Pakistan Political History: ନିଜର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିନାହାଁନ୍ତି କୌଣସି ପାକିସ୍ତାନୀ ପ୍ରଧାନମନ୍ତ୍ରୀ
Advertisement
Article Detail0/zeeodisha/odisha1139918

Pakistan Political History: ନିଜର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିନାହାଁନ୍ତି କୌଣସି ପାକିସ୍ତାନୀ ପ୍ରଧାନମନ୍ତ୍ରୀ

ଦେଶ ଗଠନକୁ ୭୫ ବର୍ଷ ପୂରି ଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଗାଦିରେ ୨୨ ଜଣ ଲୋକ ବସି ସାରିଛନ୍ତି।

Pakistan Political History: ନିଜର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିନାହାଁନ୍ତି କୌଣସି ପାକିସ୍ତାନୀ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୁହାଯାଏ ଇତିହାସ ନିଜେ ନିଜକୁ ଦୋହରାଇ ଥାଏ। ଯାହା ସଦ୍ୟ ପାକିସ୍ତାନରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟରୁ ଦୃଶ୍ୟମାନ ହେଉଛି। ୧୯୪୭ ମସିହାରେ ଗଠିତ ହୋଇଥିବା ପାକିସ୍ତାନ ଭଳି ଦେଶର ରାଜନୈତିକ ଇତିହାସ କୌଣସି ପ୍ରଧାନମନ୍ତ୍ରୀ ନିଜର  ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରି ପାରିନାହାଁନ୍ତି। ଦେଶ ଗଠନକୁ ୭୫ ବର୍ଷ ପୂରି ଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଗାଦିରେ ୨୨ ଜଣ ଲୋକ ବସି ସାରିଛନ୍ତି। ହେଲେ କୌଣସି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ନିଜର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିବାକୁ ସକ୍ଷମ ହୋଇନାହିଁ।  

ସ୍ୱାଧିନ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଲିଆକତ ଅଲୀ ଖାନ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖରେ ଶପଥ ନେଇଥିଲେ। ହେଲେ ୧୯୫୧ ମସିହା ଅକ୍ଟୋବର ୧୬ ତାରିଖରେ ତାଙ୍କୁ ଗୁଳି ମାରି ହତ୍ୟା କରାଯିବା ପରେ  ସେହି ବର୍ଷ ୧୭ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଥିଲେ ଖ୍ୱଜା ନଜୀମୁଦ୍ଦୀନ। ହେଲେ ୧୯୫୩ ମସିହା, ୧୭ ଅପ୍ରେଲରେ ତାଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା। 

ଏହା ପରେ ମୋହମ୍ମଦ ଅଲୀ ବୋଗରା ପାକିସ୍ତାନ ପ୍ରଧାନମନ୍ତ୍ରୀ ହୋଇଥିଲେ। ହେଲେ ୧୯୫୫ ମସିହାରେ ତତ୍କାଳୀନ ପାକିସ୍ତାନ ଗଭର୍ଣ୍ଣର ଜେନେରାଲ ତାଙ୍କୁ ପଦରୁ ହଟାଇଥିଲେ। ତାଙ୍କ ପରେ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଥିବା ମହମ୍ମଦ ଅଲୀଙ୍କୁ ୧୯୫୬ ମସିହାରେ ପଦ ଛାଡ଼ିବାକୁ ପଡି଼ଥିଲା। ୧୯୫୬ ମସିହାରୁ ୧୯୫୮, କେବଳ ଏହି ୨ ବର୍ଷ ମଧ୍ୟରେ ୪ ଜଣ ଲୋକ ପ୍ରଧାନମନ୍ତ୍ରୀ ପଦରେ ବସିଥିଲେ। ଅନ୍ୟପଟେ ୧୯୪୮ ମସିହାର ୧୯୫୮ ମଧ୍ୟରେ ୭ ଜଣ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଥିଲେ। ଯଦି ସେମାନଙ୍କର କାର୍ଯ୍ୟକାଳକୁ ଦେଖାଯାଏ ତାହେଲେ ଜଣେ ପ୍ରଧାନମନ୍ତ୍ରୀ ବର୍ଷେ ପାଞ୍ଚ ମାସ ପାଇଁ ଏହି ପଦରେ ଥିଲେ। 

Also Read: ଗାଦି ଛାଡିବା ପୂର୍ବରୁ ଆମେରିକା ବିରୋଧରେ ବର୍ଷିଲେ ଇମ୍ରାନ ଖାନ; ଉଠାଇଲେ କାଶ୍ମୀର ପ୍ରସଙ୍ଗ

୧୯୫୮ ମସିହାରେ ପାକିସ୍ତାନରେ ଲାଗୁ ହୋଇଥିଲା ସାମରିକ ଶାସନ। ଯାହା ୧୯୭୧ ମସିହା ପର୍ଯ୍ୟନ୍ତ ପ୍ରାୟ ୧୩ ବର୍ଷ ଧରି ଜାରି ରହିଥିଲା। ହେଲେ ୧୯୭୧ ମସିହାରେ ନୁରୂଲ ଇସଲାମ କେବଳ ୧୩ ଦିନ ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ସ୍ୱଳ୍ପ ସମୟ ପାଇଁ ଏହି ପଦରେ ବସିଥିବା ନୁରୂଲ ଦେଶର ଅଷ୍ଟମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।   

ରାଷ୍ଟ୍ରପତି ପଦ ଛାଡି ଜୁଲଫୀକର ଅଲି ଭୁଟ୍ଟୋ ୧୯୭୩ ମସିହାରେ ପାକିସ୍ତାନର ନବମ ପ୍ରଧାନମନ୍ତ୍ରୀ ହୋଇଥିଲେ ହେଲେ ତାଙ୍କ ସରକାର ମଧ୍ୟ ୪ ବର୍ଷ ପୂର୍ବରୁ ଗାଦିଚ୍ୟୁତ ହୋଇଥିଲା। ଜେନେରାଲ ଜିଆ ୧୯୯୭ ମସିହାରେ ଦେଶର ଶାସନ କ୍ଷମତା ନିଜ ହାତକୁ ନେବା ସହ  ଭୁଟ୍ଟୋ ସରକାରକୁ ହଟାଇଥିଲେ। ଏହା ପରେ ମହମ୍ମଦ ଖାନ ଜୁନେଜୋ ୧୯୮୫ ମସିରେ ପାକିସ୍ତାନର ଦଶମ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ତିନି ବର୍ଷରୁ ଅଧିକ ସମୟ ଧରି ଜୁନେଜୋ ଏହି ପଦରେ ରହିଥିଲେ।

୧୯୮୮ ମସିହାରେ  ପାକିସ୍ତାନ ରାଜନୀତିରେ ଆସିଥିଲା ଏକ ପରିବର୍ତ୍ତନ। ବେନଜିର ଭୁଟ୍ଟୋ ହୋଇଥିଲେ ଦେଶର ପ୍ରଥମ ମହିଳା ତଥା ଏକାଦଶ (୧୧) ପ୍ରଧାନମନ୍ତ୍ରୀ। ହେଲେ ସେ କେବଳ ବର୍ଷେ ଆଠ ମାସ ପାଇଁ ଏହି ପଦରେ ରହିଥିଲେ। ୧୯୯୦ ମସିହାରେ ଦେଶର ଦ୍ୱାଦଶ (୧୨) ପ୍ରଧାନମନ୍ତ୍ରୀ ହୋଇଥିଲେ ନୱାଜ ସରିଫ୍। ହେଲେ ୧୯୯୩ ଏପ୍ରିଲରେ ନୱାଜ ସରକାରକୁ ଗାଦିଚ୍ୟୁତ କରିଥିଲେ ତତ୍କାଳୀନ ପାକିସ୍ତାନୀ ରାଷ୍ଟ୍ରପତି ଗୁଲାମ ଇସାକ ଖାନ।    

Also Read: କିଏ ହେବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ?

୧୯୯୩ ମସିହାରେ, ପୁଣି ଥରେ ପାକିସ୍ତାନ ପ୍ରଧାନମନ୍ ହୋଇଥିଲେ ବେନଜିର ଭୁଟ୍ଟୋ। ହେଲେ ୧୯୯୬ ନଭେମ୍ବରରେ ରାଷ୍ଟ୍ରପତି ଫାରୁକ୍ ଲେଘାରୀ ଭୁଟ୍ଟୋଙ୍କୁ କ୍ଷମତାରୁ ହଟାଇ ଦେଇଥିଲେ। ଏହା ପରେ ୧୯୯୭ ମସିହାରେ ନୱାଜ ସରିଫ ପୁଣି ଥରେ କ୍ଷମତାକୁ ଫେରିଥିଲେ ହେଲେ ୧୯୯୯ ମସିହାରେ ଜେନେରାଲ ପରଭେଜ ମୁଶରଫ ତାଙ୍କ ସରକାରକୁ ହଟାଇ ଦେଶରେ ସାମରିକ ଶାସନ ଲାଗୁ କରିଥିଲେ।

୨୦୦୨ ମସିହାରେ ମୀର ଜଫରୁଲ୍ଲା ଖାନ ଜମାଲି ପାକିସ୍ତାନର ପଞ୍ଚଦଶ (୧୫) ପ୍ରଧାନମନ୍ତ୍ରୀ ହୋଇଥିଲେ ହେଲେ ସେ ୨୦୦୪ ଜୁନରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ପାକିସ୍ତାନୀ ସଂସଦ ଚୌଧୁରୀ ସୁଜାତ ସୁହୈତଙ୍କୁ (୧୬ ତମ) ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରିଥିଲା କିନ୍ତୁ ସେ ଏହି ପଦରେ ମାତ୍ର ୫୭ ଦିନ ପାଇଁ ରହିଥିଲେ। ୨୦୦୪ ଅଗଷ୍ଟରେ ଶୌକତ ଅଜିଜ ଦେଶର ସପ୍ତଦଶ (୧୬ ତମ) ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ହେଲେ ତାଙ୍କର କାର୍ଯ୍ୟକାଳ ମଧ୍ୟ ୩ ବର୍ଷ ୩ ମାସ ପର୍ଯ୍ୟନ୍ତ ଚାଲିଥିଲା। ଏହିପରି ଭାବରେ ସେ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ଯିଏ ସଂସଦର କାର୍ଯ୍ୟକାଳ ଶେଷ ହେବା ପରେ ଇସ୍ତଫା ଦେଇଥିଲେ।

୨୦୦୮ ବର୍ଷରେ  ଅନୁଷ୍ଠିତ ହୋଇଥିବା  ନିର୍ବାଚନରେ ​​ପାକିସ୍ତାନ ପିପୁଲ୍ସ ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିଥିଲା ​​ଏବଂ ୟୁସୁଫ ରାଜା ଗିଲାନି ପାକିସ୍ତାନର ଅଷ୍ଚାଦଶ (୧୮ ତମ) ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କର କାର୍ଯ୍ୟକାଳ ୪ ବର୍ଷ ୩ ମାସ ଧରି ଚାଲିଥିଲା। ହେଲେ ୨୦୧୨ମସିହାରେ ସୁପ୍ରିମକୋର୍ଟ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ପାକିସ୍ତାନ ଇତିହାସରେ ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀ ରହିଥିବା ବ୍ୟକ୍ତିଙ୍କ ତାଲିକାରେ ସାମିଲ ହୋଇଥିଲେ ଗିଲାନି। 

Also Read: ପାକିସ୍ତାନ ସଂସଦରେ ବାଜିଲା ସତର୍କ ଘଣ୍ଟି; ରବିବାର ସ୍ଥିର ହେବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଗ୍ୟ

ଗିଲାନୀଙ୍କ ପରେ ରାଜା ପରଭେଜ ଆଶରଫ୍ ପାକିସ୍ତାନର ୧୯ ତମ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ପ୍ରାୟ ୯ ମାସ ପର୍ଯ୍ୟନ୍ତ ଦେଶ ଶାସନ କରିଥିଲେ। ପୁନର୍ବାର ନିର୍ବାଚନରେ ​​ଜିତିବା ପରେ ନୱାଜ ସରିଫ ୨୦୧୩ ଜୁନରେ କ୍ଷମତାକୁ ଫେରିଥିଲେ। ହେଲେ ୨୦୧୭ ଜୁଲାଇରେ ପାନାମା ପେପର ଲିକ୍ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଏପରି ଭାବେ ସରିଫଙ୍କ ୪ ବର୍ଷ ୨ ମାସର ୨୦ ତମ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ଶେଷ ହୋଇଥିଲା। ତାଙ୍କ ପରେ ତାଙ୍କ ଦଳ ଶାହିଦ ଖକାନ ଆବ୍ବାସୀଙ୍କୁ ପ୍ରଧାନମନ୍ତ୍ରୀ ଇଯୁକ୍ତ କରିଥିଲା ଯିଏ ତାଙ୍କ ପଦରେ ୩୦୦ ଦିନ ପାଇଁ ରହିଥିଲେ। ଆବ୍ବାସୀ ଥିଲେ ପାକିସ୍ତାନର ୨୧ ତମ ପ୍ରଧାନମନ୍ତ୍ରୀ। ଏହା ପରେ ୨୦୧୮ ନିର୍ବାଚନରେ ବାଜିମାତ କରିବା ସହ ଦେଶର ୨୨ ତମ ପ୍ରଧାନମନ୍ତ୍ରୀ ହୋଇଥିଲେ ଇମ୍ରାନ ଖାନ। 

ଧର୍ମ ଆଧାରରେ ଏକ ସ୍ୱତନ୍ତ୍ର ଭାବେ ଗଠିତ ହୋଇଥିବା ପାକିସ୍ତାନ ଭଳି ଦେଶରେ ଅନେକ ସମୟରେ ସାମରିକ ଶାସନ ଲାଗୁ ହୋଇଛି। ଦେଶର ୭୫ ବର୍ଷର ଇତିହାସରେ ଲାଗତାର ବାବେ ଏକ ଦଶନ୍ଧି ଧରି ଦେଶର ଶାସନ କ୍ଷମତା ନିଜ ଦଖଲରେ ରଖିଛି ପାକିସ୍ତାନୀ ସେନା। ପ୍ରଥମେ ୧୯୫୮-୧୯୭୧, ୧୯୭୭-୧୯୮୮, ୧୯୯୯-୨୦୦୮ ପର୍ଯ୍ୟନ୍ତ ଦେଶର ଘଣତନ୍ତ୍ରକୁ ଦମନ କରି କ୍ଷମତାରେ ରହିଥିଲା ପାକିସ୍ତାନ ସେନା। ଏହା ବ୍ୟତୀତ ୧୯୫୧, ୧୯୮୦, ୧୯୯୫ ମସିହାରେ ପାକିସ୍ତାନୀ ସେନା କ୍ଷମତା ଦଖଲ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ବିଫଳ ହୋଇଥିଲା। କେବଳ ଏତିକି ନୁହେଁ ୧୯୫୩-୫୪ ମସିହାରେ ପାକିସ୍ତାନ ରାଷ୍ଟ୍ରପତି ଥରେ ସାମ୍ବିଧାନିକ କ୍ଷମତା ପରିବର୍ତ୍ତନ କରିଥିଲେ।