Heat Wave Alert: ଆରମ୍ଭରୁ ଅସମ୍ଭାଳ, ତାତିରେ ଚାଲିଗଲାଣି ୪ ଜଣଙ୍କ ଜୀବନ
Advertisement

Heat Wave Alert: ଆରମ୍ଭରୁ ଅସମ୍ଭାଳ, ତାତିରେ ଚାଲିଗଲାଣି ୪ ଜଣଙ୍କ ଜୀବନ

Heat Wave Warning: ଦେଶର ଦାକ୍ଷିଣାତ୍ୟ ଭାଗରେ ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। 

Heat Wave Alert: ଆରମ୍ଭରୁ ଅସମ୍ଭାଳ, ତାତିରେ ଚାଲିଗଲାଣି ୪ ଜଣଙ୍କ ଜୀବନ

Heat Wave Update: ଦେଶର ଦାକ୍ଷିଣାତ୍ୟ ଭାଗରେ ହିଟ୍ ୱେଭ ଚଲିତ ମାସ ଦ୍ୱିତୀୟ ସପ୍ତାହରୁ ଦେଖାଯିବା ଆରମ୍ଭ କରିଛି। ଦକ୍ଷିଣ ଭାରତୀୟ ରାଜ୍ୟ ତେଲେଙ୍ଗାନାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିସାରିଛି। ତାତି ବୃଦ୍ଧି ପ୍ରଭାବରେ ତେଲେଙ୍ଗାନାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି। ଏହି କାରଣରୁ ତେଲେଙ୍ଗାନା ସରକାର ଏକ ସତର୍କ ସୂଚନା ଜାରି କରିଛନ୍ତି। ଦ୍ୱିପ୍ରହର ସମୟରେ ଖରା ତାତି କବଳରୁ   ଦୂରେଇ ରହିବା ପାଇଁ ଲୋକଙ୍କୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏପରିକି ଦିନ ଏଗାରଟାରୁ ଦିନ ତିନିଟି ପର୍ଯ୍ୟନ୍ତ ଜରୁରୀ ନହେଲେ ଘର ଭିତରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। 

ରାଜ୍ୟର ଉତ୍ତର ଜିଲ୍ଲାରେ ଅଧିକ ତାତି
ମଙ୍ଗଳବାର ତେଲେଙ୍ଗାନାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଥିଲା। ଏହା ପରେ ଉତ୍ତାପ ବୃଦ୍ଧି ଜନିତ କାରଣରୁ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୩ ଜଣ ରାଜ୍ୟର ଉତ୍ତର ଭାଗରେ ଅବସ୍ଥିତ ଆଦିଲାବାଦ, ନିର୍ମଲ ଏବଂ ମଞ୍ଛେରିୟାଲ ଜିଲ୍ଲାର ବୋଲି ଜଣାପଡ଼ିଛି। ଅନ୍ୟପଟେ ରାଜ୍ୟର କେନ୍ଦ୍ରୀୟ ଅଞ୍ଚଳରେ ଅବସ୍ଥିତ ୱାରଙ୍ଗାଲ ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି। ଆଦିଲାବାଦ ଜିଲ୍ଲାରେ ପ୍ରାଣ ହରାଇଥିବା ମୃତକ ଜଣଙ୍କ ଜଣେ ୭୦ ବର୍ଷ ବୟସ୍କ କୃଷକ ବୋଲି ଜଣାପଡ଼ିଛି। ଜିଲ୍ଲାର ନେନ୍ନାଲ ମଣ୍ଡଳର ଗଙ୍ଗାରାମ ଗ୍ରାମ ନିବାସୀ ଚାଷୀ ଜଣଙ୍କ ମଙ୍ଗଳବାର ତାତି ସମୟରେ ଆମ୍ବ ବଗିଚାରେ କାମ କରିବା ସମୟରେ ପ୍ରାଣ ହରାଇଥିଲେ। 

ନିର୍ମଳ ଜିଲ୍ଲାରେ ଜଣେ ଭିନ୍ନକ୍ଷମ ବ୍ୟକ୍ତି ମନରେଗା ଯୋଜନାରେ ଶ୍ରମିକ ଭାବେ କାମ କରୁଥିବା ସମୟରେ ତାତି କାରଣରୁ ପ୍ରାଣ ହରାଇଥିଲେ। ମୃତକ ୪୫ ବର୍ଷୀୟ ପାଡ଼ିଗଲା ରାଜେଶ୍ୱର ନିର୍ମଳ ଜିଲ୍ଲାର ଲକ୍ଷ୍ମଣଚନ୍ଦା ମଣ୍ଡଳର ଦଦୟାଲ ନରସାପୁର ଗ୍ରାମର ବାସିନ୍ଦା ଥିଲେ। ମଙ୍ଗଳବାର ପାଡ଼ିଗଲା ରାଜେଶ୍ୱର ମନରେଗା ଯୋଜନା ଅଧିନରେ ମାଟି ଖୋଳିବା କାର୍ଯ୍ୟ କରିବାକୁ ଯାଇଥିଲେ। ଏକ ପୋଖରୀ ନିକଟରେ ମାଟି ଖୋଳିବା କାର୍ଯ୍ୟ ଚାଲିଥିଲା। ମଧ୍ୟାନ୍ନ ସମୟରେ ତାଙ୍କ ମୁଣ୍ଡ ବୁଲାଇ ଦେବା ସହ ସେ ବାନ୍ତି କରିବାରେ ଲାଗିଥିଲେ। ମନରେଗା ଶ୍ରମିକ ଜଣଙ୍କ ବିଶ୍ରାମ ନେବାକୁ ଏକ ଗଛ ଛାଇ ତଳକୁ ଚାଲି ଆସିଥିଲେ। ହେଲେ ପରେ ତାଙ୍କ ସହକର୍ମୀ ତାଙ୍କୁ ମୃତ ଅବସ୍ଥାରେ ପାଇଥିଲେ। 

ମଞ୍ଛେରିୟାଲ ଜିଲ୍ଲାରେ ଉତ୍ତାପ ବୃଦ୍ଧି ପାଇବା ହେତୁ ୫୫ ବର୍ଷୀୟ ଫଳ ବିକ୍ରେତା ଲିଙ୍ଗାଲା ଶ୍ରୀନିବାସଙ୍କ ମୃତ୍ୟୁ ହୋଇଥିଲା। ମୃତକ ଜଣଙ୍କ ବେଲାମପାଲ୍ଲି ଅଞ୍ଚଳର ବାସିନ୍ଦା ବୋଲି କୁହାଯାଉଛି। ୱାରଙ୍ଗଲ ଜିଲ୍ଲାର ଦୁଗୋଣ୍ଡି ମଣ୍ଡଳ ମୁଖ୍ୟାଳୟ ନିକଟରେ ତାତି କାରଣରୁ ୬୭ ବର୍ଷୀୟ ବୟସ୍କ ଫଳ ବିକ୍ରେତା ମୁପାରାପୁ ସରୈୟାଙ୍କ ମୃତ୍ୟୁ ହୋଇଛି।

ଫେବୃଆରୀରେ ଦେଖିବାକୁ ମିଳିଥିଲା ତାତି ବୃଦ୍ଧିର ସମ୍ଭାବନା​
ଚଳିତ ବର୍ଷ ଫେବୃଆରୀ ମାସରେ ହୋଇଥିବା ଖରା ଗ୍ରୀଷ୍ମ ଋତୁ ଭଳି ଅନୁଭବ ହୋଇଥିଲା। ମାର୍ଚ୍ଚ ମାସରେ ଅଦିନିଆ ବର୍ଷା କାରଣରୁ ତାପମାତ୍ରା ସ୍ତର ସାମାନ୍ୟ ହ୍ରାସ ପାଇଥିଲା। ହେଲେ ଅପ୍ରେଲ ଦ୍ୱିତୀୟ ସପ୍ତାହରେ ତାତି ବଢୁଥିବାର ପ୍ରଭାବ ଅନୁଭୂତ ହୋଇସାରିଛି। ବିଶେଷକରି ଦେଶର ଦାକ୍ଷିଣାତ୍ୟ ରାଜ୍ୟରେ ପାରଦ ଉପର ମୁହାଁ ହେବାରେ ଲାଗିଛି। ଯେଉଁ କାରଣରୁ ମଧ୍ୟାନ୍ନ ସମୟରେ ତାତି ବଢିବାରେ ଲାଗିଛି। ଯେଉଁ କାରଣରୁ ଲୋକେ ହିଟ୍ ଷ୍ଟ୍ରୋକ ଭଳି ସମସ୍ୟାର ସାମ୍ନା କରୁଛନ୍ତି।