ପୋସ୍କୋ ଦୁର୍ଦ୍ଦଶା ଭୋଗିବେନି ତ ମିତ୍ତଲ ?
Advertisement

ପୋସ୍କୋ ଦୁର୍ଦ୍ଦଶା ଭୋଗିବେନି ତ ମିତ୍ତଲ ?

ଚୁକ୍ତି ଅନୁଯାୟୀ ରାଜ୍ୟରେ ବାର୍ଷିକ ୫୦ ହଜାର କୋଟି ଟଙ୍କା ବିନିଯୋଗ କରିବେ ଶିଳ୍ପପତି ଆର୍ସେଲାର ମିତ୍ତଲ । 

ପୋସ୍କୋ ଦୁର୍ଦ୍ଦଶା ଭୋଗିବେନି ତ ମିତ୍ତଲ ?

ନୂଆଦିଲ୍ଲୀ: ରାଜ୍ୟରେ ଗଢି ଉଠିବ ନୂଆ ଶିଳ୍ପ। ଗତକାଲି ରାଜ୍ୟ ସରକାରଙ୍କ ସହିତ ଶିଳ୍ପପତି ଆର୍ସେଲର ମିତ୍ତଲ ବୃହତ୍ତ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଚୁକ୍ତି କରିଛନ୍ତି । ରାଜ୍ୟବାସୀଙ୍କ ପାଇଁ ଏହା ନିଶ୍ଚିତ ଖୁସି ଖବର। ସେପଟେ ପ୍ରବାଦ ପୁରୁଷ ବିଜୁବାବୁଙ୍କ କର୍ମଭୂମି କେନ୍ଦ୍ରାପଡ଼ାରେ ଏହି କାରଖାନା ପ୍ରତିଷ୍ଠା ନେଇ ଘୋଷଣା ହେବା ପରେ ରାଜ୍ୟବାସୀଙ୍କ ଖୁସିକୁ ଦ୍ୱିଗୁଣିତ କରିଛି । ଜିଲ୍ଲାର ରୋଜଗାରର ପରିସୀମା ମଧ୍ୟ ବୃଦ୍ଧି ହେବ । 

ଚୁକ୍ତି ଅନୁଯାୟୀ ରାଜ୍ୟରେ ବାର୍ଷିକ ୫୦ ହଜାର କୋଟି ଟଙ୍କା ବିନିଯୋଗ କରିବେ ଶିଳ୍ପପତି ଆର୍ସେଲାର ମିତ୍ତଲ । ସେହିପରି ବାର୍ଷିକ ୧୨ ନିୟୁତ ଟନ ବୃଦ୍ଧି ନେଇ ମଧ୍ୟ ଚୁକ୍ତି ହୋଇଛି । ଏହି ଖବର ପ୍ରତିଟି ରାଜ୍ୟବାସୀଙ୍କ ପାଇଁ ଯେତିକି ଖୁସିର ଖବର ତାଠାରୁ ବଳିକି ଆଶ୍ୱସ୍ତିକର ଖବର ମଧ୍ୟ । ଆଶ୍ୱସ୍ତିକର ଖବର ଏଥିପାଇଁ ଯେ, ପ୍ରଥମତଃ ଶିଳ୍ପବିହୀନ ରାଜ୍ୟ ତାଲିକାରୁ କେନ୍ଦ୍ରାପଡ଼ାର ନାଁଟି କଟିବାକୁ ଯାଉଛି । ଦ୍ୱିତୀୟତଃ ନିକଟ ଅତୀତରେ ପୋସ୍କୋ ଘା'ର ଭରଣା ମଧ୍ୟ କରିବ ଏହି ଇସ୍ପାତ କାରଖାନାଟି । 

ସେ ଯାହାବି ହେଉ ରାଜ୍ୟରେ ଶିଳ୍ପଟି ହେଲେ ବେକାରୀଙ୍କ ପାଇଁ ନିଶ୍ଚିତ ଭାବେ ରୋଜଗାରର ମାଧ୍ୟମ ଖୋଲିବ । ସେ ସିଧାସଳଖ ହେଉ ଅବା ପରୋକ୍ଷରେ । ଦୁଇ ଟଙ୍କା ରୋଜଗାରର ପସରା ଖୋଲିବ ରାଜ୍ୟର ବେକାରୀ । ତେବେ ଏହି ଯେଉଁ ପୋସ୍କୋ ଘା' କଥା ଉଠୁଛି, ତାହାକୁ ଏହି ଶିଳ୍ପ ଅନୁଷ୍ଠାନଟି କ୍ଷତ ଭରିବ ନାଁ ଦ୍ୱିଗୁଣିତ କରିବା ତାହା ଆଲୋଚନା ସାପେକ୍ଷ । 

ଆସିବା ମୂଳ ପ୍ରସଂଗକୁ । ୨୦୦୫ ମସିହାରେ ଶିଳ୍ପ ଗଢିବାର ସ୍ୱପ୍ନ ନେଇ ବିଦେଶୀ କମ୍ପାନୀ ରାଜ୍ୟ ସରକାରଙ୍କ ସହିତ ଚୁକ୍ତି କରିଥିଲେ । ଆଉ ସେହି ସମୟରେ ମୁଖ୍ୟମନ୍ତ୍ରୀ ଥିଲେ ବର୍ତ୍ତମାନର ବିଜେଡ଼ି ଛାମୁ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ବାବୁଙ୍କ ନେତୃତ୍ୱରେ ସେତେବେଳେ ମଧ୍ୟ ପୋସ୍କୋ ଅଧିକାରୀ ଚୁକ୍ତି କରିଥିଲେ । ପାରାଦୀପ ବନ୍ଦରର ଲୋଭ ଦେଖାଇ ଜଗତସିଂହପୁରରେ ଶିଳ୍ପ ଗଢିବାର ପ୍ରସ୍ତାବ ଦେଇଥିଲେ ରାଜ୍ୟ ସରକାର । 

ଚୁକ୍ତି ସମୟରେ ପୋକ୍ସୋ ପାଖାପାଖି ବାର୍ଷିକ ୬୦ ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା କରିଥିଲା । ଏହା ସହିତ ସମାନ୍ତରାଳ ଭାବେ ୧୨ରୁ ୧୪ ନିୟୁତ ଟନ ଇସ୍ପାତ ମଧ୍ୟ ଉତ୍ପାଦନ କରିବାକୁ ଲକ୍ଷ ରଖିଥିଲା। ଏପର୍ଯ୍ୟନ୍ତ ସବୁ କିଛି ଠିକଠାକ ରହିଥିଲା । କିନ୍ତୁ ସମସ୍ୟା ସେତେବେଳେ ମୁଣ୍ଡ ଟେକିଲା ଯେତେବେଳେ ଜମି ଅଧିଗ୍ରହଣ କରିବାର ସମୟ ଆସିଥିଲା। ସରକାର ଜମି ଅଧିଗ୍ରହଣ କରିବାକୁ ପ୍ରୟାସ କରିଥିଲେ। ଆଉ ଅନ୍ୟପଟେ ପୋସ୍କୋ ବିରୋଧି ଓ ସପକ୍ଷବାଦୀ ଭାବେ ଦୁଇଟି ଗୋଷ୍ଠୀ ଜନ୍ମ ନେଇଥିଲା। ବିପକ୍ଷବାଦୀମାନେ କଡ଼ା ବିରୋଧ କରିଥିଲେ ପୋସ୍କୋକୁ । ଜିଲ୍ଲାରେ ଏହି ଶିଳ୍ପାନୁଷ୍ଠାନକୁ ପୁରାଇ ନ ଦେବାକୁ ଏକ ପ୍ରକାର ଜିଦ କରିନେଇଥିଲେ । ଘୋର ବିରୋଧର ଉଭୟ ପୋସ୍କୋ ଓ ସରକାର ସମ୍ମୁଖିନ ହୋଇଥିଲେ । 

କଡ଼ା ବିରୋଧର ସମ୍ମୁଖିନ ହେବା ସତ୍ତ୍ୱେ ସରକାର ପାଖାପାଖି ୩୦୦୦ ଏକର ଜାଗା ଅଧିଗ୍ରହଣ କରିନେଇଥିଲେ । ଆଉ ସୁନିଶ୍ଚିତ ରୋଜଗାରର ପ୍ରତିଶୃତି ଦେଇଥିଲେ ସରକାର । ତେବେ ଏହି ଜାଗା ଅଧିଗ୍ରହଣ କରିବାକୁ ପାଖାପାଖି ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଲାଗିଥିଲା ସରକାରଙ୍କୁ । ସମୟର ଅହେତୁକ ବିଳମ୍ବ ଓ କଡ଼ା ବିରୋଧକୁ ସମ୍ଭାଳି ନପାରି ପୋସ୍କୋ ୨୦୧୭ ମସିହାରେ ଓଡ଼ିଶାରୁ ବିଦାୟ ନେଇଥିଲେ । ଏହା ସହିତ ମଉଳି ଯାଇଥିଲା ରୋଜଗାର ଆଶାରେ ରହିଥିବା ବେକାରୀଙ୍କ ସ୍ୱପ୍ନ ।

ଏଥର କିନ୍ତୁ ରାଜ୍ୟ ସରକାର ମିତ୍ତଲଙ୍କୁ ଜଗତସିଂହପୁର ବଦଳରେ କେନ୍ଦ୍ରାପଡ଼ାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଜିଲ୍ଲାର ପଡ଼ୋଶୀ ଜଗତସିଂହପୁର ଓ ଭଦ୍ରକ ଜିଲ୍ଲା। ଉଭୟ ଜିଲ୍ଲାରେ ଜଳପଥ ଭାବେ ବନ୍ଦର ରହିଛି । ଜଗତସିଂହପୁରରେ ପାରାଦ୍ୱୀପ ବନ୍ଦର ଓ ଭଦ୍ରକରେ ଧାମରା ବନ୍ଦର। ସେହିପରି ନିକଟରେ ରେଳପଥ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲାକୁ ଛୁଇଁଛି । ଯାତାୟତ ଓ ପଣ୍ୟ ପରିବହନ ପାଇଁ ସମସ୍ତ ସୁବିଧା ଏକ ପ୍ରକାର ରହିଛି । କିନ୍ତୁ ପ୍ରଶ୍ନ ଉଠୁଛି ପୋକ୍ସୋ ସମସ୍ୟା ମିତ୍ତଲ ଭୋଗିବେନି ତ ? କାରଣ ଜମି ଅଧିଗ୍ରହଣ ସମସ୍ୟା ଯେ ମୂଳ ପ୍ରସଙ୍ଗ ନ ହେବ ତାହାକୁ ଏଡ଼ାଇ ଦିଆଯାଇପାରେ ନାହିଁ । 

ଏହାର କାରଣ ମଧ୍ୟ ବେଶ ଦୃଢ । କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାକୃତିକ ପରିବେଶ ସାଙ୍ଗକୁ ପର୍ଯ୍ୟଟନର ପର୍ଯ୍ୟାପ୍ତ ସୁଯୋଗ ରହିଛି । ଭିତରକନିକା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରାକୃତିକ ପରିବେଶରେ ଭରପୁର । ଜିଲ୍ଲାବାସୀ ମଧ୍ୟ ଏକ ପ୍ରକାର ଶାନ୍ତିପ୍ରିୟ। ତେବେ ଶିଳ୍ପ ସୃଷ୍ଟି ହେଲେ ଏସବୁ ଯେ ସିଧାସଳଖ ପ୍ରଭାବିତ ନ ହେବ ତାହା କହିହେବ ନାହିଁ । ତେବେ ସେ ଯାହା ହେଉ ଏହି ଶିଳ୍ପ ପ୍ରତିଷ୍ଠା ପୂର୍ବରୁ ଯେପରି ସମସ୍ୟା ମୁଣ୍ଡ ନ ଟେକିବ ତାହା କହି ହେବ ନାହିଁ । ଏପରିକି ଗୋଷ୍ଠୀବାଦୀ ରାଜନୀତିର ବୁଢିଆଣୀ ଜାଲରେ ଶିଳ୍ପପତି ମିତ୍ତଲ ଛନ୍ଦି ହେବେ କି ନାହିଁ ତାହା ସମୟ କହିବ ।