"ସମ୍ମାନିତ ଓସାମା ବିନ୍ ଲାଡେନ, ବିଶ୍ୱର ସର୍ବଶ୍ରେଷ୍ଠ ଇଞ୍ଜିନିୟର। "
Trending Photos
Terrorist Photo in Govt Office: ସରକାରୀ ବାସଭବନରେ ଜଣେ ଆତଙ୍କବାଦୀ ଫଟୋ ଲଗାଯିବା ସହ ତାଙ୍କୁ ବିଶ୍ୱର ସବୁ ଠାରୁ ବଡ ଇଞ୍ଜିନିୟର ଭାବେ ଦର୍ଶାଯାଇଛି। ଉତ୍ତର ପ୍ରଦେଶ ଫର୍ରୁଖାବାଦ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯେଉଁଠି ଜଣେ ସରକାରୀ କର୍ମଚାରୀ ଓସାମା ବିନ ଲାଡେନ ଭଳି ଆତଙ୍କବାଦୀଙ୍କୁ ପ୍ରଶଂସା କରିଛନ୍ତି। ସେ ତାଙ୍କ ସରକାରୀ ଘରେ ଓସାମା ବିନ୍ ଲାଡେନଙ୍କ ଫଟୋ ଲଗାଇଥିଲେ। ଯାହା ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହୋଇଥିଲା। କେବଳ ଏତିକି ନୁହେଁ ଲାଡେନଙ୍କ ନୀତିର ଜଣେ ବଡ଼ ପ୍ରଶଂସକ ବୋଲି ଅଧିକାରୀ କହିଛନ୍ତି। ଗତ ୨୦୧୧ ବର୍ଷ ମେ ମାସରେ ଆମେରିକା ସେନା କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଥିଲା ଅଲ କାଏଦା ଆତଙ୍କବାଦୀ ଓସାମା ବିନ୍ ଲାଡେନ।
ଉତ୍ତର ପ୍ରଦେଶ ଫର୍ରୁଖାବାଦ ଜିଲ୍ଲାର ନବାବଗଞ୍ଜ ଅଞ୍ଚଳରେ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଏସଡିଓ ରବିନ୍ଦ୍ର ପ୍ରକାଶ ଗୌତମ ତାଙ୍କ ସରକାରୀ ଘରେ ଅଲ କାଏଦା ଆତଙ୍କବାଦୀ ଓସାମା ବିନ୍ ଲାଡେନ ଫଟୋ ରଖି ଆତଙ୍କବାଦୀଙ୍କ ନୀତି ବାବଦରେ ବର୍ଣ୍ଣନା କରିବା ସହ ତାଙ୍କୁ ଦୁନିଆର ସର୍ବୋତ୍ତମ ଇଞ୍ଜିନିୟର କହିବା ପରେ ଚର୍ଚ୍ଚାକୁ ଆସିଥିଲେ। ଯାହାକୁ ସାରା ବିଶ୍ୱ ଆତଙ୍କବାଦୀ ବିବେଚନା କରେ ଯଦି ଜଣେ ସରକାରୀ ଅଧିକାରୀ ତାଙ୍କୁ ସର୍ବୋତ୍ତମ ଇଞ୍ଜିନିୟର ଭାବେ ଦର୍ଶାନ୍ତି ତାହେଲେ ଏହାକୁ ବିବାଦ ହେବା ସ୍ୱାଭାବିକ। ଏହି ବିବାଦ ବଢିବା ପରେ ବିଶ୍ୱର ଏହି କୁଖ୍ୟାତ ଆତଙ୍କବାଦୀ ଫଟୋ ହଟାଯିବା ସହ ସମ୍ପୃକ୍ତ ଏସଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଏସଡିଓଙ୍କ ସରକାରୀ ଘରେ ଲଗା ଯାଇଥିବା ଅଲ କାଏଦା ଆତଙ୍କବାଦୀ ଓସାମା ବିନ୍ ଲାଡେନ ଫଟୋ ଭାଇରାଲ ହେବା ପରେ ବିଦ୍ୟୁତ ବିଭାଗ ସୁପରିଟେଣ୍ଡେଣ୍ଟ୍ ଇଞ୍ଜିନିୟର ପ୍ରଶାସନକୁ ଏକ ରିପୋର୍ଟ ପଠାଇଛନ୍ତି। ହେଲେ ଏସଡିଓ ଆତଙ୍କବାଦୀ ଲାଡେନ ବାବଦରେ ଓକିଲାତି କରିବାରେ ପଛକୁ ହଟୁନାହାଁନ୍ତି। ଅଲ କାଏଦା ଆତଙ୍କବାଦୀଙ୍କୁ ପ୍ରଶଂସା କରିବାବେଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାବଦରେ ଏକ ବିବାଦୀୟ ବିବୃତ୍ତି ମଧ୍ୟ ଦେଇଛନ୍ତି। ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
Also Read: କଲେଜ ପରିସରରେ ନମାଜ ପଢି ଫସିଗଲେ ପ୍ରଫେସର; ନିଆଗଲା ଏହି କାର୍ଯ୍ୟାନୁଷ୍ଠାନ
ବିଦ୍ୟୁତ ବିଭାଗ ଏସଡିଓ ରବିନ୍ଦ୍ର ପ୍ରକାଶ ଗୌତମଙ୍କ ସରକାରୀ ଘରେ ଅଲ କାଏଦା ଆତଙ୍କବାଦୀ ଓସାମା ବିନ୍ ଲାଡେନ ଫଟୋ ଲଗାଯାଇ ଲେଖାଯାଇଥିଲା, "ସମ୍ମାନିତ ଓସାମା ବିନ୍ ଲାଡେନ, ବିଶ୍ୱର ସର୍ବଶ୍ରେଷ୍ଠ ଇଞ୍ଜିନିୟର। " ସେ ଲାଡେନ ଭଳି ଜଣେ ଆତଙ୍କବାଦୀ ତାଙ୍କ ଆଦର୍ଶ ବୋଲି କହି ବିବାଦ ସୃଷ୍ଟି କରିଛନ୍ତି। ଏହାକୁ ବିବାଦ ତେଜିବା ପରେ ଏସଡି଼ଓ ଜଣଙ୍କ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି। ବର୍ତ୍ତମାନ ଏହି ଫଟୋ ମଧ୍ୟ ହଟାଇ ଦିଆଯାଇଛି।