ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ରରେ ବିଭ୍ରାଟ ଥିବା ମାନିଲେ ମନ୍ତ୍ରୀ
Advertisement

ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ରରେ ବିଭ୍ରାଟ ଥିବା ମାନିଲେ ମନ୍ତ୍ରୀ

ଓଟିଇଟି ପରୀକ୍ଷାରେ ପ୍ରଶ୍ନପତ୍ର ଉତ୍ତରପତ୍ରରେ ଭୁଲ ହୋଇଥିବା ସ୍ୱିକାର କରିଛନ୍ତି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ।

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର:  ଓଟିଇଟି ପରୀକ୍ଷାରେ ପ୍ରଶ୍ନପତ୍ର ଉତ୍ତରପତ୍ରରେ ଭୁଲ ହୋଇଥିବା ସ୍ୱିକାର କରିଛନ୍ତି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ଏଥିପାଇଁ ଲୋକସେବା ଭବନରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ତ୍ରୁଟି ସଂପର୍କରେ ଅନୁଧ୍ୟାନ କରାଯାଇଛି ଽ ଅନୁଧ୍ୟାନ ପରେ ତୁରନ୍ତ ନଭେମ୍ବର ୨୧ ତାରିଖ ମଧ୍ୟରେ ତ୍ରୁଟିଶୂନ୍ୟ ପରୀକ୍ଷାଫଳ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ପରୀକ୍ଷାରେ କାହିଁକି ତ୍ରୁଟି ହେଲା ଏବଂ ତ୍ରୁଟି ଯୋଗୁଁ ଗ୍ରେସ ମାର୍କ ଦିଆଯିବ କି ନାହିଁ ଏ ସବୁ ସଂପର୍କରେ ତଦନ୍ତ କରି ସମାଧାନ କରିବାକୁ କଣ୍ଡକ୍ଟିଂ ବୋର୍ଡକୁ ନିର୍ଦ୍ଦେଶ ଦିଆଯାଇଛି । ତ୍ରୁଟି ଯୋଗୁ ରି-ଚେକିଂ ପାଇଁ ଆବେଦନ କରିଥିବା ୫ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କଠାରୁ ଆଦାୟ କରାଯାଇଥିବା ୫୦୦ ଟଙ୍କା ଲେଖାଏଁ ଫେରାଇବାକୁ ନିଷ୍ପତ୍ତି ହୋଇଥିବା ସ୍କୁଲ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ପ୍ରଥମଥର ପାଇଁ ଅନଲାଇନରେ ଓଟିଇଟି ପରୀକ୍ଷା କରାଯାଇ ଥିବାବେଳେ ସିଲାବସ ବାହାରୁ ପ୍ରଶ୍ନ ଆସିଥିବାବେଳେ କିଛି ପ୍ରଶ୍ନ ବିକୃତ ଭାଷାରେ ଆସିଥିଲା । ଏପରିକି ଉତ୍ତରପତ୍ରରେ ମଧ୍ୟ ବ୍ୟାପକ ତ୍ରୁଟି ଦେଖାଯାଇଥିଲା । ଯାହାକୁ ନେଇ ବିଭିନ୍ନ ଛାତ୍ରସଂଘ ଏବଂ ପରୀକ୍ଷାର୍ଥୀ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲେ । ଲୋକସେବା ଭବନରେ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ବିଶ୍ୱନାଥ ପ୍ରଧାନ, ଅତିରିକ୍ତ ସଚିବ ଖଗେନ୍ଦ୍ର ପାଢୀ, ବୋର୍ଡର ସଂପାଦକ ରାମାଶିଷ ହାଜରା ଏବଂ ବୋର୍ଡ ପରୀକ୍ଷା ନିୟନ୍ତ୍ରଣ ନିହାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।