ପରବ-୨୦୧୯, ନାଚିଲେ ନେତା ଓ ଅଧିକାରୀ
Advertisement

ପରବ-୨୦୧୯, ନାଚିଲେ ନେତା ଓ ଅଧିକାରୀ

ଆଦିବାସୀ ସଂସ୍କୃତି, ଐତିହ୍ୟ ଓ ପରମ୍ପରା ବହନ କରୁଥିବା କୋରାପୁଟ ଜିଲ୍ଲାରେ 'ପରବ' ପାଳିତ ହୋଇଯାଇଛି । ଲୁକ୍କାୟିତ କଳା ଓ ସଂସ୍କୃତିକୁ ଲୋକଲୋଚନକୁ ଆଣିବା ପାଇଁ ଏହା ଭିନ୍ନ ଏକ ପ୍ରୟାସ  । ହଜିଯାଉଥିବା ଆଦିବାସୀ କଳା ସଂସ୍କୃତିର ଲୋକପ୍ରିୟତା ଅନୁସନ୍ଧାନ ପାଇଁ ପ୍ରତିବର୍ଷ 'ପରବ' ପାଳିତ ହେଉଛି ।

ପରବ-୨୦୧୯

ଦେବେଶ କୁମାର ନାହକ, କୋରାପୁଟ: ଜିଲ୍ଲାର ବୋରିଗୁମ୍ମାରେ ପାଳିତ ହୋଇଛି ବ୍ଲକସ୍ତରୀୟ ପରବ-୨୦୧୯ ।  ପ୍ରଥମେ ଜିଲ୍ଲାରେ ବ୍ଲକସ୍ତରୀୟ ଓ ପରେ ଜିଲ୍ଲାସ୍ତରୀୟ ପରବ ପାଳିତ ହୋଇଥାଏ। ବୋରିଗୁମ୍ମା ଭୈରବ ମନ୍ଦିରଠାରୁ ଏହାର  ଶୁଭାରମ୍ଭ ହୋଇଛି ।  

ବିଧାୟକ ତାରପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ଦିରରେ ପୂଜାର୍ଚ୍ଚନା ସହ ମଶାଲ ଶୋଭାଯାତ୍ରାର ଆରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡିଓ ପ୍ରଣୟ ରଞ୍ଜନ ବେହେରା , ଜିଲ୍ଲା ପରିଷଦ,  ସରପଞ୍ଚ, ସମିତି ସଭ୍ୟ ଯୋଗ ଦେଇଥିଲେ । ଉପସ୍ଥିତ ଦର୍ଶକ ଓ ନେତାଙ୍କ ମନ ମୋହିଥିଲା ବାଜାବାଜଣା ଓ କଳସ ଯାତ୍ରା ସହ ଆଦିବାସୀଙ୍କ ଢେମସା ନୃତ୍ୟ ।  ଅତି ସୁନ୍ଦର ଭାବେ ନୃତ୍ୟ ପରିବେଷଣ କରିଥିଲେ କଳାକାର ।  ବିରାଟ ପଟୁଆରରେ ପରବ ପଡ଼ିଆରେ ପହଞ୍ଚିଥିଲା ଯାତ୍ରା ।
  
କେବଳ ଏତିକି ନୁହେଁ, ରାଜନୀତି ଭୁଲି ନାଚଗୀତରେ ମସୁଗୁଲ ହୋଇଥିଲେ ନେତା ।  କଂଗ୍ରେସ, ବିଜେଡି ସମେତ ବିଜେପି ନେତା ଓ କର୍ମୀ, ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଏଠାରେ ନାଚିଥିଲେ । ଏଭଳି ଦୃଶ୍ୟକୁ ବେଶ୍ ଉପଭୋଗ କରିଥିଲେ ସମସ୍ତେ । ନାଚଗୀତ ସହ ପରବ ପଡ଼ିଆରେ ବିଭିନ୍ନ ବିଭାଗ ପକ୍ଷରୁ ଭିନ୍ନଭିନ୍ନ ୧୨ଟି ଷ୍ଟଲ୍ ଖୋଲାଯାଇଥିଲା ।  ଦିନତମାମ ପରବ ପଡ଼ିଆରେ କୋରାପୁଟ ଆଦିବାସୀଙ୍କ ହଜିଯାଇଥିବା ମହୁରୀ, ଢେମସା ଭଳି ନୃତ୍ୟ ପ୍ରତିଯୋଗିତା ହୋଇଥିଲା। ସ୍ଥାନୀୟ ବାଲୁକା ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ବାଲୁକା କଳାକୁ ବେଶ୍ ପ୍ରଶଂସା କରିଥିଲେ ଦର୍ଶକ ।

ସନ୍ଧ୍ୟାରେ ପରବ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଏଥିରେ ମୁଖ୍ୟ ଆକର୍ଷଣ ଥିଲା ବ୍ରହ୍ମପୁରର ପ୍ରିନ୍ସ ଡ୍ୟାନ୍ସ ଗ୍ରୁପଙ୍କ ନୃତ୍ୟ ପରିବେଷଣ। ଏଥିସହ ତୋତସଙ୍ଗେ କୋରପୁଟିୟା ଆଦିବାସୀ ନୃତ୍ୟ ମଧ୍ୟ ପରିବେଷଣ କରିଥିଲେ କଳାକାର । ଶେଷରେ ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କଳାକାର ଓ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। 'ପରବ' ମାଧ୍ୟମରେ ହଜିଯାଉଥିବା କଳା ଓ ସଂସ୍କୃତିକୁ ଲୋକଲୋଚନକୁ ଆଣିବା ପାଇଁ ଜିଲ୍ଲାବାସୀଙ୍କ ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି ।