ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ, ରୋହିତ ଶର୍ମାଙ୍କୁ ବିଶ୍ରାମ
Advertisement

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ, ରୋହିତ ଶର୍ମାଙ୍କୁ ବିଶ୍ରାମ

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ)ର ଚୟନ କମିଟି ସୋମବାର ସ୍କୁଆର୍ଡ ଘୋଷଣା କରିଛି।

ଭିଡିଓ ଗ୍ରାବ

ନୂଆଦିଲ୍ଲୀ: ଆସନ୍ତାମାସରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଟିମ ଇଣ୍ଡିଆ। ସେଠାରେ ଟି-୨୦, ଦିନିକିଆ ଓ ଟେଷ୍ଟ ସିରିଜ ଖେଳିବାର ଯୋଜନା ରହିଛି। ଏଥିପାଇଁ ସୋମବାର ବିସିସିଆଇ ଏହି ସମସ୍ତ ଫର୍ମାଟର ପ୍ଲେୟାର ଲିଷ୍ଟ ଘୋଷଣା କରିଛି। କିନ୍ତୁ ଏଥର ତାଲିକାରୁ ବାଦ ପଡିଛନ୍ତି ରୋହିତ ଶର୍ମା।

ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ୩ଟି ମ୍ୟାଚ୍ ବିଶିଷ୍ଟ ଟି-୨୦, ସମାନ ସଂଖ୍ୟକ ଦିନିକିଆ ଓ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ତେବେ ବର୍ତ୍ତମାନ ସୁଦ୍ଧା ଭ୍ରମଣ କାର୍ଯ୍ୟସୂଚୀ ଚୂଡାନ୍ତ ହୋଇନାହିଁ। ସେପଟେ ଭାରତର ସୀମିତ ଓଭର ଉପ ଅଧିନାୟକ ତଥା ଭେଟେରାନ ଓପନର୍ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତ ପାଇଁ ମନୋନୀତ ହୋଇଥିବା ୩ଟି ଫର୍ମାଟରୁ ବାଦ ପଡିଛନ୍ତି।

ଆଇପିଏଲ ସମୟରେ ରୋହିତ ଆହତ ହୋଇଛନ୍ତି। ଆଘାତ ହେତୁ ରୋହିତ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ଖେଳି ପାରିବେ ନାହିଁ। ରୋହିତଙ୍କ ଅନୁପସ୍ଥିତିରେ କେ.ଏଲ୍ ରାହୁଲ ଡେପୁଟି କ୍ୟାପଟେନର ଦାୟିତ୍ୱ ନେବେ। ସେପଟେ ଆହତ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଏବଂ ରୋହିତଙ୍କ ଉପରେ  ବିସିସିଆଇ ମେଡିକାଲ ଦଳ ନଜର ରଖିଛନ୍ତି।

ଏଥର ଭାରତୀୟ ଟି-୨୦ ଦଳରେ ବରୁଣ ଚକ୍ରବର୍ତ୍ତୀଙ୍କ ବ୍ୟତୀତ କୌଣସି ନୂଆ ଚେହେରାଙ୍କୁ ସୁଯୋଗ ମିଳିନାହିଁ । ଚଳିତ ଆଇପିଏଲ ସିଜିନରେ ବରୁଣ ଏପର୍ଯ୍ୟନ୍ତ ୧୩ଟି ୱିକେଟ୍ ନେଇଛନ୍ତି। ଯେଉଁଥିରେ ଗୋଟିଏ ମ୍ୟାଚରେ ୫ଟି ୱିକେଟ୍ ନେଇବାର ରେକର୍ଡ ରହିଛି। ସେପଟେ ଟେଷ୍ଟ ଦଳରେ ମହମ୍ମଦ ସିରାଜ ୫ମ ଦ୍ରୁତ ବୋଲର ହେବେ।

ଏପର୍ଯ୍ୟନ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ଅଷ୍ଟ୍ରେଲିଆ ଗସ୍ତ ସମୟରେ ପ୍ରଥମ ଦୁଇଟି ଦିନିକିଆ ୨୭ ଏବଂ ୨୯ ନଭେମ୍ବରରେ ସିଡନୀରେ ହେବ। ଏହା ପରେ ଶେଷ ଦିନିକିଆ ଡିସେମ୍ବର ପହିଲାରେ ଓଭାଲରେ ଖେଳାଯିବ। ସେହିପରି ପ୍ରଥମ ଟି-୨୦ କାନବେରାରେ ଡିସେମ୍ବର ୪, ଶେଷ ଦୁଇଟି ସିଡନୀରେ ୬ ଓ ୮ ଡିସେମ୍ବରରେ ଅନୁଷ୍ଠିତହେବ।

ସେହିପରି ପିଙ୍କ ବଲ ଟେଷ୍ଟ ୧୭ ରୁ ୨୧ ଡିସେମ୍ବର ପର୍ଯ୍ୟନ୍ତ ଆଡିଲେଡରେ ଖେଳାଯିବ। ଯଦି କୋଭିଡ ପାଇଁ ମେଲବୋର୍ଣ୍ଣରେ ମ୍ୟାଚ୍ ଆୟୋଜନ କରିବାକୁ ଅନୁମତି ନମିଳେ, ତେବେ ୨୬ ଡିସେମ୍ବରରୁ ହେବାକୁ ଥିବା ବକ୍ସିଂ ଡେ ଟେଷ୍ଟ ମଧ୍ୟ ଆଡିଲେଡରେ ଖେଳାଯିବାର ସମ୍ଭାବନା ରହିଛି।

ସିଡନୀରେ ନୂତନ ବର୍ଷର ଟେଷ୍ଟ ମ୍ୟାଚ୍ 7 ରୁ 11 ଜାନୁୟାରୀକୁ ବୃଦ୍ଧି କରାଯାଇଛି, ଏହା ପରେ ଦଳଗୁଡିକ ଜାନୁଆରୀ 15 ରୁ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ପାଇଁ ବ୍ରିସବେନ୍ (15–19 ଜାନୁଆରୀ) ରେ ପହଞ୍ଚିବେ |

ଟିମ୍ ଇଣ୍ଡିଆ (ଟି-୨୦)

ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ମୟଙ୍କ ଅଗ୍ରୱାଲ, କେଏଲ୍ ରାହୁଲ (ଉପ ଅଧିନାୟକ ତଥା ୱିକେଟ୍ କିପର), ମହମ୍ମଦ ସାମି, ଶ୍ରେୟସ୍ ଆୟର୍, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ୍, ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମ୍ରା, ନବଦୀପ ସାଇନି, ଦୀପକ ଚହର, ବରୁଣ ଚକ୍ରବର୍ତ୍ତୀ।

ଟିମ୍ ଇଣ୍ଡିଆ (ଦିନିକିଆ)

ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ଶୁଭମାନ ଗିଲ, କେ.ଏଲ୍ ରାହୁଲ (ଉପ ଅଧିନାୟକ ତଥା ୱିକେଟ୍ କିପର), ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ, ରବିନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା, ମହମ୍ମଦ ସାମି, ନବଦୀପ ସାଇନି, ଶାର୍ଦ୍ଦୁଲ ଠାକୁର।

ଟିମ୍ ଇଣ୍ଡିଆ (ଟେଷ୍ଟ)

ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରୱାଲ, ପୃର୍ଥ୍ୱୀ ଶ, କେ.ଏଲ୍ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), ହନୁମା ବିହାରୀ, ଶୁଭମନ ଗିଲ, ରିଦ୍ଧିମାନ ସାହା (ୱିକେଟ୍ କିପର), ଋଷଭ ପନ୍ତ, ଜସପ୍ରୀତ ବୁମ୍ରା, ମହମ୍ମଦ ସାମି, ଉମେଶ ଯାଦବ, ନବଦୀପ ସାଇନି, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ଆର. ଅଶ୍ୱିନ୍, ମହମ୍ମଦ ସିରାଜ। 

ଏହା ବ୍ୟତୀତ ଚାରିଜଣ ଅତିରିକ୍ତ ବୋଲରଙ୍କୁ ମଧ୍ୟ ଟିମରେ ସାମିଲ କରାଯାଇଛି। ସେମାନେ ହେଲେ- କମଲେଶ ନାଗରକୋଟି, କାର୍ତ୍ତିକ ତ୍ୟାଗୀ, ଇଶାନ ପୋରେଲ ଏବଂ ଟି.ନାଟାରାଜନ। ଏମାନେ ଭାରତୀୟ ଦଳ ସହ ଅଷ୍ଟ୍ରେଲିଆ ଯାତ୍ରା କରିବେ।