ଜମ୍ମୁ କାଶ୍ମୀରକୁ ବିଶେଷ ମାନ୍ୟତା ଦେଉଥିବା ଧାରା ୩୭୦ର ଉଚ୍ଛେଦକୁ ନେଇ ଏବେ ଟିପ୍ପଣୀ ଦେଇଛି ଆମେରିକା ।
Trending Photos
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରକୁ ବିଶେଷ ମାନ୍ୟତା ଦେଉଥିବା ଧାରା ୩୭୦ର ଉଚ୍ଛେଦକୁ ନେଇ ଏବେ ଟିପ୍ପଣୀ ଦେଇଛି ଆମେରିକା । ଏହା ପଛରେ ଥିବା ଭାରତର ମହତ ଉଦ୍ଦେଶ୍ୟକୁ ସମର୍ଥନ କରିଛି । ହେଲେ ବର୍ତ୍ତମାନ ଘାଟିର ସ୍ଥିତି ଚିନ୍ତାଜନକ ବୋଲି କହିଛି ଟ୍ରମ୍ପ ପ୍ରଶାସନ ।
ମଙ୍ଗଳବାର ଦକ୍ଷିଣ ଏବଂ ମଧ୍ୟ ଏସିଆ ମାମଲାରେ ଆମେରିକାର କାର୍ଯ୍ୟବାହକ ସହାୟକ ବୈଦେଶିକ ମନ୍ତ୍ରୀ ଏଲିସ ଜି ବେଲ୍ସ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଜମ୍ମୁ କାଶ୍ମୀରରେ ଆର୍ଥିକ ବିକାଶ ଏବଂ ଭ୍ରଷ୍ଟାଚାର ମୁକ୍ତ କରିବାକୁ ଏହି ଧାରା ଉଚ୍ଛେଦ ହୋଇଥିବା ଭାରତ କହୁଛି । ବିଶେଷ କରି ମହିଳା ଏବଂ ଅଳ୍ପସଂଖ୍ୟକଙ୍କ କ୍ଷେତ୍ରରେ ସମସ୍ତ ରାଷ୍ଟ୍ରୀୟ ନିୟମ କାନୁନରେ ସମାନତା ଆଣିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।
ବେଲ୍ସ କହିଛନ୍ତି, ଭାରତର ଏହି ଉଦ୍ଦେଶ୍ୟକୁ ଆମେ ସମର୍ଥନ କରୁଛୁ । କିନ୍ତୁ ଆମେରିକାର ବୈଦେଶିକ ମନ୍ତ୍ରଣାଳୟ କାଶ୍ମୀର ଘାଟିର ସ୍ଥିତି ନେଇ ଚିନ୍ତିତ ଅଛି । ୫ ଅଗଷ୍ଟ ପରଠୁ ୮୦ ଲକ୍ଷ ଲୋକଙ୍କ ଜୀବନ ବହୁତ ପ୍ରଭାବିତ ହୋଇଛି । ଧାରା ୩୭୦ର ଉଚ୍ଛେଦ ପରଠୁ ପୁରା ସ୍ଥିତି ଉପରେ ଆମେରିକାର ନଜର ରହିଛି ବୋଲି କହିଛନ୍ତି ବେଲ୍ସ । ଜମ୍ମୁ ଓ ଲଦାଖରେ ସ୍ଥିତି ସୁଧୁରିଥିବା ବେଳେ କାଶ୍ମୀର ସ୍ଥିତି ସାମାନ୍ୟ ନଥିବା ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ନେତାମାନେ ହେପାଜତରେ ଥିବାରୁ ଆମେରିକା ବୈଦେଶିକ ମନ୍ତ୍ରଣାଳୟ ଭାରତ ସରକାରଙ୍କ ନିକଟରେ ଚିନ୍ତାବ୍ୟକ୍ତ କରିଛି । କାଶ୍ମୀରରେ ମାନବାଧିକାରର ସମ୍ମାନ ଏବଂ ମୋବାଇଲ, ଇଣ୍ଟରନେଟ ଓ ଅନ୍ୟ ସେବା ପହଞ୍ଚାଇବା ପାଇଁ ଭାରତ ପାଖରେ ଅପିଲ କରିଛୁ । ସ୍ଥାନୀୟ ଏବଂ ବିଦେଶୀ ଗଣମାଧ୍ୟମ କାଶ୍ମୀର ଘଟଣାକ୍ରମକୁ କଭର କରୁଛନ୍ତି ସତ । ହେଲେ ସୁରକ୍ଷା ସମ୍ୱନ୍ଧିତ କଟକଣା ଯୋଗୁଁ ତାଙ୍କୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡୁଥିବା କହିଛନ୍ତି ବେଲ୍ସ ।