋଟେକକୁ ୩୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ସେପଟେ ଟିକା ପ୍ରସ୍ତୁତି ପାଇଁ ଆବଶ୍ୟକ କଞ୍ଚାମାଲର ରପ୍ତାନୀ ଉପରୁ କଟକଣା ହଟାଇବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦେଶର ସବୁଠାରୁ ବଡ଼ ଔଷଧ ଉତ୍ପାଦନକାରୀ କମ୍ପାନୀ ପୁଣେସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦାର ପୁନାୱାଲା ଅପିଲ କରିଛନ୍ତି। ଅନ୍ୟପଟେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କୋରୋନା ସଂକ୍ରମିତ ହୋଇଛନ୍ତି। ଏହାସହିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର, କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟୱାଲା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା କୋରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। କୋରୋନା ସଂକ୍ରମିତ ହୋଇ ପୂର୍ବତନ CBI ନିର୍ଦ୍ଦେଶକ ରଣଜୀତ ସିହ୍ନାଙ୍କ ମୃତ୍ୟୁ ହୋଇଛି।