ସିଏଏକୁ ନେଇ ବିଜେପି ଉପରେ ବର୍ଷିଲେ ରାହୁଲ
Advertisement
Article Detail0/zeeodisha/odisha616714

ସିଏଏକୁ ନେଇ ବିଜେପି ଉପରେ ବର୍ଷିଲେ ରାହୁଲ

କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ ଗୌହାଟିରେ ଅନୁଷ୍ଠିତ ଏକ ରାଲିକୁ ସମ୍ବୋଧନ କରି ବିଜେପି ଓ ଆରଏସଏସକୁ ତୀବ୍ର ସମାଲୋଚନା କରିଥିଲେ ।

ସିଏଏକୁ ନେଇ ବିଜେପି ଉପରେ ବର୍ଷିଲେ ରାହୁଲ

ଗୌହାଟି: ଆସାମ ଗସ୍ତରେ କଂଗ୍ରେସର ଯୁବରାଜ ତଥା ଓ୍ୱାୟନାଡ଼ ରାହୁଲ ଗାନ୍ଧୀ । କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ ଗୌହାଟିରେ ଅନୁଷ୍ଠିତ ଏକ ରାଲିକୁ ସମ୍ବୋଧନ କରି ବିଜେପି ଓ ଆରଏସଏସକୁ ତୀବ୍ର ସମାଲୋଚନା କରିଥିଲେ । ସେ କହିଥିଲେ କି ଆସାମର ଯୁବକମାନେ ଏହି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି । ପୋଲିସକୁ ଗୁଳି କରିବାର କଣ ଆବଶ୍ୟକତା କଣ ଥିଲା ବୋଲି ସେ ପ୍ରଶ୍ନ କରିଥିଲେ । ଜୀବନ ନେବାର କଣ ଆବଶ୍ୟକତା ରହିଛି । ଏମାନେ ଯୁବକ, ମା, ଭଉଣୀମାନଙ୍କର  ସ୍ୱରକୁ ଦବାଇବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଥିଲେ ।  

ରାହୁଲ କହିଥିଲେ, ଆମେମାନେ ବିଜେପି ଏବଂ ଆରଏସଏସ ଆସାମର ଇତିହାସ, ଭାଷା, ସଂସ୍କୃତି ଉପରେ ଆକ୍ରମଣ କରିବାକୁ ଦେବୁନାହିଁ । ଆସାମର ନେତୃତ୍ୱ ଆସାମର ଯୁବକ ହିଁ ନେବ । ସେମାନେ ଯଦି ଭାବୁଥାନ୍ତି ଉତ୍ତର ପୂର୍ବ ରାଜ୍ୟର ପରିଚୟ ହଜାଇ ଦେବେ, ତାହାର ଭାଷା, ସଂସ୍କୃତି କିମ୍ବା ଐତିହ୍ୟକୁ ହଜାଇ ଦେବାକୁ ପ୍ରୟାସ କରନ୍ତି, ତେବେ ତାହା ଭାବିବା ସମ୍ପୂର୍ଣ୍ଣ ଭାବେ ଭୁଲ । ଆମେ ସଂସଦରେ ସିଧାସିଧା କହିଦେଇଛୁ ଯେ, ଏହି ବିଲକୁ ଆମେ କେବେ ହେଲେ ପାସ କରାଇ ଦେବୁନାହିଁ । ଆମେ ଆସାମର ଲୋକଙ୍କ ଉପରେ ଆକ୍ରମଣ ହେବାକୁ କେବେ ହେଲେ ଦେବୁ ନାହିଁ । ସିଏ ଯାହା ବି ହେଉନା କାହିଁକି ବୋଲି ରାହୁଲ ଜୋର ଦେଇ କହିଥିଲେ ।  

ସେ ଆହୁରି ମଧ୍ୟ କହିଥିଲେ କି, ଆସାମ ହିଂସାରେ ମୃତ୍ୟୁ ବରଣ କରିଥିବା ପରିବାରର ସଦସ୍ୟଙ୍କୁ ଭେଟିବୁ । ରାଜ୍ୟରେ ହିଂସାର କୌଣସି ସ୍ଥାନ ନାହିଁ । ଭଲପାଇବା, ଭାଇଚାରା ସମ୍ପର୍କ ମାଧ୍ୟମରେ ସବୁକିଛି ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ ।  

ସୂଚନାଯୋଗ୍ୟ ଆଜି କଂଗ୍ରେସର 135 ତମ ପ୍ରତିଷ୍ଠା ଦିବସ । ତମାମ ଦେଶରେ କଂଗ୍ରେସ ସମ୍ବିଧାନ ବଞ୍ଚାଅ ଅଭିଯାନ ରାଲିର ଆୟୋଜନ କରିଛି । ମୁମ୍ବାଇରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଛନ୍ତି ।