ମୁମ୍ବାଇ ଅର୍ଥର ରୋଡ୍ ଜେଲର ୭୭ କଏଦୀ ଏବଂ ୨୬ କର୍ମଚାରୀ କୋରୋନା ପଜିଟିଭ
Advertisement

ମୁମ୍ବାଇ ଅର୍ଥର ରୋଡ୍ ଜେଲର ୭୭ କଏଦୀ ଏବଂ ୨୬ କର୍ମଚାରୀ କୋରୋନା ପଜିଟିଭ

ଯେତେବେଳେ କୋରୋନା କାୟାବିସ୍ତାର କରିବା ଆରମ୍ଭ କରିଥିଲା, ସେବେଠୁ ମୁମ୍ବାଇର ସମସ୍ତ ୮ଟି ଜେଲକୁ ଆଇସୋଲେସନ କରି ରଖିଥିଲେ ମହାରାଷ୍ଟ୍ର ସରକାର । ମାତ୍ର ଏହା ସତ୍ତ୍ୱେ ମଧ୍ୟ କୋରୋନା କବଳରୁ ଜେଲ ପରିସରକୁ ରକ୍ଷା କରାଯାଇପାରିନାହିଁ । 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ବାଇ: ଜେଲକୁ ଧସେଇ ପଶିଲା କୋରୋନା । ମୁମ୍ବାଇ ଅର୍ଥର ରୋଡ୍ ଜେଲର ୭୭ କଏଦୀ ଏବଂ ୨୬ କର୍ମଚାରୀ କୋରୋନା ପଜିଟିଭ ବୋଲି ସ୍ପଷ୍ଟ ହୋଇଛି । ଯାହାକି ମହାରାଷ୍ଟ୍ର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ଜେଲର ରୋଷେୟା ଠାରୁ ଏହି କୋରୋନା ସଂକ୍ରମଣ ହୋଇଥିବା କୁହାଯାଉଛି । ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ହେଉନାହିଁ । ସଂକ୍ରମିତ କଏଦୀ ଏବଂ କର୍ମଚାରୀଙ୍କୁ ମୁମ୍ବାଇର ଜିଟି ହସ୍ପିଟାଲ ଏବଂ ସେଣ୍ଟ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ଯେତେବେଳେ କୋରୋନା କାୟାବିସ୍ତାର କରିବା ଆରମ୍ଭ କରିଥିଲା, ସେବେଠୁ ମୁମ୍ବାଇର ସମସ୍ତ ୮ଟି ଜେଲକୁ ଆଇସୋଲେସନ କରି ରଖିଥିଲେ ମହାରାଷ୍ଟ୍ର ସରକାର । ମାତ୍ର ଏହା ସତ୍ତ୍ୱେ ମଧ୍ୟ କୋରୋନା କବଳରୁ ଜେଲ ପରିସରକୁ ରକ୍ଷା କରାଯାଇପାରିନାହିଁ । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ କହିବା କଥା ହେଲା, ଜେଲର ୭୨ ଜଣ କଏଦୀ ରୋଷେୟାଙ୍କ ସଂସ୍ପର୍ଶରେ ଆସିଥିଲେ । ରୋଷେୟାଙ୍କ ଠାରେ କୋରୋନା ପଜିଟିଭ ଟିହ୍ନଟ ହୋଇଥିବାରୁ ତାଙ୍କଠାରୁ ଏହା ବ୍ୟାପିଥିବା ଜଣାପଡ଼ୁଛି । 

ଅନ୍ୟପଟେ ଏବେ କେବଳ ମୁମ୍ବାଇରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୨୧୯ରେ ପହଞ୍ଚିଛି । ସେହିପରି ୪୩୭ ଜଣଙ୍କ ମୃତ୍ୟୁ ହେଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।