ଜାଣିଛନ୍ତି, ଐତିହାସିକ ଅଯୋଧ୍ୟା ମାମଲାର ରାୟ ଶୁଣାଇବାକୁ ଥିବା ସେହି ୫ ବିଚାରପତିଙ୍କ ବିଷୟରେ...
Advertisement

ଜାଣିଛନ୍ତି, ଐତିହାସିକ ଅଯୋଧ୍ୟା ମାମଲାର ରାୟ ଶୁଣାଇବାକୁ ଥିବା ସେହି ୫ ବିଚାରପତିଙ୍କ ବିଷୟରେ...

ଦୀର୍ଘ ୪୦ ଦିନ ଧରି ଶୁଣାଣି ହୋଇଥିବା ଏହି ମାମଲାର କଣ ଆସିବ ରାୟ, ତା ଉପର ସମଗ୍ର ଦେଶର ନଜର ରହିଛି । ତେବେ ଆପଣ ଜାଣିଛନ୍ତି କି ଯେଉଁ ବିଚାରପତିମାନେ ଏହି ମାମଲାର ଶୁଣାଣି କରୁଥିଲେ, ତାଙ୍କ ବିଷୟରେ ?

5 judges profile of ayodhya case

ନୂଆଦିଲ୍ଲୀ: ଗତକାଲି ଆଯୋଧ୍ୟା ମାମଲାର ଶୁଣାଣି ଶେଷ ହୋଇଛି । ଏହାର ରାୟ ସଂରକ୍ଷିତ ରଖିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଆସନ୍ତା ନଭେମ୍ବର ୧୭ ତାରିଖ ପୂର୍ବରୁ ରାୟ ପ୍ରକାଶ ପାଇପାରେ । ଫଳରେ ବର୍ଷ ବର୍ଷ ଧରି ଅଦାଲତରେ ପଡି ରହିଥିବା ଏହି ମାମଲା ସମାପ୍ତ ହେବ ବୋଲି ଆଶା କରାଯାଉଛି । ଦୀର୍ଘ ୪୦ ଦିନ ଧରି ଶୁଣାଣି ହୋଇଥିବା ଏହି ମାମଲାର କଣ ଆସିବ ରାୟ, ତା ଉପର ସମଗ୍ର ଦେଶର ନଜର ରହିଛି । ତେବେ ଆପଣ ଜାଣିଛନ୍ତି କି ଯେଉଁ ବିଚାରପତିମାନେ ଏହି ମାମଲାର ଶୁଣାଣି କରୁଥିଲେ, ତାଙ୍କ ବିଷୟରେ ?

(୧) ଜଷ୍ଟିସ ରଞ୍ଜନ ଗୋଗୋଇ-

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ । ଅଯୋଧ୍ୟା ମାମଲାର ଶୁଣାଣି କରୁଥିବା ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠର ଅଧ୍ୟକ୍ଷତା କରୁଛନ୍ତି ସେ । ୨୦୧୮ ଅକ୍ଟୋବର ୩ରେ ସେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୫୪ ନଭେମ୍ବର ୧୮ ତାରିଖରେ ତାଙ୍କର ଜନ୍ମ । ୧୯୭୮ ମସିହାରେ ସେ ବାର କାଉନସିଲରେ ଯୋଗ ଦେଇଥିଲେ । ଗୌହାଟି ହାଇକୋର୍ଟରେ ସେ ନିଜର ଓକିଲାତି ଆରମ୍ଭ କରିଥିଲେ । ୨୦୦୧ ମସିହାରେ ଗୌହାଟି ହାଇକୋର୍ଟର ବିଚାରପତି ରହିଥିଲେ ।  

ପରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ମଧ୍ୟ ବିଚାରପତି ହୋଇଥିଲେ । ୨୦୧୧ରେ ପଞ୍ଜାବ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ତାଙ୍କୁ ନିଯୁକ୍ତି ମିଳିଥିଲା । ସେହିପରି ୨୦୧୨ ଏପ୍ରିଲ ୨୩ରେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ ଜଷ୍ଟିସ ରଞ୍ଜନ ଗୋଗୋଇ । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳ ଆସନ୍ତା ନଭେମ୍ବର ୧୭ ତାରିଖରେ ସରୁଛି । ତେବେ ତାଙ୍କ କାର୍ଯ୍ୟକାଳ ଭିତରେ ଏନଆରସି, ଆଧାର, ଜମ୍ମୁ କାଶ୍ମୀର ଉପରେ ଯାଚିକା ପରି ବହୁ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ । 

(୨) ଜଷ୍ଟିସ ଶରଦ ଅରବିନ୍ଦ ବୋୱଡେ-

ଏହି ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋୱଡେ । ୧୯୭୮ରେ ସେ ମହାରାଷ୍ଟ୍ର ବାର କାଉନସିଲରେ ଯୋଗ ଦେଇଥିଲେ । ଏହାପରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚର ସେ ଓକିଲାତି ପ୍ରାକ୍ଟିସ କରିଥିଲେ । ୨୦୦୦ ମସିହାରେ ବମ୍ବେ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବରେ ତାଙ୍କୁ ନିଯୁକ୍ତି ମିଳିଥିଲା । ପରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ । ।୨୦୧୩ ମସିହାରୁ ସେ ସୁପ୍ରିମକୋର୍ଟର ବିଚାରପତି ରହିଛନ୍ତି । 

(୩) ଜଷ୍ଟିସ ଧନଞ୍ଜୟ ଯଶବନ୍ତ ଚନ୍ଦ୍ରଚୁଡ-

୨୦୧୬ ମେ ୧୩ରେ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ଜଷ୍ଟିସ ଧନଞ୍ଜୟ ଯଶବନ୍ତ ଚନ୍ଦ୍ରଚୁଡ । ତାଙ୍କ ପିତା ଜଷ୍ଟିସ ଯଶବନ୍ତ ବିଷ୍ଣୁ ଚନ୍ଦ୍ରଚୁଡ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଥିଲେ । ସୁପ୍ରିମକୋର୍ଟରେ ବିଚାରପତି ହେବା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପଚି ଥିଲେ ଜଷ୍ଟିସ ଡି।ୱାଇ ଚନ୍ଦ୍ରଚୁଡ । ବମ୍ବେ ହାଇକୋର୍ଟରେ ମଧ୍ୟ ତାଙ୍କୁ ନିଯୁକ୍ତି ମିଳିଥିଲା । ବିଚାରପତି ହେବା ପୂର୍ବରୁ ଦେଶର ଏଡିସନାଲ ସିଲିସିଟର ଜେନେରାଲ ରହିଥିଲେ । 

(୪) ଜଷ୍ଟିସ ଅଶୋକ ଭୂଷଣ-

ଜଷ୍ଟିସ ଅଶୋକ ଭୂଷଣଙ୍କ ଜନ୍ମ ଉତ୍ତରପ୍ରଦେଶର ଜୌନପୁରରେ । ୧୯୭୯ରେ ସେ ୟୁପି ବାର କାଉନସିଲରେ ଯୋଗ ଦେଇଥିଲେ । ପରେ ଆହ୍ଲାବାଦ ହାଇକୋର୍ଟରେ ଓକିଲାତି ପ୍ରାକ୍ଟିସ କରିଥିଲେ । 
୨୦୦୧ ମସିହାରେ ତାଙ୍କୁ ବିଚାରପତି ଭାବରେ ନିଯୁକ୍ତି ମିଳିଥିଲା । ୨୦୧୪ରେ କେରଳ ହାଇକୋର୍ଟର ବିଚାରପତି ଏବଂ ୨୦୧୫ରେ ଏହି ହାଇକୋର୍ଟରେ ମୁଖ୍ୟ ବିଚାରପତି ହୋଇଥିଲେ ଜଷ୍ଟିସ ଅଶୋକ ଭୂଷଣ । ୨୦୧୬ ମେ ୧୩ରୁ ସେ ସୁପ୍ରିମକୋର୍ଟର ବିଚାରପତି ଅଛନ୍ତି । 

(୫) ଜଷ୍ଟିସ ଅବଦୁଲ ନଜୀର-

ଅଯୋଧ୍ୟା ମାମଲାର ଶୁଣାଣି କରୁଥିବା ଅନ୍ୟତମ ବିଚାରପତି ହେଉଛନ୍ତି ଜଷ୍ଟିସ ଅବଦୁଲ ନଜୀର । ୧୯୮୩ ରେ ସେ ଓକିଲାତି ଆରମ୍ଭ କରିଥିଲେ । କର୍ଣ୍ଣାଟକ ହାଇକୋର୍ଟରେ ସେ ଓକିଲାତି ପ୍ରାକ୍ଟିସ କରିଥିଲେ । ପରବର୍ତ୍ତି ସମୟରେ ପ୍ରଥମେ ଅତିରିକ୍ତ ଏବଂ ପରେ ସ୍ଥାୟୀ ବିଚାରପତି ଭାବରେ ତାଙ୍କୁ ନିଯୁକ୍ତି ମିଳିଥିଲା । ୨୦୧୭ରୁ ସେ ସୁପ୍ରିମକୋର୍ଟର ବିଚାରପତି ଅଛନ୍ତି ।