ଆନ୍ଦୋଳନରେ ଦେଶର ଭବିଷ୍ୟତ, ଲାଲୁଙ୍କୁ ଜିତାଇବାକୁ 'ବିହାର ବନ୍ଦ' !
Advertisement

ଆନ୍ଦୋଳନରେ ଦେଶର ଭବିଷ୍ୟତ, ଲାଲୁଙ୍କୁ ଜିତାଇବାକୁ 'ବିହାର ବନ୍ଦ' !

ଅବାଟରେ କୋମଳ ଶିଶୁ, ପାଠ ବଦଳରେ ଶିଖୁଛନ୍ତି ହିଂସାର ଶିକ୍ଷା 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ପ୍ରଶ୍ନ ସିଧା ।  ହେଲେ ଉତ୍ତର ଅଜବ । ଆଜି ସିଏଏକୁ ବିରୋଧ କରି ବିହାର ବନ୍ଦ ରହିଛି। ଏହି ସମୟରେ ସାମ୍ବାଦିକ ଆନ୍ଦୋଳନରେ ସାମିଲ ହୋଇଥିବା କିଛି କୁନି ପିଲାଙ୍କୁ ବିହାର ବନ୍ଦ ନେଇ ପ୍ରଶ୍ନ କରିଥିଲେ। ମାତ୍ର କୁନି ପିଲାଙ୍କ ଉତ୍ତର ଥିବା ବଡ଼ ଅଜବ। ଲାଲୁଙ୍କୁ ଜିତାଇବାକୁ ବିହାର ବନ୍ଦ କରୁଛନ୍ତି ବୋଲି ଉତ୍ତର ଦେଇଥିଲେ ଉକ୍ତ ଆନ୍ଦୋଳନରତ କୁନିପିଲା। 

ସିଏଏ ଆନ୍ଦୋଳନରେ କୁନି କୁନି ପିଲା । ଯେଉଁ ବୟସରେ କଲମ ଧରିବା କଥା, ସେ ବୟସରେ ହାତରେ ଧରିଛନ୍ତି ବାଡି । ସିଏଏ ବିଷୟରେ ଏମାନଙ୍କୁ ଆଦୌ ଜଣାନାହିଁ । ସିଏଏ କ'ଣ କହିଲେ ପୁରା ଚୁପ୍ । ଏଇ ବୟସରେ ଜାଣିବେ ବା କେମିତି ? ହେଲେ ଭଲ ଭାବରେ ଜାଣିଗଲେଣି କିପରି ଆନ୍ଦୋଳନ କରାଯାଏ । 

ଆଜି ଏମାନେ କିପରି ବିକ୍ଷୋଭ କରାଯାଏ, ତାହା ଭଲରେ ଶିଖୁଛନ୍ତି । ବିକ୍ଷୋଭ ବେଳେ କିପରି ଟାୟାର ଜାଳି ରାସ୍ତା ଅବରୋଧ କରାଯାଏ, ହିଂସାକାଣ୍ଡ ଘଟାଯାଏ, ତାକୁ ଆଖିରେ ଦେଖୁଛନ୍ତି । ଆଉ କୁନି କୁନି ପିଲାଙ୍କୁ ଏପରି ପାଠ ଢକ ଢକ କରି ପିଆଇ ଦେଉଛନ୍ତି ଆମ ଚିରାଚରିତ ଜନ ପ୍ରତିନିଧି । କାହିଁକିନା ଭବିଷ୍ୟତରେ ଏମାନେ ଏହି ନେତାଙ୍କ ଭଲ କାମରେ ଆସିବେ । ଅବଶ୍ୟ ଏବେଠୁ ତ କାମରେ ଲଗାଇବା ଆରମ୍ଭ କରିଦେଲେଣି ଆମ ନେତାଏ । 

ଏ ଦେଶର ଶିଶୁ ଶିଖୁଛି କଣ ? ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ କୁନି କୁନି ପିଲାଙ୍କ ସ୍ଥାନ କେଉଁଠି ? ଭୋଟ ଦେବାର ବୟସ ହୋଇନି । ହେଲେ ବିକ୍ଷୋଭ କରିବା ଶିଖିଗଲେଣି । ସରକାର ବିରୋଧୀ ନାରା ଦେବା ଜାଣିଗଲେଣି । ଆଜି ନାଗରିକତା ସଂଶୋଧନ ଆଇନକୁ ପ୍ରତିବାଦ କରି ବିହାର ବନ୍ଦ ପାଳନ କରାଯାଉଛି । ଆରଜେଡି ନେତୃତ୍ୱାଧିନ ମେଣ୍ଟ ଏହି ବନ୍ଦ ଡାକରା ଦେଇଛି । ଆଉ ବନ୍ଦ ପାଳନ ବେଳେ ସାମନାକୁ ଆସିଛି ଏଭଳି କିଛି ଦୃଶ୍ୟ । ହାତରେ ବାଡି ଧରି ସିଏଏ ବିକ୍ଷୋଭ କରୁଛନ୍ତି କୋମଳମତି ଶିଶୁ । କାହିଁକି ବିହାର ବନ୍ଦ ହୋଇଛି ପଚାରିଲେ କିଏ କହୁଛି ରାଲି ପାଇଁ ତ ଆଉ କିଏ କହୁଛି ଲାଲୁ ଯାଦବଙ୍କୁ ଜିତାଇବା ପାଇଁ । 

ଆନ୍ଦୋଳନ ବେଳେ ଏ କୁନି କୁନି ପିଲାଙ୍କ ବେଶ ପୋଷାକ ଦେଖିଲେ, ଆପଣଙ୍କ ଭିତରେ ବି ପ୍ରଶ୍ନଟିଏ ସୃଷ୍ଟି ହେବ । ମୁଣ୍ଡରେ ଦଳୀୟ ଟୋପି । ବେକରେ ଉତ୍ତରୀୟ । ଧର୍ମ କଣ ଜାଣିନଥିବେ, ହେଲେ ଧାର୍ମିକ ବିଦ୍ୱେଷ ଭାବ ଏମାନଙ୍କ ଭିତରେ ବୁଣାଯାଉଛି । ସିଏଏ ବିଷୟରେ ବୁଝିନାହାଁନ୍ତି, ହେଲେ ସିଏଏ ବିରୋଧୀ ନାରା ଦେବାରେ ଏମାନଙ୍କୁ ସିଦ୍ଧହସ୍ତ କରାଯାଉଛି । ପ୍ରଶ୍ନ ଉଠୁଛି ଏ ଦେଶର ଭବିଷ୍ୟତଙ୍କ ଭବିଷ୍ୟକ କୁଆଡେ ? 

ଆଜି କୁନି କୁନି ପିଲାଙ୍କ ମୁହଁରେ ଜିନ୍ଦାବାଦ ଓ ମୁର୍ଦାବାଦ ନାରା । ହାଏ ହାଏ, ଗୋ ବ୍ୟାକ ଇତ୍ୟାଦି ନାରା ମଧ୍ୟ ଏମାନେ ଦେବା ଶିଖିଗଲେଣି । ବାଡି ଧରି ବିକ୍ଷୋଭ କରୁଛନ୍ତି । ଜଣେ ଶିଶୁର ବାଇଟ ଶୁଣିଲେ, ଆପଣଙ୍କ ଭିତରେ ଆହୁରି ଅନେକ ପ୍ରଶ୍ନ ସୃଷ୍ଟି ହେବ । ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ କାହିଁକି ଜେଲରେ ଅଛନ୍ତି, ଏକଥା ଏମାନଙ୍କ ବୁଝିବା ବୟସ ହୋଇନି । ହେଲେ ଲାଲୁଙ୍କୁ ଜେଲରୁ ଛାଡିବା ଦରକାର ବୋଲି ଶିଶୁଟି ଦାବି କରୁଛନ୍ତି । ଚିନ୍ତା କରନ୍ତୁ, କୁଆଡେ ଏବେ ଦେଶର ଗତି ? ଆଉ ଏଥିପାଇଁ ଦାୟୀ କିଏ ? 

ଆହୁରି ପଢନ୍ତୁ; ଦେଶବାସୀ ମୋଦିଙ୍କୁ ଭଲ ପାଆନ୍ତି, ହେଲେ ମୋଦିଙ୍କ ଡବଲ ଇଞ୍ଜିନ ଫର୍ମୁଲାକୁ ନୁହେଁ !