)
ନୂଆଦିଲ୍ଲୀ: ତାମିଲନାଡୁ କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣାରେ ଜଣେ ଓଡ଼ିଆ ଯବାନ ଶହୀଦ ହୋଇଛନ୍ତି। ନିହତ ଯବାନଙ୍କ ନାମ ରାଣା ପ୍ରତାପ ଦାସ। ଟ୍ୱିଟ କରି ଶହୀଦ ରାଣା ପ୍ରତାପଙ୍କ ଭିଣୋଇ ସଂକଳ୍ପ ଦାସ ଏହି ସୂଚନା ଦେଇଛନ୍ତି।
ବୁଧବାର ତାମିଲନାଡୁର ନୀଳଗିରି ଜଙ୍ଗଲରେ ବାୟୁସେନାର ଏମଆଇ-୧୭ଭି୫ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସିଡିଏସ୍ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ବାୟୁସେନାର ଓଡିଆ ଯବାନ ରାଣା ପ୍ରତାପ ଦାସ ମଧ୍ୟ ଅଛନ୍ତି। ରାଣା ପ୍ରତାପଙ୍କ ଘର ଅନୁଗୋଳର ତାଳଚେରର ଅନ୍ତର୍ଗତ କଣ୍ଡାଲ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁରରେ ବୋଲି ସୂଚନା ମିଳିନାହିଁ। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।
ମିଳିଥିବା ଖବର ଅନୁସାରେ ରାଣା ପ୍ରତାପ ଦାସ ଗତ ୧୫ ବର୍ଷ ପୂର୍ବେ ଭାରତୀୟ ସେନାରେ ସାମିଲ ହୋଇଥିଲେ। ଆଉ ଏବେ ସେ ବାୟୁସେନାର ଜୁନିଅର ୱରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ। ରାଣା ତାଙ୍କ ପରିବାରର ଏକାମାତ୍ର ପୁଅ। ତିନି ବର୍ଷ ପୂର୍ବେ ରାଣାଙ୍କ ବିବାହ ହୋଇଥିଲା। ତାଙ୍କର ବର୍ଷକର ଏକ ପୁତ୍ର ସନ୍ତାନ ଅଛି। ନିକଟରେ ରାଣା ପ୍ରତାପ ଜୁନିଅର ୱରେଣ୍ଟ ଅଫିସର ଭାବେ ପଦନ୍ନୋତି ହୋଇଥିଲା ଆଉ ତାମିଲନାଡୁରେ ତାଙ୍କର ପୋଷ୍ଟିଂ ହୋଇଥିଲା।

ରାଣା ପ୍ରତାପଙ୍କ ମୃତ୍ୟୁ ଖବର ଗତକାଲି ତାଙ୍କ ପତ୍ନୀ ପରିବାର ଲୋକଙ୍କୁ ଜଣାଇଥିଲେ। ରାଣା ପ୍ରତାପ ପତ୍ନୀ ଓ ଏକ ବର୍ଷର ଶିଶୁପୁତ୍ର ସହ ଦିଲ୍ଲୀରେ ରହୁଥିଲେ। ତାଙ୍କ ବାପା-ମା ଗାଁରେ ରହୁଛନ୍ତି। କିଛି ଦିନ ପୂର୍ବେ ରାଣାଙ୍କ ବାପାଙ୍କର ମୁଣ୍ଡ ଅପରେସନ ହୋଇଛି। ତେବେ ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ମୃତଦେହକୁ ଦିଲ୍ଲୀ ନିଆଯିବ। ଡିଏନଏ ରିପୋର୍ଟ ଆସିଲେ ମୃତକ ଚିହ୍ନଟ ହେବା ପରେ ପରିବାର ଲୋକଙ୍କୁ ପାର୍ଥିକ ଶରୀର ହସ୍ତାନ୍ତର କରାଯିବ।
ସୂଚନାଯୋଗ୍ୟ, ହେଲିକେପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା, ବ୍ରିଗେଡିଅର ଏଲଏସ ଲିଦର, ଲେପ୍ଟନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂ, ନାୟକ ଗୁରୁସେବକ ସିଂହ, ନାୟକ ଜିତେନ୍ଦ୍ର କୁମାର, ଲାନ୍ସ ନାୟକ ବିବେକ କୁମାର, ଲାନ୍ସ ନାୟକ ବି. ସାଇତେଜା ଏବଂ ହାବିଲଦାର ସତପାଲଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ବ୍ୟତୀତ ଚାରି ଜଣ କ୍ରିୟୁ ମେମ୍ବରଙ୍କ ମଧ୍ୟରୁ ୩ ଜଣଙ୍କର (ୱିଙ୍ଗ କମାଣ୍ଡର ପିଏସ୍ ଚୌହାନ, କେ ସିଂହ, ପ୍ରଦୀପ ଏ) ମୃତ୍ୟୁ ହୋଇଥିବା ବେଳେ ଜଣେ ପାଇଲଟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଘଟଣାର ତଦନ୍ତ ପାଇଁ ଏୟାର ମାର୍ସଲ ନମଭେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ହେଲିକେପ୍ଟରର Flight Data Recorder ଓ Cockpit Voice Recorder ମଧ୍ୟ ଉଦ୍ଧାର କରାଯାଇଛି।
