ଜଗନ ସରକାରଙ୍କ ବଡ ଘୋଷଣା: ଜୁନିୟର ଓକିଲଙ୍କୁ ମିଳିବ ମାସିକ ୫ ହଜାର ଟଙ୍କା
Advertisement
Article Detail0/zeeodisha/odisha585848

ଜଗନ ସରକାରଙ୍କ ବଡ ଘୋଷଣା: ଜୁନିୟର ଓକିଲଙ୍କୁ ମିଳିବ ମାସିକ ୫ ହଜାର ଟଙ୍କା

ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ ଘୋଷଣା । ଜୁନିୟର ଓକିଲ, ବୁଣାକାର, ମତ୍ସଜୀବୀଙ୍କୁ ଖୁସ କରିଦେଲେ ଜଗନ ସରକାର । 

ଜୁନିୟର ଓକିଲଙ୍କୁ ମାସିକ ୫ ହଜାର ଟଙ୍କାର ସହାୟତା

ଅମରାବତୀ: ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ ଘୋଷଣା । ଜୁନିୟର ଓକିଲ, ବୁଣାକାର, ମତ୍ସଜୀବୀଙ୍କୁ ଖୁସ କରିଦେଲେ ଜଗନ ସରକାର । ଜୁନିୟର ଓକିଲଙ୍କୁ ମାସିକ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଦେବାପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ସେହିପରି ମତ୍ସଜୀବୀ ଏବଂ ବୁଣାକାରଙ୍କ ପାଇଁ ମଧ୍ୟ ଲୋଭାଣିଆ ଘୋଷଣା କରାଯାଇଛି । 

ୱାଏସଆର ସରକାରଙ୍କ ଘୋଷଣା ମୁତାବକ, ବୁଣାକାରମାନଙ୍କୁ ବାର୍ଷିକ ୨୪ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ । ଆସନ୍ତା ଡିସେମ୍ବର ୨୧ ତାରିଖରୁ ୱାଏସଆର ନେତନ୍ନା ନେସ୍ତାମ ଯୋଜନାରେ ଏହି ଅର୍ଥରାଶି ପ୍ରଦାନ କରାଯିବ । ସେହିପରି ମତ୍ସଜୀବୀଙ୍କ ପାଇଁ ମଧ୍ୟ ବଡ ଘୋଷଣା କରିଛନ୍ତି ଆନ୍ଧ୍ର ସରକାର । ମତ୍ସଜୀବୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଦେବାକୁ ଘୋଷଣା କରାଯାଇଛି । 

ମତ୍ସଜୀବୀଙ୍କୁ ଏହି ସହାୟତା ରାଶି ସେବେ ମିଳିବ, ଯେଉଁ ମାସରେ ମାଛ ଧରିବା ଉପରେ ରୋକ ଲାଗିଥାଏ ।  ତେବେ ଆନ୍ଧ୍ର ସରକାରଙ୍କ ଏହି ଘୋଷଣା ପରେ ଓକିଲ, ବୁଣାକାର ଏବଂ ମତ୍ସଜୀବି, ସମସ୍ତେ ଖୁସ । 

ତେବେ ଏହାପୂର୍ବରୁ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ଜଗନ ସରକାର । ଅଟୋ ଚାଳକଙ୍କୁ ୧୦ ହଜାର , କୃଷକଙ୍କୁ ୧୩ ହଜାର ୫ଶହ ଏବଂ ପିଲାଙ୍କୁ ବିଦ୍ୟାଳୟ ପଠାଉଥିବା ମହିଳାଙ୍କୁ ୧୫ ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ଏପରିକି ଗରିବଙ୍କ ପାଇଁ ୨୫ଲକ୍ଷ ଘର ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ । ଆସନ୍ତା ବର୍ଷ ଉଗାଦି ପର୍ବ ଭିତରେ ଘର ଦିଆଯିବାକୁ ଲକ୍ଷ୍ୟ ରରଖାଯାଇଛି । 

କହିରଖୁଛୁ, ନିଜର ଲୋକଭିମୁଖୀ କାମ ପାଇଁ ଖୁବ କମ ଦିନରେ ବେଶ ଲୋକପ୍ରିୟ ହୋଇପାରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ସରଳ ଜୀବନଯାପନରେ ବିଶ୍ୱାସ ରଖୁଥିବା ଜଗନ ରାଜ୍ୟବାସୀଙ୍କ ମନ କିଣିବାରେ ସଫଳ ହୋଇଛନ୍ତି । ବିଭିନ୍ନ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥାନ୍ତି ଜଗନ । ଆଉ ଏବେ ଯେତେବେଳେ ଗାନ୍ଧୀଙ୍କ ଆଦର୍ଶ ଉପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ଗୁରୁତ୍ୱ ଦେଉଛନ୍ତି, ଠିକ ସେତିକିବେଳେ ବୁଣାକାରଙ୍କୁ ଆର୍ଥିକ ସହାୟତା ଘୋଷଣା କରି ଗାନ୍ଧୀଙ୍କ ସ୍ୱପ୍ନ ପୂରଣ କରିବାକୁ ଗୋଟିଏ ପାଦ ଆଗକୁ ବଢିଛନ୍ତି ଆନ୍ଧ୍ର ସରକାର । ତେବେ ଆଜିର ଘୋଷଣା ୱାଏସଆର କଂଗ୍ରେସ ସରକାରଙ୍କୁ କେତେ ମାଇଲେଜ ଦେଉଛି, ତାହା ସମୟ କହିବ ।