କେନ୍ଦ୍ର ସରକାର ପଲିସି ଆଣିବା ପୂର୍ବରୁ ରାଜ୍ୟର ପରାମର୍ଶ ନେବା ଆବଶ୍ୟକ: ବିଜେଡି
Advertisement

କେନ୍ଦ୍ର ସରକାର ପଲିସି ଆଣିବା ପୂର୍ବରୁ ରାଜ୍ୟର ପରାମର୍ଶ ନେବା ଆବଶ୍ୟକ: ବିଜେଡି

୧୭ରେ ମୋଦି-ନବୀନ ଆଲୋଚନା

ଫାଇଲ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସାରା ବିଶ୍ୱରେ ଭାରତ ୪ ନମ୍ବରରେ ପହଞ୍ଚିଛି ।  ସ୍ଥିତି ବିଗିଡ଼ି ଚାଲିଛି । କୋରୋନା ନିୟନ୍ତ୍ରଣ ପାଇଁ ୪ଥରର ଲକ୍‌ଡ଼ାଉନ୍ ପରେ ଅନ୍‌ଲକ୍ ପାର୍ଟ ୨ ଚାଲିଛି । ଜୁନ୍ ୩୦ ପରେ ସରକାର କୋରୋନା ପାଇଁ ଆଭିମୁଖ୍ୟରେ କେଉଁ ପ୍ରକାର ପରିବର୍ତ୍ତନ କରିବେ, ରାଜ୍ୟ ସରକାର କିପରି ଏହାର ପରିଚାଳନା କରିବେ ? ଏସବୁକୁ ନେଇ ଆଶଙ୍କା ଥିବା ବେଳେ ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଆଲୋଚନା ହେବ । ଜୀବନ ବଞ୍ଚାଇବାର ବାଟ ଖୋଜିବା ସହ ଜୀବିକାକୁ ସମାନ୍ତରାଳ ଭାବେ ଗୁରୁତ୍ୱ ଦିଆଯିବାର ଆଶା କରାଯାଉଛି । ତେବେ ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ ପାଇଁ ଅଧିକ ଆର୍ଥିକ ସହାୟତା ଦାବି କରିବାର ସମ୍ଭାବନା ରହିଛି ବୋଲି ସମୀକ୍ଷକ ମତ ଦେଇଛନ୍ତି ।

ସବୁଠି କୋରୋନା । ମହାମାରୀ ତାର କାୟା ବିସ୍ତାର କରି ଚାଲିଛି । ଓଡ଼ିଶାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । କୋଭିଡ଼୍ ୧୯ ପରିଚାଳନା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଗାଇଡଲାଇନ୍ ଆଣୁଛନ୍ତି । ଲକଡାଉନ୍‌, ସଟଡାଉନ୍‌, ନାଇଟ୍ କର୍ଫ୍ୟୁରେ ନିୟନ୍ତ୍ରଣର ବାଟ ଖୋଜା ଚାଲିଛି । ମାର୍ଚ୍ଚ ମାସରୁ ୪ଥର ଲକଡାଉନ୍ ପରେ ଏବେ ଅନଲକ୍ ପାର୍ଟ ଟୁ ଚାଲିଛି । ସ୍ଥିତି  ଯେହେତୁ ବିଗିଡ଼ିଚାଲିଛି, କ’ଣ ହେବ ସରକାରଙ୍କ ପରବର୍ତ୍ତୀ ଆଭିମୁଖ୍ୟ ? ଅନଲକ୍ ତୃତୀୟ ପର୍ଯ୍ୟାୟକୁ ଯିବେ ନା ଲକଡାଉନ୍‌ ପର୍ଯ୍ୟାୟକୁ ଫେରିବା । ଏସବୁ ଆଶା ଆଶଙ୍କା, ଜୀବନ ଓ ଜୀବିକାର ଦୋଛକି ଭିତରେ ପୁଣି ଥରେ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ । ୧୭ ତାରିଖ ଅପରାହ୍ନ ୩ଟାରେ ହେବ ନବୀନ-ମୋଦି ଆଲୋଚନା । ତେବେ ଏଥର ରାଜ୍ୟ ସରକାର କେନ୍ଦ୍ରୀୟ ସହାୟତା ଦାବି କରିବାର ସମ୍ଭାବନା ରହିଛି ବୋଲି ସମୀକ୍ଷକ ମତ ଦେଇଛନ୍ତି ।

କୋରୋନା ଗୋଟେ ପଟେ ଜୀବନ ନେଉଥିବା ବେଳେ ଅନ୍ୟ ପଟେ ଜୀବିକା ଉପରେ ବଡ଼ ପ୍ରଭାବ ପକାଇଛି । ଅର୍ଥନୀତି ସୁଧାରିବାକୁ ରାଜ୍ୟ ସରକାର ଖର୍ଚ୍ଚ କାଣ୍ଟଛାଣ୍ଟ କରୁଛନ୍ତି ।  ପେଟ୍ରୋଲିୟମ ଦ୍ରବ୍ୟରେ ଟିକସ ବୃଦ୍ଧି ସାଙ୍ଗକୁ ଅବକାରୀ ଉପରେ ମଧ୍ୟ ଟିକସ ବୃଦ୍ଧି କରିଛନ୍ତି । ହେଲେ ବଜାରରେ ଗ୍ରାହକ ନଥିବାରୁ ସେପଟୁ ବି ଆଖିଦୃଶିଆ ଆଦାୟ ହୋଇପାରୁନାହିଁ । ଏପଟେ ସଟଡାଉନ୍‌, ଲକଡାଉନ୍‌, କଟକଣା, ଗାଇଡଲାଇନ୍‌କୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ ଆସୁଛି । କେନ୍ଦ୍ର ଓ ରାଜ୍ୟ ସରକାର ଏ ଦ୍ୱନ୍ଦକୁ ଦୂର କରିବା ଆବଶ୍ୟକ ବୋଲି କଂଗ୍ରେସ କହିଥିବା ବେଳେ ବିଜେଡ଼ି କହିଛି, ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀଙ୍କ ଆଲୋଚନାରେ ଜୀବନ ସହ ଜୀବିକା ବି ମୁଖ୍ୟ ପ୍ରସଙ୍ଗ ରହିବ । ତେବେ କେନ୍ଦ୍ର ସରକାର ପଲିସି ଆଣିବା ପୂର୍ବରୁ ରାଜ୍ୟ ଗୁଡ଼ିକର ପରାମର୍ଶ ନେବା ଉଚିତ ବୋଲି ବିଜେଡ଼ି କହିଛି ।

କୋଭିଡ଼୍ ପରିଚାଳନା ପାଇଁ କେନ୍ଦ୍ର ସରକାରଙ୍କ ଗାଇଡ଼୍‌ଲାଇନ୍‌କୁ ଆଧାର କରି ରାଜ୍ୟ ସରକାର ନିଜସ୍ୱ ବିଜ୍ଞପ୍ତି ପ୍ରକାଶ କରୁଛନ୍ତି । ଏପରିକି ଜିଲ୍ଲା ସ୍ତରରେ ସ୍ଥିତିକୁ ଦେଖି ଜିଲ୍ଲାପାଳ ଏବଂ ପଞ୍ଚାୟତ ସ୍ତରରେ ସରପଞ୍ଚଙ୍କୁ ନିଷ୍ପତ୍ତି କ୍ଷମତା ମହାମାରୀଙ୍କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେଉଛି ।