ଭୂବିଜ୍ଞାନୀଙ୍କ କହିବା ଅନୁଯାୟୀ ସାରା ବିଶ୍ୱରେ ୩୦ କ୍ରାଟନ୍ ରହିଛି ଏବଂ ସେଥିମଧ୍ୟରୁ ୧୦ଟି ଆକାର ବଡ଼। ଏହି ୧୦ ବଡ କ୍ରାଟନ୍ ମଧ୍ୟରୁ ୪ଟି ଭାରତରେ ରହିଛି।
Trending Photos
ନୂଆଦିଲ୍ଲୀ: ମଣିଷ ସମେତ ଜୀବଜନ୍ତୁ ତଥା ଉଦ୍ଭିତ ଜଗତ ଲାଗି ଏକ ମାତ୍ର ବାସପଯୋଗୀ ଗ୍ରହ ପୃଥିବୀ କିପରି ସୃଷ୍ଟି ହେଲା ଏବଂ ପ୍ରଥମେ କେଉଁ ସ୍ଥାନ ପୃଥିବୀ ପୃଷ୍ଠକୁ ଆସିଲା ସେ ନେଇ ହୋଇସାରିଛି ବୈଜ୍ଞାନିକ ଗବେଷଣା। ପୃଥିବୀ ପୃଷ୍ଠରେ ଦେଖାଯାଉଥିବା ବୃହତ ସ୍ଥଳଭାଗ ମହାଦେଶ ଏବଂ ଜଳଭାଗ ମହାସାଗର ନାମରେ ପରିଚିତ। ବର୍ତ୍ତମାନ ପୃଥିବୀରେ ୭ ମହାଦେଶ ଏବଂ ୫ ମହାସାଗର ରହିଛି।
ମହାଦେଶକୁ ନେଇ ହୋଇଥିବା ଏକ ଗବେଷଣା ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି। ପୃଥିବୀ ଜନ୍ମ ହେବା ପରେ ପ୍ରଥମ ମହାଦେଶ କିଏ ତାହା ଏହି ଗବେଷଣାରୁ ଜଣାପଡ଼ିଛି। ପୃଥିବୀ ଜନ୍ମ ହେବା ପରେ ଝାଡ଼ଖଣ୍ଡ ସିଂହଭୂମି ଏବଂ ଏହା ସଲଗ୍ନ ଓଡି଼ଶାର କେତେକ ଅଞ୍ଚଳ ପୃଥିବୀର ପ୍ରଥମ ସ୍ଥଳଭାଗ ଭାବରେ ସୃଷ୍ଟି ହୋଇଥିଲା।
ପୃଥିବୀ ଜନ୍ମ ହେବା ପରେ ବିଶ୍ୱରେ ସିଂହଭୂମି ସେହି ସ୍ଥାନ ଯାହାର ପ୍ରଥମ ମହାଦେଶ (Craton) ବୋଲି ସଦ୍ୟ ହୋଇଥିବା ଏକ ଗବେଷଣାରୁ ଜଣାପଡି଼ଛି। ସିଂହଭୂମି ଦୁନିଆର ପ୍ରଥମ ସ୍ଥଳଭାଗ ଥିଲା କି? ଝାଡ଼ଖଣ୍ଡରେ ସିଂହଭୂମ ଏବଂ ଓଡିଶାର କିଛି ସଂଲଗ୍ନ ଅଞ୍ଚଳ ସମୁଦ୍ରରୁ ପ୍ରଥମେ ବାହାରିଲା କି? ପୃଥିବୀର ଜନ୍ମ ପରେ ସିଂହଭୂମି ପ୍ରଥମ ସ୍ଥାନ ଥିଲା କି, ଯେଉଁଠାରେ ପୃଥିବୀର ପ୍ରଥମ ଖଣ୍ଡ ସମୁଦ୍ରରେ ବୁଡ଼ି ଯାଇଥିଲା ଏବଂ ଏହା ମହାଦେଶ ଆକାରରେ ପାଣିରୁ ବାହାରି ଆସିଲା କି? ଏହି ସମସ୍ତ ପ୍ରଶ୍ନର ଉତ୍ତର ହେଉଛି 'ହଁ'।
ପ୍ରସିଦ୍ଧ ଆମେରିକୀୟ ବୈଜ୍ଞାନିକ ପତ୍ରିକା Proceedings of the National Academy of Science (PNAS) ପକ୍ଷରୁ ଗତ ସପ୍ତାହରେ ପ୍ରକାଶିତ ଏକ ଅନୁସନ୍ଧାନ ଅନୁଯାୟୀ ସିଂହଭୂମି Craton ୩୧୦ କୋଟି ବର୍ଷ ପୂର୍ବେ ଜନ୍ମ ହୋଇଥିଲା। ଅର୍ଥାତ୍ ଏହି ଅଞ୍ଚଳ ପ୍ରଥମ ଥର ପାଇଁ ପାଣିରୁ ବାହାରକୁ ଆସିଥିଲା। ସେହି ସମୟରେ ସ୍ଥଳଭାଗର ଅସ୍ତିତ୍ୱ ସମୁଦ୍ର ମଧ୍ୟରେ ଥିଲା। ହେଲେ ପୃଥିବୀର ଏହି ଅଂଶ ସମୁଦ୍ରରୁ ୫୦ କିମି ମଧ୍ୟରେ ହୋଇଥିବା ଏକ ବଡ଼ ଆଗ୍ନେୟଗିରି ଉଦଗୀରଣ କାରଣରୁ ପାଣିରୁ ବାହାରକୁ ଆସିଥିଲା।
ଏକ ଦୀର୍ଘ ଗବେଷଣା ପରେ ଅଷ୍ଟ୍ରେଲିଆ, ଜର୍ମାନୀ ଏବଂ ଆମେରିକାର ୮ ଜଣ ଗବେଷକଙ୍କ ଦ୍ୱାରା ଏହି ଗବେଷଣା ପ୍ରବନ୍ଧ ଲେଖାଯାଇଛି। ଏହି ଗବେଷକଙ୍କ ମଧ୍ୟରେ ୪ ଜଣ ଭାରତୀୟ ବଂଶୋଦ୍ଭବ ରହିଛନ୍ତି ଯେଉଁମାନେ ଆମେରିକାରେ ଅବସ୍ଥାନ କରୁଛନ୍ତି। ଏହି ପ୍ରବଦ୍ଧର ମୁଖ୍ୟ ଲେଖକ ହେଉଛନ୍ତି ଅଷ୍ଟ୍ରେଲିଆର ପ୍ରତିଷ୍ଠିତ ମୋନାଶ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ଡକ୍ଟର ପ୍ରିୟଦର୍ଶୀ ଚୌଧୁରୀ। ସେ ସେଠାରେ ଥିବା ସ୍କୁଲ ଅଫ୍ ଆର୍ଥ ଆଟମୋସ୍ପିଅରଫ ଏବଂ ଏନଭାରମେଣ୍ଟ ସହିତ ଜଡିତ।
ବିଗତ ୩ ବର୍ଷ ଧରି ଡକ୍ଟର ଚୌଧୁରୀ ପୃଥିବୀରେ ମହାଦେଶର ଉତ୍ପତ୍ତି ବାବଦରେ ଗବେଷଣା କରୁଛନ୍ତି। ତାଙ୍କ ସହ ଏହି ଅନୁସନ୍ଧାନରେ ଭାରତୀୟ ବଂଶୋଦ୍ଭବ ସୂର୍ଯ୍ୟଜେନ୍ଦୁ ଭଟ୍ଟାଚାର୍ଯ୍ୟ,ଶୁଭୋଜିତ ରାୟ, ଶୁଭମ ମୁଖାର୍ଜୀ, ଅଷ୍ଟ୍ରେଲୀୟ ଗବେଷକ ଜ୍ୟାକବ ମଲ୍ଡର, ପୀଟର କବୁଡ, ଏଶଲୀ ବେନରାଇଟ ଏବଂ ଜର୍ମାନୀ ଗବେଷକ ଓଲିଭର ନେବେଲ ପ୍ରମୁଖ ସାମିଲ ଥିଲେ।
ଏହି ଗବେଷଣା ଉପରେ ପ୍ରତିକ୍ରିୟା ରଖି ଡକ୍ଟର ଚୌଧୁରୀ କହିଛନ୍ତି ଏଠାରେ ମିଳୁଥିବା ସ୍ୱତନ୍ତ୍ର ଧରଣର ପଥର ୩୧୦-୩୨୦ କୋଟି ବର୍ଷ ପୁରୁଣା। ଏଠାରେ ମିଳୁଥିବା ବାଲୁକା ପଥର ଉପରେ ହୋଇଥିବା ଗବେଷଣାରୁ ଏହି ତଥ୍ୟ ମିଳିଛି। କୌଣସି ଅଞ୍ଚଳରେ ମିଳୁଥିବା ପଥର କେତେବର୍ଷର ପୁରୁଣା ତାହା ଜାଣିବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ। ଆମେ ସିଂହଭୂମ୍ ଅଞ୍ଚଳରେ ମିଳୁଥିବା ଏପରି ବାଲୁକା ପଥରକୁ ଆମ ବିଶ୍ୱବିଦ୍ୟାଳୟକୁ ଆଣି ତାହାକୁ ଅଣୁବୀକ୍ଷଣ ଯନ୍ତ୍ର ଦ୍ୱାରା ପରୀକ୍ଷା କରିଥିଲୁ। ଏହା ଉପରେ ରାସାୟନିକ ପରୀକ୍ଷଣ କରାଯିବା ପରେ ଏହାର ପ୍ରକୃତ ବୟସ କେତେ ତାହା ସ୍ଥିର ହୋଇଥିଲା। ଏହି ପଥରରୁ ମିଳୁଥିବା ଜିର୍କନ୍ ନାମକ ଏକ ଖଣିଜ ପଦାର୍ଥ ଏହାର ବୟସର ସଠିକ୍ ଆକଳନ ପାଇବାରେ ସାହାଯ୍ୟ କରିଥିଲା।
ଆମେ ଅନୁସନ୍ଧାନରୁ ଏହା ଜାଣିବାକୁ ପାଇଲୁ ଯେ ସିଂହଭୂମ ମହାଦେଶ ପ୍ରାୟ ୩୧୦ କୋଟି ବର୍ଷ ପୂର୍ବେ ଗଠିତ ହୋଇଥିଲା। ସେହି ସମୟରେ, ଆଗ୍ନେୟଗିରି ଉଦଗୀରଣ ହେତୁ ପୃଥିବୀର ଏହି ଅଂଶ ହାଲୁକା ହୋଇଗଲା ଏବଂ ବରଫ ପରି ଭାସମାନ ହୋଇ ସମୁଦ୍ରରୁ ବାହାରିଲା। ଏହାର ପରବର୍ତ୍ତୀ ବର୍ଷରେ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଅନେକ ମହାଦେଶ ଗଠିତ ହୋଇଥିଲା। ସିଂହଭୂମି ମହାଦେଶର ଦକ୍ଷିଣ ଆଫ୍ରିକା ଏବଂ ପଶ୍ଚିମ ଅଷ୍ଟ୍ରେଲିଆରେ ମିଳୁଥିବା ପଥର ସହ ଅନେକ ସମାନତା ରହିଛି। ପତଳା ପଥର ଏବଂ ବାଲୁକା ପଥର ପ୍ରାୟତଃ ଗଭୀର ନଦୀ ଏବଂ ସମୁଦ୍ରର ମୁହାଣ ଠାରେ ସୃଷ୍ଟି ହୋଇଥାଏ।
ସିଂହଭୂମିରୁ ମିଳିଥିବା ପଥର ଉପରେ ସମୁଦ୍ର ତରଙ୍ଗର ଚିହ୍ନବର୍ଣ୍ଣ ଦେଖିବାକୁ ମିଳେ। ବର୍ଷ ବର୍ଷ ଧରି ସମୁଦ୍ର ସହିତ ଧକ୍କା ହେତୁ ଏହାର ସୃଷ୍ଟି ହୋଇଥଲା। ଯାହା ଯିବାବେଳେ ପଥର ଉପରେ ଏହାର ଚିହ୍ନ ଛାଡିଯାଇଥଲା। ସିଂହଭୂମିର ଚାଇବାସା ଏବଂ ସରଣ୍ଡା ଜଙ୍ଗଲରେ ଏପରି ପଥର ଦେଖିବାକୁ ମିଳିଛି।
ଯେଉଁ ମହାଦେଶ ଅଥବା ପଥର କଥା କୁହାଯାଉଛି ତାହାକୁ ଗବେଷକ କ୍ରାଟନ (Craton) ବୋଲି କହିଥାନ୍ତି। କ୍ରାଟନ୍ ହେଉଛି ଏକ ଗ୍ରୀକ୍ ଶବ୍ଦ। ଯାହାର ଅର୍ଥ ହେଉଛି ମହାଦେଶ କିମ୍ବା ମହାଦ୍ୱୀପ। ଭୂବିଜ୍ଞାନୀଙ୍କ କହିବା ଅନୁଯାୟୀ ସାରା ବିଶ୍ୱରେ ୩୦ କ୍ରାଟନ୍ ରହିଛି ଏବଂ ସେଥିମଧ୍ୟରୁ ୧୦ଟି ଆକାର ବଡ଼। ଏହି ୧୦ ବଡ କ୍ରାଟନ୍ ମଧ୍ୟରୁ ୪ଟି ଭାରତରେ ରହିଛି। ସିଂହଭୂମି ବ୍ୟତୀତ ବସ୍ତର, ବୁନ୍ଦେଲଖଣ୍ଡ, ଧାରୱାଡ଼ କ୍ଷେତ୍ରରେ ଏପରି କ୍ରାଟନ ରହିଛି। କହିବାକୁ ଗଲେ ଏହା ହେଉଛି ପୃଥିବୀର ସର୍ବପୁରାତାନ ମହାଦେଶ। ଏପରି କ୍ରାଟନ ଆମେରିକା, ଅଷ୍ଟ୍ରେଲିଆ, ଆଫ୍ରିକା ପ୍ରଭୃତି ସ୍ଥାନରେ ଦେଖିବାକୁ ମିଳେ।
ପୃଥିବୀର ବୟସ ପ୍ରାୟ ୪୫୦ କୋଟି ବର୍ଷ। ବୈଜ୍ଞାନିକଙ୍କ ଅନୁଯାୟୀ ପୃଥିବୀ ଜନ୍ମ ସମୟରେ ବହୁତ ଗରମ ଥିଲା। ଲକ୍ଷ ଲକ୍ଷ ବର୍ଷ ପରେ ଏହା ଥଣ୍ଡା ହୋଇଥିଲା ଏବଂ ଏଠାରେ ଜଳ ସୃଷ୍ଟି ହୋଇଥିଲା। ଧୂମକେତୁ କାରଣରୁ ସମୁଦ୍ର ସୃଷ୍ଟି ହେଲା। ପ୍ରାୟ ୩୧୦ କୋଟି ବର୍ଷ ପୂର୍ବେ ହୋଇଥିବା ଭୌଗୋଳିକ ପରିବର୍ତ୍ତନ ହେତୁ ମହାଦେଶ ଗଠିତ ହୋଇଥିଲା। ଏହିକ୍ରମରେ ସିଂହଭୂମି ପୃଥିବୀର ପ୍ରଥମ ମହାଦେଶ ହୋଇଥିଲା। ଏହାର ଅସ୍ତିତ୍ୱ ସହିତ ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ମଧ୍ୟ ବୃଦ୍ଧି ପାଇଲା ଏବଂ ଫସଫରସ୍ ଏବଂ ଅନ୍ୟାନ୍ୟ ଖଣିଜ ଲୁଣ ସମୁଦ୍ର ଜଳରେ ମିଶିଥିଲା।
ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନକୁ ନେଇ ସମଗ୍ର ବିଶ୍ୱରେ ବିତର୍କ ଜାରି ରହିଛି। ହେଲେ ପୃଥିବୀ ପୃଷ୍ଠରେ ରହିଥିବା ବାୟୁମଣ୍ଡଳ, ମହାସାଗର, ମହାଦେଶ ଏବଂ ଜଳବାୟୁ କିପରି ସୃଷ୍ଟି ହେଲା ତାହା ଜାଣିବା ଅତ୍ୟନ୍ତ ଜରୁରୀ। କେଉଁ କାରଣରୁ ପୃଥିବୀ ମଣିଷ ସମେତ ଜୀବଜନ୍ତୁ ତଥା ଉଦ୍ଭିତ ଜଗତ ଲାଗି ବସବାସ ଯୋଗ୍ୟ ହେଲା। ଏନେଇ ଏପର୍ଯ୍ୟନ୍ତ ବିସ୍ତୃତ ଅନୁସନ୍ଧାନ କରାଯାଇ ନାହିଁ। ଏହା ସମ୍ଭବ ଯେ ପୃଥିବୀର ଏପରି ଅନେକ ରହସ୍ୟ ଉପରୁ ପର୍ଦ୍ଦା ହଟାଯାଇପାରେ।