Advertisement
Article Detail0/zeeodisha/odisha691841
Zee OdishaOdisha Khabarବାତ୍ୟାର ସ୍ଥାୟୀ ମୁକାବିଲା ପାଇଁ କେନ୍ଦ୍ର ପାଖରେ ଏମିତି ପ୍ରସ୍ତାବ ରଖିଲା ଓଡ଼ିଶା

ବାତ୍ୟାର ସ୍ଥାୟୀ ମୁକାବିଲା ପାଇଁ କେନ୍ଦ୍ର ପାଖରେ ଏମିତି ପ୍ରସ୍ତାବ ରଖିଲା ଓଡ଼ିଶା

ଅମ୍ପାନ କ୍ଷୟକ୍ଷତି ଆକଳନ କରିବାକୁ ଆସିଥିବା କେନ୍ଦ୍ରୀୟ ଟିମ୍‌କୁ ରାଜ୍ୟ ସରକାର ୨୦ ହଜାର କୋଟି ଟଙ୍କାର ଏକ ସ୍ମାରକ ପତ୍ର ଦେଇଛନ୍ତି । 

ବାତ୍ୟାର ସ୍ଥାୟୀ ମୁକାବିଲା ପାଇଁ କେନ୍ଦ୍ର ପାଖରେ ଏମିତି ପ୍ରସ୍ତାବ ରଖିଲା ଓଡ଼ିଶା

ଯଯାତି ମହାନ୍ତି, ଭୁବନେଶ୍ୱର: ଓଡ଼ିଶା ପ୍ରତିବର୍ଷ ସାମ୍ନା କରୁଥିବା ବାତ୍ୟା ଭଳି ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପାଖରେ ୨୦ ହଜାର କୋଟି ଟଙ୍କାର ପ୍ରସ୍ତାବ ରଖିଛନ୍ତି । ମୁଖ୍ୟତଃ ସମୁଦ୍ର କୂଳେ କୂଳେ ଉଚ୍ଚ ପ୍ରାଚୀର ନିର୍ମାଣ କରିବା, ସମସ୍ତ କଚ୍ଚା ଘରକୁ ପକ୍କାଘରରେ ପରିଣତ କରିବା ଏବଂ ଭୂତଳ ବିଦ୍ୟୁତ କେବୁଲ ବିଛାଇବା ଉଦ୍ଦେଶ୍ୟରେ ଏହା ଖର୍ଚ୍ଚ ହେବ । ଏହାକୁ ବିଶେଷଜ୍ଞ ସ୍ୱାଗତ କରିବା ସହ ଏହାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । 

ଅନ୍ୟପଟେ ରାଜ୍ୟରେ ବିପର୍ଯ୍ୟୟର ସ୍ଥାୟୀ ପ୍ରତିକାର ପାଇଁ ନବୀନ ସରକାର କାମ କରୁଛନ୍ତି ବୋଲି ବିଜେଡ଼ି କହିଥିବା ବେଳେ ବିଜେପି କହିଛି ଏତେ ବଡ଼ ଯୋଜନା ପାଇଁ ସମସ୍ତଙ୍କ ସହ ଆଲୋଚନା ହେବା ଦରକାର । କଂଗ୍ରେସ କହିଛି, ରାଜ୍ୟବାସୀଙ୍କୁ କେନ୍ଦ୍ର ବିଜେପି ସରକାର ଭଲ ପାଉଛି ବୋଲି ସବୁବେଳେ କହୁଥିବାରୁ ଅନୁଦାନ ଶୀଘ୍ର ଆସିପାରେ ।

କେତେବେଳେ ଫାଇଲିନ୍ ତ ପୁଣି କେତେବେଳେ ହୁଦ୍‌ହୁଦ୍‌, ପୁଣି କେତେବେଳେ ତିତ୍‌ଲୀ ତ ପୁଣି କେତେବେଳେ ଫନି । ଏବେ ପୁଣି ଅମ୍ଫାନ ରୂପରେ । ପ୍ରାକୃତିକ ବିପର୍ଯ୍ୟୟ ବିଶେଷ କରି ସାମୁଦ୍ରିକ ଝଡ଼ ଓଡ଼ିଶାକୁ ସବୁବେଳେ କ୍ଷତିଗ୍ରସ୍ତ କରୁଛି । କେତେବେଳେ ଛପର ଘର ଉଡ଼ାଇ ନେଉଛି ତ କେତେବେଳେ ବିଦ୍ୟୁତ ଭିତିଭୂମି କ୍ଷତିଗ୍ରସ୍ତ କରୁଛି । ପୁଣି କେତେବେଳେ ସମୁଦ୍ର ଲୁଣା ପାଣି ଚାଷ ଜମିକୁ ମାଡ଼ିଯାଉଛି । ବର୍ଷରେ ଥରେ ଦି ଥର ସାମୁଦ୍ରିକ ଝଡ଼ର ସାମ୍ନା କରୁଛନ୍ତି ରାଜ୍ୟର ଉପକୂଳ ବାସିନ୍ଦା । ଏହାର ସ୍ଥାୟୀ ପ୍ରତିକାର ଦିଗରେ ସରକାର ଚିନ୍ତା କରିବା ଆରମ୍ଭ କରିଛନ୍ତି । ଅମ୍ପାନ କ୍ଷୟକ୍ଷତି ଆକଳନ କରିବାକୁ ଆସିଥିବା କେନ୍ଦ୍ରୀୟ ଟିମ୍‌କୁ ରାଜ୍ୟ ସରକାର ୨୦ ହଜାର କୋଟି ଟଙ୍କାର ଏକ ସ୍ମାରକ ପତ୍ର ଦେଇଛନ୍ତି । ଏହାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ ମତ ରଖିଥିବା ବେଳେ ବିଜେଡ଼ି କହିଛି ଦୀର୍ଘମିଆଦୀ ସମାଧାନ ଦିଗରେ ସରକାର କାମ କରୁଛନ୍ତି ।

Add Zee News as a Preferred Source

ସମୁଦ୍ର କୂଳେ କୂଳେ ହେବ ସୁଉଚ୍ଚ ପ୍ରାଚୀର, ଯେପରି ସମୁଦ୍ର ପାଣି ଚାଷଜମି କି ଗାଁ ଗଣ୍ଡାକୁ ପଶିବ ନାହିଁ । ସାମୁଦ୍ରିକ ଝଡ଼ରେ ବିଦ୍ୟୁତ କ୍ଷେତ୍ର ଅଧିକ ପ୍ରଭାବିତ ହେଉଥିବାରୁ ଏହାର ଭୂତଳ କେବୁଲିଙ୍ଗ କରିବା ଜରୁରୀ । ସେହିପରି ଉପକୂଳ ଓଡ଼ିଶାରେ ଥିବା ପ୍ରାୟ ଲକ୍ଷେ ୬୬ ହଜାର କଚ୍ଚାଘରକୁ ପକ୍କାଘରରେ ପରିଣତ କରିବା ଜରୁରୀ । ଯାହା ଫଳରେ ବାତ୍ୟା ବେଳେ କେହି ବେଘର ହେବେ ନାହିଁ ଏବଂ ପକ୍କାଘର ଗୁଡ଼ିକ ଆଶ୍ରୟ ସ୍ଥଳ ଭାବେ ବ୍ୟବହାର ହୋଇପାରିବ ।

ହେଲେ ଏତେବଡ଼ ଯୋଜନା ବାବଦରେ ସରକାର ସମସ୍ତଙ୍କ ସହ ଆଲୋଚନା କରିବା ଦରକାର ବୋଲି ବିଜେପି କହିଛି । ଅନ୍ୟପଟେ କଂଗ୍ରେସ କହିଛି, କେନ୍ଦ୍ର ସରକାରଙ୍କ ପାଇଁ ୨୦ ହଜାର କୋଟି ଟଙ୍କା କିଛି ବଡ଼ ରାଶି ନୁହେଁ, ବର୍ଷକୁ ୫୦ହଜାର କୋଟି ଟଙ୍କାର ରାଜସ୍ୱ ଦେଉଛି ଓଡ଼ିଶା । ଓଡ଼ିଶାବାସୀଙ୍କୁ କେନ୍ଦ୍ର ବିଜେପି ସରକାର ଭଲ ପାଉଛି ବୋଲି ସବୁବେଳେ କହୁଥିବାରୁ ଏହି ଅନୁଦାନ ମିଳିବା ନେଇ ବିଳମ୍ବ ହେବ ନାହିଁ ବୋଲି କଂଗ୍ରେସ କହିଛି ।

ଅମ୍ପାନ କ୍ଷୟକ୍ଷତି ଆକଳନ କରିବାକୁ କେନ୍ଦ୍ରର ଏକ ୭ଜଣିଆ ଟିମ୍ ଆସି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ପରେ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଦୁଇ ସପ୍ତାହ ମଧ୍ୟରେ ରାଜ୍ୟ ସରକାର ବିଧିବଦ୍ଧ ଭାବେ କ୍ଷୟକ୍ଷତିର ବିସ୍ତୃତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେବେ ।

About the Author