ରାଜଧାନୀରେ କୁନି କଳାକାରଙ୍କ ମେଳି, ହାତରେ ସୃଜନଶୀଳତାର ସ୍ପର୍ଶ
Advertisement

ରାଜଧାନୀରେ କୁନି କଳାକାରଙ୍କ ମେଳି, ହାତରେ ସୃଜନଶୀଳତାର ସ୍ପର୍ଶ

ପ୍ଲାଷ୍ଟିକ ବ୍ୟବହାର କରି କୁନି ଶିଶୁ ତିଆରି କଲେ ବିଭିନ୍ନ ଜିନିଷ

 ରାଜଧାନୀରେ କୁନି କଳାକାରଙ୍କ ମେଳି, ହାତରେ ସୃଜନଶୀଳତାର ସ୍ପର୍ଶ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: କୁନି ହାତରେ ସୃଜନଶୀଳତାର ସ୍ପର୍ଶ । ଶିଶୁ ଦିବସ ଅବସରରେ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ଶିଶୁ ମହୋସ୍ତ୍ରବ ‘ସୁରଭି’ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି କୁନି ଛାତ୍ରଛାତ୍ରୀଙ୍କ ପ୍ରତିଭା । ଭୁବନେଶ୍ୱର ୟୁନିଟ ୯ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏହି ମହୋତ୍ସବରେ ରାଜ୍ୟର ସମସ୍ତ ୩୦ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ମାଟି, ବିଭିନ୍ନ ବର୍ଜ୍ୟବସ୍ତୁ ଓ କାଗଜକୁ ବ୍ୟବହାର କରି ପ୍ରସ୍ତୁତ କରିଛନ୍ତି ଘରକରଣା ଓ ସାଜସଜ୍ଜା ସାମଗ୍ରୀ । ଯାହା ଅତି ସୁନ୍ଦର ଓ ମନୋରମ ।

ମାଟିରେ ତିଆରି ଫୁଲ, ପଶୁ, ପକ୍ଷୀ, ଗଛ, ଲତା, କଣ୍ଢେଇ, ମାଠିଆ, ସୁରେଇ, ଘରକରଣା ଓ ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ କରିଛନ୍ତି କୁନି କଳାକାରମାନେ । ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଶତାଧିକ ଶିଶୁ ମାନେ ଏସବୁ ପ୍ରସ୍ତୁତ କରି ସେମାନଙ୍କ ଅନ୍ତର୍ନିହିତ କଳାର ପ୍ରତିପାଦନ କରିଛନ୍ତି । ପ୍ରଶିକ୍ଷକଙ୍କ ଠାରୁ କେଇ କ୍ଷଣ ତାଲିମ ନେଇ ମାଟିକୁ ବ୍ୟବହାର କରି ରଙ୍ଗ ଦେଇ ସୁନ୍ଦର ମୃଣ୍ମୟୀ କଳାକୃତି ମାନ ପ୍ରସ୍ତୁତ କରିଛନ୍ତି । ସେହିପରି ବର୍ଜ୍ୟବସ୍ତୁକୁ ବ୍ୟବହାର କରି ସୃଜନକଳାର ପ୍ରତିଭା ଦେଖାଇଛନ୍ତି କିଛି ଛାତ୍ରଛାତ୍ରୀ । ବିଭିନ୍ନ ପ୍ରକାର କାଗଜ ଓ କ୍ଷୀର ପ୍ୟାକେଟ ଜରି, ଚା କପ୍, ଆଇସକ୍ରିମ୍ କାଠି ଆଦି ଅବ୍ୟବହୃତ ପଦାର୍ଥକୁ ବ୍ୟବହାର କରି ଛତୁ, ଛତା, ଚେୟାର, ଟେବୁଲ, ମୟୂର ଆଦି ପ୍ରସ୍ତୁତ କରିଛନ୍ତି । ଆଉ ଏକ କୃତି ଭାବେ କାଗଜ ଭାଙ୍ଗ ଓ କଣ୍ଢେଇ ନାଚର ମଜା ନେଇଛନ୍ତି କୁନି କୁନି ଛାତ୍ରଛାତ୍ରୀ । ବିଭିନ୍ନ ରଙ୍ଗ ବେରଙ୍ଗର କାଗଜକୁ କାଟି ଭାଙ୍ଗ ଦେଇ ସେଥିରେ ଆକର୍ଷଣୀୟ ଚିତ୍ର ଓ ମନଲୋଭା ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ କରିଛନ୍ତି ଏହି କୁନି କଳାକାର ମାନେ ।

ତେବେ ନଭେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ୧୬ ତାରିଖ ସଂଧ୍ୟାରେ ଉଦଯାପିତ ହୋଇଥିବା ବେଳେ ଏଥିରୁ ପ୍ରଶିକ୍ଷଣ ନେଇଥିବା ବିଭନ୍ନ କଳାର ଅନୁଭୂତିକୁ ବିଦ୍ୟାଳୟ ଫେରିବା ପରେ ସେମାନଙ୍କ ସହପାଠୀ ଓ ଘରେ ବାଣ୍ଟିବା ସହ କାମରେ ଲଗାଇବେ ବୋଲି ମତ ଦେଇଛନ୍ତି ଛାତ୍ରଛାତ୍ରୀ ।