)
First Bus in Rajasthan: ଦୂର ହେଲା ସମସ୍ୟା । ପୂରଣ ହେଲା ଦୀର୍ଘ ଦିନର ସ୍ବପ୍ନ । ଏବେ ସରକାରୀ ବସର ଲାଭ ଉଠାଇବେ ରାଜସ୍ଥାନ ଝୁନଝୁନ୍ ଜିଲ୍ଲା କିଶୋରପୁରା ଗ୍ରାମବାସୀ । ବାସ୍ତବରେ, ଉପଯୁକ୍ତ ପରିବହନ ଅଭାବରୁ ଦୀର୍ଘ ବର୍ଷ ଧରି କିଶୋରପୁରା ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେବେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ରାଜସ୍ଥାନର ଏହି ଗାଁରେ ଗଡ଼ିଛି ସରକାରୀ ବସ । ଗାଁକୁ ବସ ଗଡ଼ିବା ପରେ ଗ୍ରାମବାସୀ ମାନେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଗାଁରେ ବସ ପହଞ୍ଚିବା ପରେ ଏହାକୁ ବାଜା ବଜାଇ ସ୍ୱାଗତ କରିଥିଲେ ଗ୍ରାମବାସୀ । ଏମିତି କି, ବସ ଡ୍ରାଇଭରଙ୍କୁ ମଧ୍ଯ ବେଶ ଧୁମଧାମରେ ସ୍ବାଗତ କରିଥିଲେ ଲୋକେ । ଏନେଇ ଗାଁ ଏକ ସ୍ବାଗତ କାର୍ଯ୍ୟକ୍ରମ ମଧ୍ଯ ଆୟୋଜିତ ହୋଇଥିଲା । ଗ୍ରାମବାସୀମାନେ ପରସ୍ପରକୁ ମିଠା ଖୁଆଇ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଛି । ଗାଁର ସରପଞ୍ଚ ମୋହନ ଲାଲ ଏହି ବସକୁ ସବୁଜ ସଙ୍କେତ ଦେଖାଇ ସ୍ବାଗତ କରିଥିଲେ ।
ବସ୍ର ରୁଟ୍ ସମ୍ପର୍କରେ ସୂଚନା ଦେବାକୁ ଯାଇ, ମାନବ ସେବା ସଂସ୍ଥାର ସଭାପତି ସୁରେଶ ମୀନା କହିଛନ୍ତି ଯେ, ରାଜସ୍ଥାନରେ ବିଦ୍ୟାଧର ନଗର ଡିପୋର ଏହି ବସ୍ କିଶୋରପୁରା ଗାଁ ବସଷ୍ଟାଣ୍ତରୁ ପ୍ରତିଦିନ ସକାଳ ୫: ୩୦ ମିନିଟ୍ ରେ ବାହାରି ଜୟପୁର ଅଭିମୁଖେ ଯିବ । ଏହି ବସ ଫେରିବା ସମୟରେ ଜୟପୁର କ୍ୟାମ୍ପ ବସଷ୍ଟାଣ୍ତରୁ ସନ୍ଧ୍ୟା ୫ଟା ୪୫ ମିନିଟ୍ ରେ ଛାଡିବ। ଏହି ବସ୍ ସାମୋଦ, ଅଜିତଗଡ ଥୋଇ, ଚଲା, ଗୁହାଲା, ତାଲ ଷ୍ଟାଣ୍ଡ ଦେଇ ମାବତା, ଜାହଜ, ଖୋହ, ଗୁଡ଼ା ଦେଇ କିଶୋରପୁରା ଗାଁରେ ପହଁଞ୍ଚିବ ।