ମଧ୍ୟପ୍ରଦେଶ ଫେରିଯିବ 'ସୁନ୍ଦରୀ', ଫେଲ ମାରିଲା ବ୍ୟାଘ୍ର ପ୍ରକଳ୍ପ

ବାଘ ସୁନ୍ଦରୀକୁ ମଧ୍ୟପ୍ରଦେଶର ଘୋରେଲାକୁ ପଠାଇବା ପାଇଁ କହିଛି ଏନଟିସିଏ

ମଧ୍ୟପ୍ରଦେଶ ଫେରିଯିବ 'ସୁନ୍ଦରୀ', ଫେଲ ମାରିଲା ବ୍ୟାଘ୍ର ପ୍ରକଳ୍ପ
ମଧ୍ୟପ୍ରଦେଶ ଫେରିଯିବ 'ସୁନ୍ଦରୀ', ଫେଲ ମାରିଲା ବ୍ୟାଘ୍ର ପ୍ରକଳ୍ପ

ଭୁବନେଶ୍ୱର: ମଧ୍ୟପ୍ରଦେଶକୁ ଫେରିଯିବ ବାଘୁଣୀ ସୁନ୍ଦରୀ । ଏହା ସହିତ ସାତକୋଶିଆ ବ୍ୟାଘ୍ରପ୍ରକଳ୍ପରେ ଏକ ପ୍ରକାର ପୂର୍ଣ୍ଣଛେଦ ପଡ଼ିବ । ଏନେଇ ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ଜଣାଇଛି ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟି ବା ଏନଟିସିଏ । ରାଜ୍ୟ ବନବିଭାଗର ଚରମ ଅବହେଳା ପରେ ଏଭଳି ନିଷ୍ପତ୍ତି ନେଇ ଏନଟିସିଏ । ଉକ୍ତ ପତ୍ରରେ ଏନଟିସିଏ ଲେଖିଛି ଯେ, ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟର ଘୋରେଲା କେନ୍ଦ୍ରକୁ ପଠାଯାଉ । 

ସୂଚନାଯୋଗ୍ୟ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ମଧ୍ୟପ୍ରଦେଶରୁ ଦୁଇଟି ବାଘଙ୍କୁ ଅନୁଗୁଳର ସାତକୋଶିଆକୁ ଅଣାଯାଇଥିଲା । ଇତି ମଧ୍ୟରେ ବାଘ ମହାବୀରର ମୃତ୍ୟୁ ହୋଇ ସାରିଛି । ବାଘୁଣୀ ସୁନ୍ଦରୀ ମଧ୍ୟ ଏନକ୍ଲୋଜରରେ ରହିଛି । ସୁନ୍ଦରୀ ଓ ମହାବୀର ସାତକୋଶିଆକୁ ଆସିବା ଦିନରୁ ହିଁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ବେଶ ଚର୍ଚ୍ଚାରେ ରହି ଆସିଛି । କେତେବେଳେ ସୁନ୍ଦରୀର ଜନବସତିରେ ପ୍ରବେଶକୁ ନେଇ ତ କେତେବେଳେ ମହାବୀରର ମୃତ୍ୟୁକୁ ନେଇ । 

ତେବେ ବନବିଭାଗର ଅବହେଳାକୁ ନେଇ ଏପରି ପଦକ୍ଷେପ ଗ୍ରହଣ କରିଛି ଏନଟିସିଏ । ବାଘ ସୁନ୍ଦରୀକୁ ମଧ୍ୟପ୍ରଦେଶର ଘୋରେଲାକୁ ପଠାଇବା ପାଇଁ କହିଛି ଏନଟିସିଏ । ସେପଟେ ବ୍ୟାଘ୍ର ପ୍ରକଳ୍ପ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଏକ ପ୍ରକାର ଫେଲ ମାରିଥିବା ସ୍ପଷ୍ଟ ହୋଇ ପଡ଼ିଛି ।