ଓଡ଼ିଶାରେ ଗର୍ଜିଲେ ବିରୋଧୀ, ସିଏଏ ଓ ଏନଆରସିକୁ ନେଇ ବିଜେପିକୁ ଦେଲେ ଚେତାବନୀ
Advertisement

ଓଡ଼ିଶାରେ ଗର୍ଜିଲେ ବିରୋଧୀ, ସିଏଏ ଓ ଏନଆରସିକୁ ନେଇ ବିଜେପିକୁ ଦେଲେ ଚେତାବନୀ

ଧର୍ମ ଆଧାରରେ ଦେଶକୁ ଭାଗ ଭାଗ କରିବାର ଚାଲ ଚଳିବ ନାହିଁ ଏବଂ ଲୋକେ ଏହାର କଡା ଜବାବ ଦେବେ ବୋଲି ଖୋଲାଖୋଲି କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ବିରୋଧୀ

ସୌଜନ୍ୟ: ସୋସିଆଲ ମିଡିଆ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ଗର୍ଜିଲେ ବିରୋଧୀ। ବିଜେପିକୁ ଦେଲେ ଚେତାବନୀ। ଧର୍ମ ଆଧାରରେ ଦେଶକୁ ଭାଗ ଭାଗ କରିବାର ଚାଲ ଚଳିବ ନାହିଁ ଏବଂ ଲୋକେ ଏହାର କଡା ଜବାବ ଦେବେ ବୋଲି ଖୋଲାଖୋଲି କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଆମେ ଭାରତବାସୀ ବ୍ୟାନରରେ ହଜାର ହଜାର କର୍ମୀ ନେତା ତଥା ବିଭିନ୍ନ ବର୍ଗର ଲୋକେ କେନ୍ଦ୍ରର ବିଭାଜନ ନୀତିକୁ ଟାର୍ଗେଟ କରିଛନ୍ତି। କଂଗ୍ରେସ, ବାମପନ୍ଥୀ ଦଳର ହଜାର ହଜାର ନେତା କର୍ମୀଙ୍କ ସମେତ ପ୍ରାୟ ୧୮ଟି ବିରୋଧୀ ଦଳ ଏବଂ ଗଣସଂଗଠନର ହଜାର ହଜାର ବ୍ୟକ୍ତିବିଶେଷ ଛାତ୍ର ଯୁବ ଏବଂ ମହିଳା ରାମ ମନ୍ଦିର ଏବଂ କଂଗ୍ରେସ ଭବନରୁ ଶୋଭାଯାତ୍ରାରେ ପିଏମଜି ଛକ ପର୍ଯ୍ୟନ୍ତ ଆସିବା ସହ ସେଠାରେ ଏକ ପ୍ରତିବାଦ ସଭା କରାଯାଇଛି। ନାଗରିକତା ସଂଶୋଧନ ଆଇନ, ଏନଆରସି ଏବଂ ଏନପିଆରକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଆହ୍ୱାନ ଦେଇଛନ୍ତି ବିରୋଧୀ।

ଦେଶକୁ ଭାଗ ଭାଗ କରିବାକୁ କରାଯାଉଥିବା ଚେଷ୍ଟାକୁ ଆଦୌ ସହ୍ୟ କରାଯିବ ନାହିଁ ଏବଂ ଏ ସବୁକୁ ନେଇ ଗାଁ ଗାଁରେ ଲୋକଙ୍କୁ ସଚେତନ କରାଯିବ ବୋଲି କଂଗ୍ରେସ କହିଛି। ଜର୍ମାନୀରେ ହିଟଲର ଇହୁଦିଙ୍କୁ ସଫା କରିବା ଲାଗି ଯେଉଁ ପନ୍ଥା ଆପଣାଇଥିଲେ ଭାରତରେ ମୋଦି ସଂଖ୍ୟାଲଘୁଙ୍କୁ ସମାପ୍ତ କରିବା ପାଇଁ ସିଏଏ, ଏନଆରସି ଏବଂ ଏନପିଆର ଭଳି ପନ୍ଥା ଆପଣାଉଥିବା ବାମପନ୍ଥୀମାନେ କହିଛନ୍ତି। ଅନ୍ୟପକ୍ଷରେ ବିରୋଧୀଙ୍କ ଗର୍ଜନ ଏବଂ ହଜାର ହଜାର ଲୋକଙ୍କ ସମାଗମ ପରେ ମଧ୍ୟ ବିଜେପି ନିଜ କଥାରେ ଅଟଳ ରହିଛି।  

ବିରୋଧୀମାନେ ନିଜ ଅସ୍ତିତ୍ୱ ହରାଇବା ଡରରେ ମୋଦିଙ୍କ ବିରୋଧରେ ଏଭଳି ମେଳି ବାନ୍ଧିଥିବା କହିଛି ବିଜେପି। ଲୋକମାନେ ମୋଦିଙ୍କୁ ସମର୍ଥନ କରି ଦ୍ୱିତୀୟବାର କ୍ଷମତାକୁ ଆଣିଛନ୍ତି। ଆଗକୁ ମଧ୍ୟ ଲୋକମାନେ କେନ୍ଦ୍ରର ମୋଦି ସରକାର ସହ ରହିବେ। ତେଣୁ ଏଭଳି ଅପ୍ରସଙ୍ଗକୁ ଅସ୍ତ୍ର କରି ରାଜନୈତିକ ଫାଇଦା ନେବାକୁ ଉଦ୍ୟମ ନ କରିବାକୁ ଓଲଟା ବିଜେପି ବିରୋଧୀଙ୍କୁ ଚେତାବନୀ ଦେଇଛି । ଗତ ୨୩ ତାରିଖ ନେତାଜୀ ଜୟନ୍ତୀରୁ ସିଏଏ, ଏନଆରସି ଏବଂ ଏନପିଆର ବିରୋଧରେ ସମ୍ବିଧାନ ଏବଂ ଧର୍ମନିରପେକ୍ଷତା ସୁରକ୍ଷା ସପ୍ତାହ ପାଳନ ହୋଇ ଆସୁଛି। ଏହି ଅବସରରେ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସରେ ମଧ୍ୟ ବିରୋଧୀମାନେ ଜାତୀୟ ପତାକା ତଳେ ସମ୍ବିଧାନ ସୁରକ୍ଷା ନେଇ ଶପଥପାଠ କରିଥିଲେ। ଆଜି ମଧ୍ୟ ପିଏମଜିରେ ଏକାଠି ହୋଇଥିବା ହଜାର ହଜାର ଲୋକେ ଏବଂ ନେତାମାନେ ସମ୍ବିଧାନ ସୁରକ୍ଷା ସହ ବିଜେପିକୁ ଉଚିତ ଶିକ୍ଷା ଦେବା ପାଇଁ ଶପଥ ନେଇଛନ୍ତି।