Remedial Class: ପୁରୁଣା ପାଠର ହେବ Revision
ଆସନ୍ତା ୨୦୨୧-୨୨ ଶିକ୍ଷା ବର୍ଷ ଆରମ୍ଭର ୨-୩ ମାସ ପର୍ଯ୍ୟନ୍ତ ଚଳିତ ଅର୍ଥାତ ୨୦୨୦-୨୧ ଶିକ୍ଷାବର୍ଷ ଶ୍ରେଣୀର ପାଠ ପଢିବେ ଛାତ୍ରଛାତ୍ରୀ।
ଭୁବନେଶ୍ବର: ପୁରୁଣା ପାଠ ପଢିବେ ନୂଆ ପିଲା। ଆସନ୍ତା ୨୦୨୧-୨୨ ଶିକ୍ଷା ବର୍ଷ ଆରମ୍ଭର ୨-୩ ମାସ ପର୍ଯ୍ୟନ୍ତ ପୂର୍ବବର୍ଷର ପାଠ ପଢିବେ ଛାତ୍ରଛାତ୍ରୀ। ଏହା ଗଣଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଅଣ ଅନୁଦାନପ୍ରାପ୍ତ ଘରୋଇ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଲାଗୁ ହେବ। ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ ରିମେଡିଆଲ ଅଥବା ରିଭିଜନ କ୍ଲାସ୍ ହେବ।
ଚଳିତ ଶିକ୍ଷାବର୍ଷ କୋରୋନା ମହାମାରୀ କାରଣରୁ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେତୁ ସେମାନଙ୍କୁ ବିନା ପରୀକ୍ଷାରେ କ୍ଲାସ ପ୍ରମୋସନ (Class Promotion) କରାଯାଇଛି। ପୂର୍ବଶ୍ରେଣୀର ପାଠପଢାକୁ ରିକଲ୍ (Recall) କରିବା ଲାଗି ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୦୨୧-୨୨ ଶିକ୍ଷା ବର୍ଷ ଆରମ୍ଭର ୨-୩ ମାସ ପର୍ଯ୍ୟନ୍ତ ଚଳିତ ଅର୍ଥାତ ୨୦୨୦-୨୧ ଶିକ୍ଷାବର୍ଷ ଶ୍ରେଣୀର ପାଠ ପଢିବେ ଛାତ୍ରଛାତ୍ରୀ। ଚଳିତ ଶିକ୍ଷା ବର୍ଷ କୋରୋନା କଟକଣା ପାଇଁ ବର୍ଷ ତମାମ କ୍ଲାସ ହୋଇନଥିବା ବେଳେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ମାଧ୍ୟମରେ ପାଠ ପଢାଇବାକୁ ଉଦ୍ୟମ କରଯାଇଥିଲେ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀ ଏହାର ସୁବିଧା ପାଇନାହାଁନ୍ତି। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ବିନା ପରୀକ୍ଷାରେ ପରବର୍ତ୍ତୀ ଶ୍ରେଣୀକୁ ଉର୍ତ୍ତୀର୍ଣ୍ଣ କରିବା ଲାଗି ଘୋଷଣା ହୋଇସାରିଛି।
Also Read: ଖରା ଦେଖି ଛାନିଆ; ବଦଳିଲା ସ୍କୁଲ ସମୟ
ଏବେ ସ୍ଥିତିକୁ ପରିଲକ୍ଷିତ କରି ଆସନ୍ତା ଶିକ୍ଷାବର୍ଷ ଆରମ୍ଭର ପ୍ରଥମ ୨-୩ ମାସ ସେମାନଙ୍କୁ ରିମେଡିଆଲ କ୍ଲାସ୍ (Remedial) ଜରିଆରେ ପୂର୍ବବର୍ଷର ଗୁରୁତ୍ବପୂର୍ଣ୍ଣ ପାଠ ପୁନରାବୃତ୍ତି କରାଯିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଯାହା ଦ୍ବାରା ସେମାନେ ପୁରୁଣା ପାଠ୍ୟକ୍ରମରେ ସୁଦୃଢ ହୋଇପାରିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
Also Read: ଏଣିକି ଘରୋଇ ସ୍କୁଲରେ ପାଠପଢା ହେବ ସହଜ
ସେପଟେ ବିଭାଗର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଶିକ୍ଷାବିତ ଜଲିଲ୍ ଖାନ୍। ପୂର୍ବରୁ ଏପରି କୌଣସି ବ୍ୟବସ୍ଥା ନଥିବା ବେଳେ ଚଳିତ ଶିକ୍ଷାବର୍ଷରେ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଦ୍ୱାରା ପିଲାଙ୍କ ଦକ୍ଷତା ବୃଦ୍ଧି ହେବା ସାଙ୍ଗକୁ ପାଠପଢ଼ାର ଭିତ୍ତିଭୂମି ସୁଦୃଢ ହେବ ବୋଲି ସେ କହିଛନ୍ତି। ସେପଟେ ଅଭିଭାବକ ମଧ୍ୟ ଏହାକୁ ସ୍ବାଗତ କରିଥିବା ବେଳେ ସରକାରଙ୍କ ପକ୍ଷରୁ ଅନଲାଇନ୍ ପାଠପଢାର ଡିଣ୍ଡିମ ପିଟି କିଛି ନିର୍ଦ୍ଧିଷ୍ଟ ପ୍ରତିଶତ ପିଲାଙ୍କୁ ଛାଡି ଅନ୍ୟମାନଙ୍କ ପାଠପଢା ପ୍ରତି ଅବହେଳା କରିଥିବା ଅଭିଯୋଗ କରିଛନ୍ତି।
Also Read: ପିଲାଙ୍କ ହାତରେ ପରୀକ୍ଷା ଦର୍ପଣ, ଏଥର ବୋର୍ଡ ପରୀକ୍ଷା କସରତ୍
କୋଭିଡର ପ୍ରତିକୂଳ ପରିସ୍ଥିତି ଜାଣି ସୁଦ୍ଧା ଆବଶ୍ୟକୀୟ ଉପକରଣ ତଥା ଭିତ୍ତିଭୂମି ଅଭାବରୁ ଉଭୟ ଘରୋଇ ଏବଂ ସରକାରୀ ବିଦ୍ୟାଳୟରେ ଅଧିକାଂଶ ପିଲା ସମ୍ପୂର୍ଣ୍ଣ ପାଠପଢାରୁ ବାଦ୍ ପଡିଛନ୍ତି। ଏଥିପାଇଁ କ୍ଷମାପ୍ରାର୍ଥନା କରିବାକୁ ଦାବି କରିଛନ୍ତି ଅଭିଭାବକ ବାସୁଦେବ ଭଟ୍ଟ।
Also Read: ପରୀକ୍ଷା ପାଇଁ ସଜବାଜ; ଏକାଠି ହେଲେ ଅଭିଭାବକ-ଶିକ୍ଷକ
ପ୍ରତିବର୍ଷ ସ୍ବାଭାବିକ ଭାବେ ଖରାଛୁଟି ତଥା ରଜ ପରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହୁଏ। ସେତେବେଳର ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ଏହାସହ ଘରୋଇ ବିଦ୍ୟାଳୟ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଅନଲାଇନ ଶିକ୍ଷାଦାନ କରିଥିବାରୁ ସେମାନେ ଅନଲାଇନ ପରୀକ୍ଷା କରିପାରିବେ ବୋଲି କହିଛନ୍ତି।