ଅନଲକ୍-3 ପାଇଁ ନୂଆ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର

ରାତି ୯ଟାରୁ ସକାଳ ୫ଟା ଯାଏଁ ରାତି କର୍ଫ୍ୟୁ ବଳବତ୍ତର ରହିବ । ଜରୁରୀ ସେବାରେ ଥିବା କର୍ମଚାରୀ ଯାତାୟତ କରିପାରିବେ । ଆଇଟି କମ୍ପାନୀ କର୍ମଚାରୀ ନିଜର ପରିଚୟ ପତ୍ର ଦେଖାଇ ଯାଇପାରିବେ ।

ଅନଲକ୍-3 ପାଇଁ ନୂଆ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଅଗଷ୍ଟ ୧ରୁ ୩୧ ଯାଏଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଅନଲକ୍ ୩କୁ ନେଇ ଏସଆରସି ପ୍ରଦୀପ ଜେନା କହିଛନ୍ତି ଯେ, ଅବରୋଧ ଅଞ୍ଚଳରେ ଲକଡାଉନ ଜାରି ରହିବ । ଅବରୋଧ ଅଞ୍ଚଳକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ ଲଗାଯିବ । ଅବରୋଧ ଅଞ୍ଚଳର ତଥ୍ୟ ସରକାରଙ୍କ ୱେବସାଇଟରେ ଉପଲବ୍ଧ ହେବ ।

ତେବେ ରାତି ୯ଟାରୁ ସକାଳ ୫ଟା ଯାଏଁ ରାତି କର୍ଫ୍ୟୁ ବଳବତ୍ତର ରହିବ । ଜରୁରୀ ସେବାରେ ଥିବା କର୍ମଚାରୀ ଯାତାୟତ କରିପାରିବେ । ଆଇଟି କମ୍ପାନୀ କର୍ମଚାରୀ ନିଜର ପରିଚୟ ପତ୍ର ଦେଖାଇ ଯାଇପାରିବେ । ଜାତୀୟ ରାଜପଥରେ ଢାବା ଖୋଲା ରହିବ । ଢାବାରେ କେବଳ ଖାଦ୍ୟ ପାର୍ସଲ ନେଇ ହେବ । ସ୍ଥିତି ଦେଖି ସ୍ଥାନୀୟ ପ୍ରଶାସନ ଆବଶ୍ୟକୀୟ କଟକଣା ଲଗାଇ ପାରିବେ ।

ଅନ୍ୟପଟେ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଗଜପତିରେ ସପ୍ତାହକୁ ୨ ଦିନ ରବିବାର ଏବଂ ଶନିବାର ସଟଡାଉନ୍ ଜାରି ରହିବ । ରାଉରକେଲା ପୌରାଞ୍ଚଳରେ ମଧ୍ୟ ଶନିବାର ଓ ରବିବାର ସଟଡାଉନ ରହିବ ( କେବଳ ଅଗଷ୍ଟ ୧ ଓ ୨ ତାରିଖ ଦିନ ୧ଟା ପରେ ସଟ୍ ଡାଉନ୍ ଲାଗୁ ହେବ) । କଣ୍ଟେନମେଣ୍ଟ ଜୋନରେ ସମ୍ପୂର୍ଣ୍ଣ ଲକଡାଉନ୍ ବଳବତ୍ତର ରହିବ । ଅଗଷ୍ଟ ୩୧ ଯାଏଁ ଧାର୍ମିକ ସ୍ଥଳ ଜନସାଧାରଣଙ୍କ ପାଇଁ ବାରଣ କରାଯାଇଛି । ସୁଇମିଂ ପୁଲ, ସିନେମା ହଲ, ଥିଏଟର, ସଭାସମିତି ବନ୍ଦ ରହିବ । ଅଗଷ୍ଟ ୫ରୁ କିଛି ନିୟମ ସହ ରାଜ୍ୟରେ ଜିମ୍ ଓ ଯୋଗ କେନ୍ଦ୍ର ଖୋଲିବ । ସ୍କୁଲ, କଲେଜ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ହେଲେ ପରୀକ୍ଷା ହେବ ଓ ଖାତାଦେଖା ଚାଲିବ । ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ । ରାଜ୍ୟ ବାହାରୁ କେହି ୩ ଦିନ ପାଇଁ ଆସିଲେ କ୍ୱାରେଣ୍ଟିନ ହେବେନି । ୩ ଦିନରୁ ଅଧିକ କେହି ରହିଲେ ସେମାନଙ୍କୁ କ୍ୱାରେଣ୍ଟିନ କରାଯିବ ।