ଜମିଦାରଙ୍କ ଶୋଷଣ ବିରୋଧରେ ଆରମ୍ଭ ହୋଇଥିବା ସଶସ୍ତ୍ର ଆନ୍ଦୋଳନ, କ୍ଷୁଦ୍ରଚାଷୀ ଏବଂ ଶ୍ରମିକଙ୍କ ହକର ଲଢ଼େଇକୁ କୁହାଯାଉଥିଲା ନକ୍ସଲ ଆନ୍ଦୋଳନ।
Trending Photos
ନକ୍ସଲ....ଏହି ଶବ୍ଦ ଶୁଣିଲା ପରେ ଆଖି ଆଗରେ ପ୍ରତିଫଳିତ ହୁଏ ବନ୍ଧୁକ, ଗୋଳା ବାରୁଦ, ରକ୍ତ ଜୁଡୁବୁଡୁ ମୃତ ଶରୀର, ଜଙ୍ଗଲ ଏବଂ ବନ୍ଧୁକଧାରୀ କିଛି ମଣିଷଙ୍କ ଛବି। ଲାଗେ ଯେଭଳି ଆତଙ୍କର ପ୍ରତିଶବ୍ଦ, ଆଉ ଅହିଂସା ବିରୋଧୀ କିଛି ମଣିଷଙ୍କ ଗୋଷ୍ଠୀ। ଯେଉଁମାନେ ଗୁଳିରେ କଥା କୁହନ୍ତି। ଯେଉଁମାନେ ସାଧାରଣ ଜନତାଙ୍କ ଜୀବନ ପିପାସୁ। ହେଲେ ବାସ୍ତବରେ କ'ଣ ଏଭଳି କିଛି ଆଭିମୁଖ୍ୟ ନେଇ ଜନ୍ମ ନେଇଥିଲେ ନକ୍ସଲ ଆନ୍ଦୋଳନ? ପ୍ରକୃତରେ ଏହା କ'ଣ ନକ୍ସଲବାଦ?
ଜମିଦାରଙ୍କ ଶୋଷଣ ବିରୋଧରେ ଆରମ୍ଭ ହୋଇଥିବା ସଶସ୍ତ୍ର ଆନ୍ଦୋଳନ, କ୍ଷୁଦ୍ରଚାଷୀ ଏବଂ ଶ୍ରମିକଙ୍କ ହକର ଲଢ଼େଇକୁ କୁହାଯାଉଥିଲା ନକ୍ସଲ ଆନ୍ଦୋଳନ। ହେଲେ ପରବର୍ତ୍ତୀ ସମୟରେ ପରିବର୍ତ୍ତନ ହେଲା ପଥ, ଆଉ ଆତଙ୍କର ଆଧ୍ୟାୟରେ ବଦଳିଗଲା ଆନ୍ଦୋଳନ। ଏକ ଛୋଟ ଗାଁ ନକ୍ସଲବାଡି ଠାରୁ ଆରମ୍ଭ ହୋଇଥିବା ବିପ୍ଲବ ପରବର୍ତ୍ତୀ ସମୟରେ ପଶ୍ଚିମବଙ୍ଗ ସୀମା ଡେଇଁ ପହଞ୍ଚିଗଲା ଅବିଭକ୍ତ ଆନ୍ଧ୍ର ପ୍ରଦେଶ, ମଧ୍ୟପ୍ରଦେଶ, ବିହାର ସମେତ ଓଡ଼ିଶା ପ୍ରଭୃତି ରାଜ୍ୟରେ।
୧୯୬୭ରେ କମ୍ୟୁନିଷ୍ଟ ପାର୍ଟି ନେତା କାନୁ ସାନ୍ନ୍ୟାଲ ଏବଂ ସିଲିଗୁଡ଼ି କିଷାନ ସଭା ଅଧ୍ୟକ୍ଷ ଜଙ୍ଗାଲ ସାନ୍ଥାଲ୍ ପଞ୍ଚିମବଙ୍ଗର ନକ୍ସଲବାଡି ଗାଁରୁ ଏକ ହିଂସକ ଆନ୍ଦୋଳନର ଆରମ୍ଭ କଲେ। ଆଉ ଏଠାରୁ ଜନ୍ମ ନେଲା ନକ୍ସଲବାଦ। ୧୮ ମେ ୧୯୬୭ ମସିହାରେ କାନୁ ସାନ୍ନ୍ୟାଲଙ୍କ ନେତୃତ୍ୱରେ ନିଷ୍ପତ୍ତି ନିଆଗଲା ଯେ ହତିଆର ବଳରେ ଜମିଦାରୀ ଶୋଷଣରୁ ମୁକ୍ତ ହେବେ କୃଷକ, ଜମିଦାରଙ୍କ ଦ୍ୱାରା ବାଜ୍ୟାପ୍ତ ହୋଇଥିବା ଜମି ଫେରିପାଇବେ କୃଷକ। ଏହାଥିଲା ପ୍ରଥମ ନକ୍ସଲ ଆନ୍ଦୋଳନର ଲକ୍ଷ୍ୟ ଏବଂ ଆଭିମୁଖ୍ୟ। ଜମିଦାରଙ୍କ ଲୋକେ ଜମି ବିବାଦକୁ ନେଇ ନକ୍ସଲବାଡ଼ି ଠାରେ କରିଥିଲେ ଆକ୍ରମଣ। ୧୯୬୭ ମସିହା ମେ ୨୪ ତାରିଖରେ ଗୋଟିଏ ପୋଲିସ ଟିମ୍ ନକ୍ସଲବାଡ଼ି ପହଞ୍ଚିଲା। ଜଙ୍ଗଲରେ ଆନ୍ଦୋଳନକାରୀ ପ୍ରସ୍ତୁତ ଥିଲେ। ଆନ୍ଦୋଳନକାରୀଙ୍କ ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ପ୍ରାଣ ହରାଇଥିଲେ।
ପରବର୍ତ୍ତୀ ସମୟରେ ଜମିହୀନ ବ୍ୟକ୍ତି ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ। ଅନେକ ଉତ୍ପୀଡ଼ିତ ଲୋକଙ୍କୁ ଜମିଦାର ପାଖରୁ ଜମି ଫେରିପାଇବାର ଏକ ରାସ୍ତା ମିଳି ଯାଇଥିଲା। ୧୯୭୦ ଦଶକରେ ଏହି ନକ୍ସଲ ଆନ୍ଦୋଳନ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ୧୯୮୦ ଦଶକରେ ନକ୍ସଲ ଆନ୍ଦୋଳନ ୩୦ ଭାଗରେ ବିଭକ୍ତ ହୋଇସାରିଥିଲା। ସେତେବେଳେ ଏହି ଆନ୍ଦୋଳନରେ କୋଲକାତାର ଛାତ୍ର ଯୋଗଦେବା ଆରମ୍ଭ କରିସାରିଥିଲେ। ସ୍କୁଲ କଲେଜ ଛାଡ଼ି ନକ୍ସଲ ଆନ୍ଦୋଳନରେ ସାମିଲ ହେଉଥିଲେ ଅନେକ ଛାତ୍ରଛାତ୍ରୀ। ହେଲେ ଏତେବେଳକୁ ବଦଳି ସାରିଥିଲା ନକ୍ସଲ ଆନ୍ଦୋଳନର ସ୍ୱରୂପ। ଶତ୍ରୁଙ୍କ ଠାରୁ ପ୍ରତିଶୋଧ ନେବା ଆରମ୍ଭ ହୋଇଗଲା। ଜମିଦାରଙ୍କ ବ୍ୟତୀତ ବ୍ୟବସାୟୀ, ରାଜନେତାଙ୍କୁ ମଧ୍ୟ ଟାର୍ଗେଟ କଲେ ମାଓବାଦୀ। ଧୀରେଧୀରେ କୋଲକାତା ସହରରେ ସୃଷ୍ଟି ହେଲା ଭୟର ବାତାବରଣ। ସ୍କୁଲ କଲେଜ ବନ୍ଦ କରିଦିଆଗଲା। ମାଓବାଦୀ ଜାଧବପୁର ବିଶ୍ୱବିଦ୍ୟାଳୟରେ ହିଁ ଆରମ୍ଭ କରିଦେଲେ ଅସ୍ତ୍ରଶସ୍ତ୍ର ନିର୍ମାଣ। ନକ୍ସଲବାଦୀଙ୍କ ମୁଖ୍ୟାଳୟ ପାଲଟିଲା କୋଲକାତା ପ୍ରେସିଡେନ୍ସି କଲେଜ। ନକ୍ସଲବାଦୀଙ୍କ ସହ ଉଚ୍ଚଶିକ୍ଷିତ ଲୋକ ମଧ୍ୟ ଏହି ଆନ୍ଦୋଳନ ସାମିଲ ହେବାରେ ଲାଗିଲେ।
ସେତେବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ ସିଦ୍ଧାର୍ଥ ଶଙ୍କର ରାୟ। ନକ୍ସଲ ଆନ୍ଦୋଳନର ଘୋର ବିରୋଧୀ ଥିଲେ ସେ। ମୁଖ୍ୟମନ୍ତ୍ରୀଙ୍କ ଆଦେଶ କ୍ରମେ ନକ୍ସଲ ଏବଂ ପୋଲିସ ମଧ୍ୟରେ ଆରମ୍ଭ ହୋଇଗଲା ରକ୍ତାକ୍ତ ସଂଘର୍ଷ। ସ୍ଥିତି ଏତେ ଗମ୍ଭୀର ହେଲା ଯେ, ଶେଷରେ ମାନବାଧିକାର କମିଶନ ହସ୍ତକ୍ଷେପ କଲେ। ସବୁଠାରୁ ଅଧିକ ପ୍ରଶ୍ନ ଉଠିଲା ଚାରୁ ମଜୁମଦାରଙ୍କ ନେତୃତ୍ୱ ଉପରେ। କାରଣ ସେ ଥିଲେ ମାଓ ସଙ୍ଗଠନ CPI(ML) ଗୋଷ୍ଠୀର ପ୍ରତିଷ୍ଠାତା। ୧୯୬୯ ମସିହାରେ ଗଠିତ ହୋଇଥିଲା CPI(ML)। ୧୯୭୧ ମସିହାରେ CPI(ML) ଭାଙ୍ଗିଗଲା। ଚାରୁ ମଜୁମଦାରଙ୍କୁ ପୋଲିସ ଗିରଫ କଲା ଏବଂ ଅଲିପୁର ଜେଲରେ ତାଙ୍କ ମୃତ୍ୟୁ ହେଲା। ତାଙ୍କର ମୃତ୍ୟୁ ପରେ ୧୯୭୨ ମସିହାରେ ନକ୍ସଲ ଆନ୍ଦୋଳନ ଖଣ୍ଡ ଖଣ୍ଡ ହୋଇଗଲା।
୧୯୭୨ ଅଗଷ୍ଟ ବେଳକୁ ନକ୍ସଲ ଆନ୍ଦୋଳନ ଆନ୍ଧ୍ରପ୍ରଦେଶ କୋଣ୍ଡାପଲ୍ଲୀ ପର୍ଯ୍ୟନ୍ତ ପହଞ୍ଚି ସାରିଥିଲା। ୧୯୭୩ ମସିହାରେ ଅବିଭକ୍ତ ବିହାରରେ ନୂଆ ଗଡ଼ ପ୍ରସ୍ତୁତ କଲେ ନକ୍ସଲବାଦୀ। ଧୀରେ ଧୀରେ ନକ୍ସଲ ଆନ୍ଦୋଳନ ଅବିଭକ୍ତ ମଧ୍ୟପ୍ରଦେଶ ପ୍ରଭୃତି ରାଜ୍ୟକୁ ବ୍ୟାପିଲା। ୧୯୮୦ ଦଶକ ବେଳକୁ ନକ୍ସଲ ଆନ୍ଦୋଳନ ହଜିବାରେ ଲାଗିଥିଲା ଅଥବା ଦୁର୍ବଳ ହେବାରେ ଲାଗିଲା। ଆତଙ୍କ ମୁହାଁ ହେଉଥିଲା ନକ୍ସଲ ଆନ୍ଦୋଳନ। ଆଧୁନିକ ଅସ୍ତ୍ରଶସ୍ତ୍ର ଦ୍ୱାରା ଆହୁରି ଭୟଙ୍କର ହେଉଥିଲେ ନକ୍ସଲବାଦୀ। ନକ୍ସଲ ତାଙ୍କର ପୂର୍ବ ଲକ୍ଷ୍ୟ ଏବଂ ଆଭିମୁଖ୍ୟକୁ ଭୁଲିବାରେ ଲାଗିଲେ। ଆନ୍ଦୋଳନ ଆତଙ୍କରେ ପରିଣତ ହେଲା। ୯୦ ଦଶକ ଏବଂ ଏହାର ପରବର୍ତ୍ତୀ ସମୟ ଅର୍ଥାତ ବର୍ତ୍ତମାନ ପର୍ଯ୍ୟନ୍ତ ନକ୍ସଲ ଦେଶର ବିଭିନ୍ନ ଅଂଶରେ ଆତଙ୍କ ରଚୁଛନ୍ତି। ୨୦୧୩ ମେ ୨୫ ତାରିଖର ନରସଂହାର ଏହାର ଏକ ବଡ଼ ଉଦାହରଣ। ଏବେ ଦେଶରେ ୧୧ ରାଜ୍ୟର ୯୦ ଜିଲ୍ଲାରେ ସକ୍ରିୟ ଅଛନ୍ତି ନକ୍ସଲ। ଛତିଶଗଡ଼ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ପ୍ରତିମାସ, ପ୍ରତିଦିନ ମାଓ ଆତଙ୍କର ଖବର ଶୁଣିବାକୁ ମିଳୁଛି। କେଉଁଠି ସାଧାରଣ ଜନତାଙ୍କ ରକ୍ତର ହୋଲି ଖେଳୁଛନ୍ତି ଲାଲ ବାହିନୀ ତ ଆଉ କେଉଁଠି ସୁରକ୍ଷାକର୍ମୀଙ୍କ ରକ୍ତପିପାସୁ ପାଲଟି କରୁଛନ୍ତି ପଛପଟୁ ଆକ୍ରମଣ। ହେଲେ ଏହା ନଥିଲା ନକ୍ସଲ ଆନ୍ଦୋଳନର ଲକ୍ଷ୍ୟ।
ପ୍ରସିଦ୍ଧ କବି ସୁଦାମା ପାଣ୍ଡେ 'ଧୁମିଲ' ଙ୍କ ଗୋଟିଏ ପଦ ବ୍ୟାଖ୍ୟା କରେ ନକ୍ସଲବାଡ଼ି କ'ଣ ଥିଲା? ''ଏକ ହି ସମ୍ୱିଧାନ କେ ନିଚେ ଭୁଖ ସେ ରିରିୟାତୀ ହୁଇ ଫୈଲି ହଥେଲି କା ନାମ 'ଦୟା' ହେ....ଔର ଭୁଖ ମେ ତନି ହୁଇ ମୁଠି କା ନାମ ନକ୍ସଲବାଡି ହେ''।