WestBengal 2021Poll: ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ଠାରୁ ଦଳୀୟ ସଙ୍ଗଠନକୁ ମଜବୁତ କରିବାରେ ଲାଗିପଡିଛି ବିଜେପି।
Trending Photos
କୋଲକାତା: ଆସନ୍ତାବର୍ଷ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ (West Bengal Assembly Election 2021) । ରାଜନୈତିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରିଥାଏ ଏହି ପୂର୍ବ ଭାରତୀୟ ରାଜ୍ୟ। ହେଲେ ଚଳିତ ଥର ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ବେଶ ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ହେବାକୁ ଯାଉଛି । କାରଣ ଗତ ୨୦୧୯ ଲୋକସଭା ନିର୍ବାଚନରେ ଏହି ରାଜ୍ୟରେ ଜବରଦସ୍ତ ଏବଂ ଐତିହାସିକ ସଫଳତା ହାସଲ କରିଥିଲା କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି-ବିଜେପି(Bhartiya Janata Party-BJP)।
ଏହି ରାଜ୍ୟର ୨୯୪ ବିଧାନସଭା ଆସନ ସହ ମୋଟ ୪୨ ଲୋକସଭା ଆସନ ରହିଛି। ଗତବର୍ଷ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପି ୧୮ଟି ଆସନ ହାତେଇଥିବା ବେଳେ ରାଜ୍ୟରେ କ୍ଷମତାସୀନ ଥିବା ଶାସକ ତୃଣମୂଳ କଂଗ୍ରେସ-ଟିଏମସି(TMC-Trinmool Congress)୨୨ ଏବଂ ମୁଖ୍ୟ ବିରୋଧି କଂଗ୍ରେସକୁ ୨ଟି ଆସନ ମିଳିଥିଲା।
୨୦୧୯ ଲୋକସଭା (2019 Loksabha Election)ନିର୍ବାଚନରେ ମିଳିଥିବା ସଫଳତା ପରେ ଏବେ ବିଜେପି ଶିବିରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ଏହାରି ବଳରେ ଆସନ୍ତା ୨୦୨୧ ବିଧାନସଭା ନିର୍ବାଚନରେ, ଗତ ବର୍ଷ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ ମିଳିଥିବା ସଫଳତାକୁ ପୁଣି ଥରେ ଦୋହରାଇବା ଲାଗି ଅଣ୍ଟାଭିଡିଛି ଦଳ । ଏହିକ୍ରମରେ ଦଳୀୟ ସଦସ୍ୟତା ଗ୍ରହଣ ଅଭିଯାନକୁ ଜୋରଦାର କରିଛି ଦଳ ।
ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପଶ୍ଚିମବଙ୍ଗ ରାଜ୍ୟ ବିଜେପି ସଭାପତି (West Bengal BJP State President) ତଥା ରାଜ୍ୟର ମେଦୀନପୁର ଲୋକସଭା ଆସନର ସାଂସଦ (Medinpur LokSabha MP) ଦିଲ୍ଲୀପ ଘୋଷ କହିଛନ୍ତି, "ଆମର ସ୍ୱପ୍ନ କାଶ୍ମୀରରେ ପୂରଣ ହୋଇଛି । କେବଳ ପଶ୍ଚିମବଙ୍ଗ ନୁହେଁ ଦେଶର ବିଭିନ୍ନ ଭାଗରେ ବସବାସ କରୁଥିବା ଲୋକ ଦଳରେ ସାମିଲ ହେବା ଲାଗି ଚାହୁଁଛନ୍ତି । ଶ୍ୟାମା ପ୍ରସାଦ ମୁଖାର୍ଜୀ କାଶ୍ମୀରରେ ପତାକା ଉତ୍ତୋଳନ କରିଥିଲେ । ହେଲେ ଏବେ ପଶ୍ଚିମବଙ୍ଗରେ ଏପରି କରିବା ସହଜ ନୁହେଁ । "
ଏହା ସହିତ ସେ ଆହୁରି କହିଛନ୍ତି ରାଜ୍ୟରେ କ୍ଷମତାସୀନ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ପ୍ରତିଶୋଧ ମୂଳକ ରାଜନୀତି କରୁଛନ୍ତି । ଆମର ଦଳୀୟ ସମର୍ଥକ ଏବେ ସୁରକ୍ଷିତ ନାହାଁନ୍ତି । ମିଥ୍ୟା ମାମଲାରେ ସେମାନଙ୍କୁ ଜେଲ ପଠାଯାଉଛି । ଶାସକ ତୃଣମୂଳ କଂଗ୍ରେସ ସରକାର ବଙ୍ଗୀୟ ପରମ୍ପରା, ସଂସ୍କୃତି ଏବଂ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବାରେ ଲାଗିଛନ୍ତି । ଏପରିକି ସାଧାରଣ ଜନତାଙ୍କୁ ମଧ୍ୟ ଟାର୍ଗେଟ କରିବାରେ ଲାଗି ପଡିଛି ଶାସକ ଦଳ।
ଆଗାମୀ ୨୦୨୧ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ଦଳ ପକ୍ଷରୁ ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ କରାଯାଇଛି । ବିଜେପିରେ ସାମିଲ ହେବା ପରେ ଜଣେ ଗର୍ବ ଅନୁଭବ କରିପାରେ କାରଣ, ବିଶ୍ୱରେ ସବୁଠାରୁ ବଡ ରାଜନୈତିକ ଦଳର ସଦସ୍ୟ ସେ। ପରିବର୍ତ୍ତନରେ ଆପଣ ସାମିଲ ହୁଅନ୍ତୁ । ତୃଣମୂଳ କଂଗ୍ରେସ ସହ ଜଡିତ ଯେଉଁ ବ୍ୟକ୍ତି ପରିବର୍ତ୍ତନରେ ସାମିଲ ହେବା ଲାଗି ଆଗ୍ରହୀ ଅଛନ୍ତି ସେମାନଙ୍କୁ ସ୍ୱାଗତ କରିବା ଲାଗି ଆମେ ପ୍ରସ୍ତୁତ । ଆମ ଦଳରେ କୌଣସି ପରିବାରବାଦ ନାହିଁ ଯେପରି ତୃଣମୂଳ କଂଗ୍ରେସ ଏବଂ କଂଗ୍ରେସରେ ଚାଲିଛି ।
ବିଜେପି ସାମିଲ ହେବା ଲାଗି ଜଣେ ବ୍ୟକ୍ତି ମିସ କଲ ଦେଇପାରିବେ କିମ୍ବା ଦଳୀୟ ୱେବସାଇଟକୁ ଯାଇ ଲଗ ଇନ କରିବା ପରେ ସଦସ୍ୟତା ଗ୍ରହଣ କରିପାରିବେ ବୋଲି କହିଛନ୍ତି ପଶ୍ଚିମବଙ୍ଗ ରାଜ୍ୟ ବିଜେପି ସଭାପତି ।