ତିନୋଟି ଜିନିଷ ବେଶି ଦିନ ଲୁଚିପାରେ ନାହିଁ-ସୂର୍ଯ୍ୟ, ଚନ୍ଦ୍ର ଓ ଅନ୍ୟଟି...
Advertisement

ତିନୋଟି ଜିନିଷ ବେଶି ଦିନ ଲୁଚିପାରେ ନାହିଁ-ସୂର୍ଯ୍ୟ, ଚନ୍ଦ୍ର ଓ ଅନ୍ୟଟି...

ଗୌତମ ବୁଦ୍ଧଙ୍କ ବାଣୀରେ ମୋଦିଙ୍କୁ ଚେଙ୍କ !

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି ଗୁରୁପୂର୍ଣ୍ଣିମା । ଏହି ଅବସରରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତେବେ ରାହୁଲ ନିଜ ଅଭିନନ୍ଦନ ବାର୍ତ୍ତାରେ ଗୌତମ ବୁଦ୍ଧଙ୍କ ଏକ ବାଣୀକୁ ଟ୍ୱିଟ କରିଛନ୍ତି । ଯାହାକି ଏବେ ବେଶ ଗୁରୁତ୍ୱବହନ କରୁଛି । ଅଭିନନ୍ଦନ ବାର୍ତ୍ତା ମାଧ୍ୟମରେ ସରକାରଙ୍କୁ ରାହୁଲ ଯେ ଚେଙ୍କ ମାରିଛନ୍ତି, ଏଭଳି କିଛି ଚର୍ଚ୍ଚା ରାଜନୈତିକ ମହଲରେ ଜୋର ଧରିଛି । 

''ତିନୋଟି ଜିନିଷ ବେଶି ସମୟ ପର୍ଯ୍ୟନ୍ତ ଲୁଚି ରହିନଥାଏ । ସେଗୁଡ଼ିକ ହେଲା, ସୂର୍ଯ୍ୟ, ଚନ୍ଦ୍ର ଓ ସତ୍ୟ ।'' ଗୌତମ ବୁଦ୍ଧଙ୍କ ଏହି ବାଣୀକୁ ଆଜି ଟ୍ୱିଟ କରି ଗୁରୁପୂର୍ଣ୍ଣିମାର ଅଭିନନ୍ଦନ ଜଣାଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ । ଲଗାତାର କିଛି ଦିନ ହେଲା କୋରୋନା, ଅର୍ଥନୀତି ଓ ଚୀନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ହମଲା କରୁଆସୁଛନ୍ତି ରାହୁଲ । ଆଉ ଆଜି ରାହୁଲ 
ଅଭିନନ୍ଦନ ବାର୍ତ୍ତା ମାଧ୍ୟମରେ ସରକାରଙ୍କୁ ଟାର୍ଗେଟ କରିଥିବା କୁହାଯାଉଛି । 

କେନ୍ଦ୍ର ସରକାର ସବୁବେଳେ ସତ ଲୁଚାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଆସୁଛନ୍ତି ରାହୁଲ । ସିଏ ମାନ୍ଦାବସ୍ଥା ପ୍ରସଙ୍ଗ ହେଉ କିମ୍ବା କୋରୋନା ମୁକାବିଲା । ଗଲୱାନ ପ୍ରସଙ୍ଗରେ ମଧ୍ୟ ମୋଦି ସତ କହୁନଥିବା କହି ରାହୁଲ ଟାର୍ଗେଟ କରିଆସିଛନ୍ତି । ଆଉ ଆଜି ଅଭିନନ୍ଦନ ବାର୍ତ୍ତା ମାଧ୍ୟମରେ ରାହୁଲ ଏକଥା ସୂଚେଇ ଦେବାକୁ ଚାହିଁଛନ୍ତି ଯେ, ସତ ବେଶି ଦିନ ଲୁଚେଇ ହେବନାହିଁ । କେନ୍ଦ୍ର ସରକାର ଯଦି ସତ ଲୁଚାଇବାକୁ ଉଦ୍ୟମ କରିବେ, ତେବେ ସେଥିରେ କେବେ ସଫଳ ହେବେ ନାହିଁ । ଦିନେ ସତକୁ ସାମ୍ନା କରିବାକୁ ହିଁ ପଡ଼ିବ । ରାହୁଲଙ୍କ ଟ୍ୱିଟକୁ ରାଜନୈତିକ ମହଲରେ ଏମିତି ଢଙ୍ଗରେ ଆଲୋଚନା କରାଯାଉଛି ।