ପିଲାଙ୍କ ହାତରେ ପରୀକ୍ଷା ଦର୍ପଣ, ଏଥର ବୋର୍ଡ ପରୀକ୍ଷା କସରତ୍
Advertisement
Article Detail0/zeeodisha/odisha852448

ପିଲାଙ୍କ ହାତରେ ପରୀକ୍ଷା ଦର୍ପଣ, ଏଥର ବୋର୍ଡ ପରୀକ୍ଷା କସରତ୍

ଏହାକୁ ପାଇବା ପରେ ସଞ୍ଜୀବନୀ ସଦୃଶ ପରୀକ୍ଷା ଦର୍ପଣକୁ ନେଇ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ କସରତ୍ ଆରମ୍ଭ କରିଦେଇଛନ୍ତି। 

ପିଲାଙ୍କ ହାତରେ ପରୀକ୍ଷା ଦର୍ପଣ, ଏଥର ବୋର୍ଡ ପରୀକ୍ଷା କସରତ୍

ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ପିଲାଙ୍କ ହାତରେ ପରୀକ୍ଷା ଦର୍ପଣ, ମୁହଁରେ ଖୁସି। ଏଥର ମାଟ୍ରିକ ପରୀକ୍ଷା ପାଇଁ କସରତ୍। ଆଶା ହାଲୁକା ହେବ ବୋର୍ଡ ପରୀକ୍ଷା ଚିନ୍ତା। ଚଳିତ ଶିକ୍ଷାବର୍ଷରେ କୋଭିଡ ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପ୍ରଥମ ଥର ପାଇଁ ସରକାରୀ ଟେଷ୍ଟ ପେପର ‘ପରୀକ୍ଷା ଦର୍ପଣ’ ପ୍ରଦାନ କରିଛନ୍ତି। 

ବର୍ତ୍ତମାନ ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ ଏହି ପୁସ୍ତିକା ପହଞ୍ଚିସାରିଛି। ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ଏଥର ପ୍ରସ୍ତୁତି ସାଙ୍ଗକୁ ବୋର୍ଡ ପରୀକ୍ଷା ବୈତରଣୀ ପାର ହେବା ଲାଗି ସେତୁ ସାଜିଛି ପରୀକ୍ଷା ଦର୍ପଣ। ସେପଟେ ପିଲାଙ୍କୁ ଭଲ ମାର୍କ ରଖିବା ଲାଗି ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିପ୍ସ ଦିଆଯାଇଛି।

କୋଭିଡ କଟକଣାରେ ୨୦୨୦-୨୧ ଶିକ୍ଷାବର୍ଷ ଧୋଇଯାଇଥିବା ବେଳେ ଅଣ୍ଟା ସଳଖି ଛିଡା କରିବାକୁ ପ୍ରୟାସ ଆରମ୍ଭ କରିଛି ଶିକ୍ଷା ବିଭାଗ। ଏଥିପାଇଁ ଜାନୁୟାରୀ ୮ ତାରିଖରୁ ବିଦ୍ୟାଳୟ ଖୋଲି ୧୦୦ ଦିନିଆ କଣ୍ଟରେ ପାଠପଢା ଜାରି ରହିଛି। ଆଉ ଏବେ ମାଟ୍ରିକ ବୋର୍ଡ ପରୀକ୍ଷା ପାଖେଇଆସୁଥିବା ବେଳେ ବୋଝ ହାଲୁକା କରିବା ପାଇଁ ବିଭାଗ ପକ୍ଷରୁ ‘ପରୀକ୍ଷା ଦର୍ପଣ’ ପୁସ୍ତିକା ଆରମ୍ଭ କରାଯାଇଛି। ନିର୍ଦ୍ଧାରିତ ତାରିଖ ଅନୁଯାୟୀ ଫେବୃଆରୀ ୧୫ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ୬ ଲକ୍ଷରୁ ଉର୍ଦ୍ଧ୍ୱ ବୋର୍ଡ ପରୀକ୍ଷାର୍ଥୀ ନିକଟରେ ପରୀକ୍ଷା ଦର୍ପଣ ପହଞ୍ଚିବ। ଏହାକୁ ପାଇବା ପରେ ସଞ୍ଜୀବନୀ ସଦୃଶ ପରୀକ୍ଷା ଦର୍ପଣକୁ ନେଇ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ କସରତ୍ ଆରମ୍ଭ କରିଦେଇଛନ୍ତି। ଯାହା ସେମାନଙ୍କ ପାଇଁ ସହାୟକ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

Also Read: ପରୀକ୍ଷା ପାଇଁ ସଜବାଜ; ଏକାଠି ହେଲେ ଅଭିଭାବକ-ଶିକ୍ଷକ

ଖାଲି ଏତିକି ନୁହେଁ ପିଲାଙ୍କୁ ପ୍ରସ୍ତୁତି ପାଇଁ କିଛି ସହଜ ଟିପ୍ସ ଦେଇଛି ରାଜ୍ୟ ଗଣଶିକ୍ଷା ବିଭାଗ। ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ଦୈନିକ ୧୪ ଘଣ୍ଟା ପାଠପଢା, ୬ ଘଣ୍ଟା ଶୋଇବା,  ୪ ଘଣ୍ଟା ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି। ଶୋଇବା ସମୟ ରାତି ୧୦ଟାରୁ ଭୋର ୪ଟା କିମ୍ବା ୧୧ଟାରୁ ୫ଟା ହେବା ଆବଶ୍ୟକ। ସେହିପରି ସକାଳୁ ଉଠି ଯୋଗ, ବ୍ୟାୟମ କରିବାକୁ କୁହାଯାଇଛି। ପ୍ରତି ବିଷୟକୁ ସମାନ୍ତରାଳ ଭାବେ ଗୁରୁତ୍ବ ଦେଇ ୫ଟି ସେକ୍ସନରେ ବିଭକ୍ତ କରି ସମୟ ଦେଇ ପଢିବାକୁ କୁହାଯାଇଛି। ଏହାସହ ତେଲଯୁକ୍ତ ଖାଦ୍ୟରୁ ଦୂରେଇ ଦିନକୁ ୬-୮ ଗ୍ଲାସ୍ ଉଷୁମ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି। 

Also Read: ୧୦୦ ଦିନିଆ କଣ୍ଟ ପାଇଁ ବଢିଲା ଅଡୁଆ

ଏସବୁ ଟିପ୍ସକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଛାତ୍ରଛାତ୍ରୀ। କୋରନା କଟକଣାରେ ୯ ମାସରୁ ଉର୍ଦ୍ଧ୍ୱ ସମୟ ଧରି ବିଦ୍ୟାଳୟ ବନ୍ଦ ରହିଥିବା ବେଳେ ନେଟୱର୍କ, ଅନ୍ୟାନ୍ୟ ସମସ୍ୟା ଯୋଗୁଁ ଅନଲାଇନ ପାଠପଢା ବାଧାପ୍ରାପ୍ତ ହୋଇଥିଲା। ବିଦ୍ୟାଳୟ ଖୋଲିବା ପରେ ସୀମିତ ସମୟସୀମା ମଧ୍ୟରେ ପାଠ ପଢି ପରୀକ୍ଷାକୁ ସାମ୍ନା କରିବା ଲାଗି ପରୀକ୍ଷା ଦର୍ପଣ ସହ ଟିପ୍ସ ନେଇ ଛାତ୍ରଛାତ୍ରୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି।  ଅପେକ୍ଷା ଚଳିତ ବର୍ଷ ସୁରୁଖୁରୁରେ ପରୀକ୍ଷା ସରି ଭଲ ଫଳାଫଳ ହେଉ।