ଏ ପ୍ରସଙ୍ଗରେ ମତ ରଖି ବିଭାଗୀୟ ମନ୍ତ୍ରୀ କହିଛନ୍ତି ଚଳିତବର୍ଷ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି।
Trending Photos
ମଳୟ ରଞ୍ଜନ ମହାନ୍ତି,ଭୁବନେଶ୍ୱର: ଧାନ ମଣ୍ଡି ସମସ୍ୟା ନେଇ ପୁଣି ଗୃହରେ ହୋଇଛି ହଙ୍ଗାମା। ବିରୋଧି ବିଜେପି-କଂଗ୍ରେସ ଏ ପ୍ରସଙ୍ଗରେ ଆଲୋଚନା ଦାବି କରି ଗୃହରେ ହୋହାଲ୍ଲା କରିଛନ୍ତିl ବିରୋଧିଙ୍କ ହୋହାଲ୍ଲା ଭିତରେ ବାଚସ୍ପତିଙ୍କ ରୁଲିଂ ଅନୁସାରେ ଗୃହରେ ଏନେଇ ବିବୃତି ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।
ଏ ପ୍ରସଙ୍ଗରେ ମତ ରଖି ବିଭାଗୀୟ ମନ୍ତ୍ରୀ କହିଛନ୍ତି ଚଳିତବର୍ଷ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ଚଳିତବର୍ଷ ୫୫.୦୩ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି। ଗତବର୍ଷ ୪୫.୬୧ ଲକ୍ଷ ଟନ୍ ମେଟ୍ରିକ ଟନ୍ ସଂଗ୍ରହ ହୋଇଥିଲା। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ୨୧ ପ୍ରତିଶତ ଅଧିକ ଧାନ ସଂଗ୍ରହ କରାଯାଇଛି। ଏ ବର୍ଷ ଆସନ୍ତା ମାସ ୩୧ ତାରିଖ ଧାନ କିଣା (Paddy Preocurement) ଲାଗି ଶେଷ ତାରିଖ ରହିଥିବା ବେଳେ ଆଗକୁ ଆହୁରି ଧାନ କିଣାଯିବ ବୋଲି କହିଛନ୍ତି ମନ୍ତ୍ରୀ।
Also Read: କିଣା ଯାଉନାହିଁ ପଞ୍ଜୀକୃତ ଚାଷୀଙ୍କ ଧାନ, ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଲେଣି କୃଷକ
ଧାନ ସଂଗ୍ରହ ନେଇ ଯୋଗାଣ ମନ୍ତ୍ରୀଙ୍କ ବିବୃତି ପରେ ମଧ୍ୟ ଖୁସି ନାହାଁନ୍ତି ବିରୋଧି। ଗୃହ ବାହାରେ ବିରୋଧି ବିଜେପି ବିଧାୟକ ଗାଉନ ପିନ୍ଧି ପ୍ରତିବାଦ କରିଛନ୍ତି। ବିଜେପି ବିଧାୟକ କହିଛନ୍ତି ଅଧିକ ଧାନ ଅମଳ ହୋଇଥିବାରୁ ଅଧିକ ଧାନ ସଂଗ୍ରହ ହୋଇଛି। ହେଲେ ଏବେ ମଧ୍ୟ ପଶ୍ଚିମ ଓଡିଶାରେ ବିଭିନ୍ନ ମଣ୍ଡିରେ ଧାନ ପଡିରହିଛି। ବଳକା ଧାନ ଉଠାଣ ନେଇ ମନ୍ତ୍ରୀ ଗୃହରେ କୌଣସି ସ୍ପଷ୍ଟ ଭାବେ ଉତ୍ତର ରଖିନାହାଁନ୍ତି। ଯେପର୍ଯ୍ୟନ୍ତ ମଣ୍ଡିରୁ ସମସ୍ତ ଧାନ ଉଠିବ ନାହିଁ ସେ ଯାଏଁ ବିରୋଧ ଜାରି ରହିବ ବୋଲି କହିଛନ୍ତି ବିଜେପି ବିଧାୟକ।
Also Read: 'କୃଷି ଆଇନରେ କେଉଁଠି ଅଭାବ ରହିଛି ତାହା କଂଗ୍ରେସ କହୁ'
ମୋସନ ଆକାରରେ ମୁଲତବୀ ଅଣାଯାଇ ଗୋଟିଏ ଦିନ ଚାଷୀ ପ୍ରସଙ୍ଗରେ ଗୃହରେ ଆଲୋଚନା କରିବା ପାଇଁ ବିରୋଧି ଦାବି କରିଛନ୍ତି। ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରିଛନ୍ତି। ସରକାର ପଳାୟନପନ୍ଥୀ ସାଜି ଆଲୋଚନାକୁ ଭୟ କରୁଛନ୍ତି ବୋଲି କହିଛନ୍ତି ସେ।