ଦୀର୍ଘ ୭ ମାସ ପରେ ବି ସରିନି ଫନି ଦୁଃଖ, ଭଙ୍ଗା ସ୍କୁଲରେ ଚାଲିଛି ପାଠପଢା
Advertisement
Article Detail0/zeeodisha/odisha599057

ଦୀର୍ଘ ୭ ମାସ ପରେ ବି ସରିନି ଫନି ଦୁଃଖ, ଭଙ୍ଗା ସ୍କୁଲରେ ଚାଲିଛି ପାଠପଢା

ଦୀର୍ଘ ୭ ମାସ ପରେ ବି ବାତ୍ୟା ଫନିରେ ଭାଙ୍ଗିଯାଇଥିବା ସ୍କୁଲ ଏଯାବତ୍ ମରାମତି ହୋଇପାରିନି

ଦୀର୍ଘ ୭ ମାସ ପରେ ବି ସରିନି ଫନି ଦୁଃଖ, ଭଙ୍ଗା ସ୍କୁଲରେ ଚାଲିଛି ପାଠପଢା

ଗାୟତ୍ରୀ ଚକ୍ରବର୍ତ୍ତି, ଭୁବନେଶ୍ୱର: ଦୀର୍ଘ ୭ ମାସ ପରେ ବି ବାତ୍ୟା ଫନିରେ ଭାଙ୍ଗିଯାଇଥିବା ସ୍କୁଲ ଏଯାବତ୍ ମରାମତି ହୋଇପାରିନି । ଖୋଦ୍ ପୁରୀ ସହର ସରକାରୀ ବାଳିକା ସ୍କୁଲ ଏବଂ ଦତ୍ତତୋଟା ପ୍ରାଇମେରୀ ସ୍କୁଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଭଙ୍ଗାରୁଜା ଅବସ୍ଥାରେ ରହିଛି ଏହି ସ୍କୁଲଟି । ସେପଟେ ଗ୍ରାମାଞ୍ଚଳ ଗୁଡ଼ିକରେ ଥିବା ସ୍କୁଲଗୁଡ଼ିକ ମଧ୍ୟ ଅନେକ ଭାଙ୍ଗିରୁଜି ଯାଇଥିବା ବେଳେ ଆଜି ବି ବାତ୍ୟା ଆଶ୍ରୟସ୍ଥଳୀ ହେଉ ଅବା ଭାଙ୍ଗି ଯାଇଥିବା ସ୍କୁଲକୁ ଯାଇ ପିଲାମାନେ ପାଠ ପଢୁଛନ୍ତି । ସେପଟେ ଖାଲି ସ୍କୁଲର ଅବସ୍ଥା ନୁହେଁ, ପିଲାମାନଙ୍କର ମଧ୍ୟ ବହି ପତ୍ର ଫନିରେ ନଷ୍ଟ ହୋଇଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲେ ବି ଏଯାବତ୍ ସବୁ ପିଲାଙ୍କ ପାଖରେ ପହଞ୍ଚି ପାରିନାହିଁ ।

ସେପଟେ ସ୍କୁଲ ଗୁଡ଼ିକରେ ଗୋଟିଏ କ୍ଲାସରେ ଅନ୍ୟ ଛାତ୍ରଙ୍କୁ ମିଶାଇ ପାଠ ପଢାଇବା ମଧ୍ୟ ସମସ୍ୟା ଦେଖାଦେଉଛି । ଗୋଟିଏ ଶ୍ରେଣୀରେ ଦୁଇ ଦୁଇଟି କ୍ଲାସ୍ କରାଯାଉଛି । ତେଣୁ ଫନିର ୭ ମାସ ପରେ ଏଭଳି ଅବସ୍ଥାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ ଓ ପ୍ରଧାନ ଶିକ୍ଷୟିତ୍ରୀ ।

ବାତ୍ୟା ଫନିରେ ପ୍ରଭାବିତ ହୋଇଥିଲା ପୁରୀ ଜିଲ୍ଲାର ଅନେକ ବିଦ୍ୟାଳୟ । ଶିକ୍ଷା ବିଭାଗ ପକ୍ଷରୁ ୧୭୧୭ଟି ସ୍କୁଲ ମଧ୍ୟରୁ ୧୭୩ଟି ସ୍କୁଲ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ସେଥିରୁ ବ୍ଲକ୍ ଗ୍ରାଣ୍ଟ ୧୧୩ଟି ଥିବା ବେଳେ ୫୮ଟି ଏଡେଡ ସ୍କୁଲ ରହିଥିଲା । ତେବେ ପଞ୍ଚାୟତିରାଜ ବିଭାଗ ଅଧୀନରେ ସବୁ ସ୍କୁଲଗୁଡ଼ିକ ରହିଥିବା ବେଳେ ସବୁ ସ୍କୁଲ ପାଇଁ ୨ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଥିବା ବେଳେ ବିଡିଓ ମାନେ ତାହାର ତଦାରଖ କରି ମରାମତି କାମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିଛି ସ୍କୁଲ ଗୁଡ଼ିକରେ ମରାମତି ଆରମ୍ଭ ହୋଇଥିବା ବେଳେ ଦ୍ରୁତ ଗତିରେ ପୁନରୁଦ୍ଧାର କାମ ଚାଲିଛି ବୋଲି କହିଛନ୍ତି ଜିଲା ପ୍ରକଳ୍ପ ସଂଯୋଜିକା । ଆଗାମୀ ନୂଆବର୍ଷ ମଧ୍ୟରେ ନୂଆ ଫର୍ମାଟରେ କାର୍ଯ୍ୟ ହେବ ।
ତେବେ କେବେ ବଦଳିବ ପୁରୀ ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମି । ଖୋଦ୍ ଶିକ୍ଷାମନ୍ତ୍ରୀଙ୍କ ଜିଲ୍ଲା ହୋଇ ବି ଅଣଦେଖା କରାଯିବା ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି ।