ରାଜ୍ୟସଭାରେ CABକୁ ପାରିତ କରିବାରେ ସଫଳ ହେବେ ତ କେନ୍ଦ୍ର ସରକାର ?
Advertisement

ରାଜ୍ୟସଭାରେ CABକୁ ପାରିତ କରିବାରେ ସଫଳ ହେବେ ତ କେନ୍ଦ୍ର ସରକାର ?

ଆଜି ରାଜ୍ୟସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଧେୟକ(CAB)। ରାଜରାସ୍ତାରୁ ସଂସଦ, ସବୁଠି ବିଲକୁ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଧେୟକ(CAB)। ରାଜରାସ୍ତାରୁ ସଂସଦ, ସବୁଠି ବିଲକୁ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି । ଆଉ ଏହାରି ଭିତରେ ଏହି ବିଲକୁ ଲୋକସଭାରେ ପାରିତ କରାଇବାରେ ସଫଳ ହୋଇଛନ୍ତି ମୋଦି ସରକାର । ତେବେ ଲୋକସଭାରେ ଏନଡିଏର ସଂଖ୍ୟା ଯଥେଷ୍ଟ ଅଧିକ । ତେଣୁ ସେମିତି କିଛି ସମସ୍ୟା ସାମନା କରିବାକୁ ପଡିନଥିଲା । ମାତ୍ର ରାଜ୍ୟସଭାରେ ଏହି ବିଲକୁ ପାରିତ କରିବା ସେତେ ସହଜ ନୁହେଁ । ଯଦିଓ ବିଲ ପାରିତ ପାଇଁ କେନ୍ଦ୍ର ସରକାରଙ୍କୁ ଆବଶ୍ୟକ ସଂଖ୍ୟା ମିଳିଯାଇପାରେ,  ତେବେ ବିରୋଧୀ ମଧ୍ୟ ଗୃହରେ ପ୍ରବଳ ହଟ୍ଟଗୋଳ କରିବେ ନିଶ୍ଚୟ । ଆଜି ଅପରାହ୍ନ ୨ଟାରେ CAB ଉପରେ ରାଜ୍ୟସଭାରେ ଚର୍ଚ୍ଚା ଆରମ୍ଭ ହେବ ବୋଲି ଜଣାପଡିଛି । 

fallback

ସୋମବାର ଲୋକସଭାରେ ଏହି ବିଲ ପାରିତ ହୋଇଥିଲା । ବିଲ ସପକ୍ଷରେ ୩୩୪ ଖଣ୍ଡ ଭୋଟ ପଡିଥିବା ବେଳେ ବିପକ୍ଷରେ ମାତ୍ର ୧୦୬ ଖଣ୍ଡ ଭୋଟ ପଡିଥିଲା । କଂଗ୍ରେସ ଏବଂ ବାମ ଦଳଗୁଡିକୁ ବିଲକୁ ତୀବ୍ର ବିରୋଧ କରିଥିଲେ । ତେବେ ଏନଡିଏଠାରୁ ସମ୍ପର୍କ ଛିନ୍ନ କରିଥିବା ଶିବସେନା କିନ୍ତୁ ବିଲ ସପକ୍ଷରେ ଭୋଟ ଦେଇଥିଲା । 

fallback

କ'ଣ କହୁଛି ରାଜ୍ୟସଭାର ଅଙ୍କ ?

ଏବେ ରାଜ୍ୟସଭାରେ ମୋଟ ୨୪୦ଜଣ ସଦସ୍ୟ ଅଛନ୍ତି । ଅର୍ଥାତ ୧୨୧ ସାଂସଦଙ୍କ ସମର୍ଥନ ମିଳିଲେ ବିଲ ପାରିତ ହୋଇପାରିବ । ଏନଡିଏ ପାଖରେ ୧୧୬ ସାଂସଦ ଅଛନ୍ତି । ବିଜୁ ଜନତା ଦଳ(BJD) ଏହି ବିଲ ସପକ୍ଷରେ ଭୋଟ ଦେବ ବୋଲି ସ୍ପଷ୍ଟ କରିଛି । ବର୍ତ୍ତମାନ ବିଜେଡିର ୭ ଜଣ ରାଜ୍ୟସଭା ସାଂସଦ ଅଛନ୍ତି । ସେହିପରି ୱାଇଏସଆର କଂଗ୍ରେସର ୨ ସାଂସଦ ମଧ୍ୟ ବିଲ ସପକ୍ଷରେ ଭୋଟ ଦେବେ । ଏସବୁକୁ ହିସାବ କଲେ ୧୨୫ ସାଂସଦଙ୍କ ସମର୍ଥନ ବିଲ ସପକ୍ଷରେ ଅଛି । 

କ'ଣ ରହିଛି ସମସ୍ୟା ?

ଏହି ସମୀକରଣ ବଦଳି ମଧ୍ୟ ଯାଇପାରେ । କାହିଁକିନା ଏନଡିଏ ସହଯୋଗୀ ଜେଡିୟୁ ବିଲ ବିପକ୍ଷରେ ଭୋଟ ଦେଇପାରେ । ସେହିପରି ଶିବସେନା ଏବଂ ଟିଆରଏସ ଉପରେ ମଧ୍ୟ ନଜର ରହିଛି । ବିଲ ବିପକ୍ଷରେ ଭୋଟ ଦେବାକୁ ପୂର୍ବରୁ କହିଥିଲେ ଟିଆରଏସର ନେତା କେଶବ ରାଓ । 

ମୋଟାମୋଟି ଭାବରେ କୁହାଯାଇପାରେ, ହୁଏତ ରାଜ୍ୟସଭାରେ ମଧ୍ୟ ବିଲ ପାରିତ କରିବାରେ ସଫଳ ହୋଇଯିବେ ମୋଦି ସରକାର । ମାତ୍ର ଏହା ସତ ଯେ ଲୋକସଭାରେ ଏହା ଯେତିକି ସହଜ ହୋଇଥିଲା, ରାଜ୍ୟସଭାରେ ସେତିକି ସହଜ ନୁହେଁ । ବିରୋଧୀ ଏହି ବିଲକୁ ନେଇ ପ୍ରବଳ ବିରୋଧ କରିବେ । ଆଉ କେନ୍ଦ୍ର ସରକାରଙ୍କୁ ଏସବୁର ସାମନା କରିବାକୁ ପଡିବ । 

ଆହୁରି ପଢନ୍ତୁ; ବିଜେଡି ଜିଲ୍ଲା ପରିଷଦ ସଭ୍ୟା ଝରଣା ରାଉତଙ୍କ ସଭ୍ୟପଦ ରଦ୍ଦ