ଚାଲିଛି ପିକନିକ୍ ଟାଇମ୍, ଆସ ବୁଲିଯିବା ଗୁଦଗୁଦା ଜଳପ୍ରପାତ
topStories0hindi614441

ଚାଲିଛି ପିକନିକ୍ ଟାଇମ୍, ଆସ ବୁଲିଯିବା ଗୁଦଗୁଦା ଜଳପ୍ରପାତ

ଏମିତି ଏକ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଅନ୍ୟତମ ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଗୁଦଗୁଦା ଜଳପ୍ରପାତ

ଚାଲିଛି ପିକନିକ୍ ଟାଇମ୍, ଆସ ବୁଲିଯିବା ଗୁଦଗୁଦା ଜଳପ୍ରପାତ

ପ୍ରକାଶ ଶର୍ମା,କୁଚିଣ୍ଡା: ଚାଲିଛି ଶୀତ ଋତୁ । ଶୀତ ଋତୁରେ ନୂଆନୂଆ ପର୍ଯ୍ୟଟନସ୍ଥଳ ବୁଲିଯିବା ସହ ବଣ ଭୋଜି କରିବାକୁ ସମସ୍ତେ ଭଲ ପାଆନ୍ତି । ଥଣ୍ଡା ପାଗରେ ବୁଲିବାର ମଜା ନିଆରା । ଯଦି ଝରଣା, ପାହାଡ ଓ ଘଞ୍ଚ ଜଙ୍ଗଲରେ ପିକନିକ୍ ହୁଏ ତେବେ କଥା ସରିଲା । ପ୍ରାକୃତିକ ଶୋଭାରାଜିକୁ ଭଲ କରି ଉପଭୋଗ କରିବା ସହ ନିଜକୁ ହଜାଇ ଦେବାକୁ ସମସ୍ତେ ଭଲ ପାଉଛନ୍ତି ।  

ଏମିତି ଏକ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଅନ୍ୟତମ ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଗୁଦଗୁଦା ଜଳପ୍ରପାତ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ବଡବାହାଲ ଗାଁ ନିକଟରେ ରହିଛି ଗୁଦଗୁଦା ଜଳପ୍ରପାତ । ଏହା ଇକୋ ପର୍ଯ୍ୟଟନ ହେବା ପରେ ଏହାର ବିକାଶ ନେଇ ଉପଯୁକ୍ତ ଦୃଷ୍ଟି ଦିଆଯାଇ ଥିବାରୁ ଗୁଦଗୁଦାର ସୌନ୍ଦର୍ଯ୍ୟ ଆହୁରି ବଢିଯାଇଛି । ବହୁ ଦୂରଦୁରାନ୍ତରୁ  ଆସୁଥିବା ପର୍ଯ୍ୟଟକ ଏଠାକୁ  ଆସି ଜଳପ୍ରପାତରେ ଗାଧୋଇବା ସହ ଏହାର ପ୍ରାକୃତିକ ଶୋଭାକୁ ମନଭରି ଉପଭୋଗ କରୁଛି । ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ  ପରିବାର ଓ ସାଙ୍ଗସାଥୀଙ୍କ ଏଠାକୁ ଆସି  ବଣଭୋଜିର ମଜା ନେଉଥିବା ଦେଖିବାକୁ ମିଳିଛି । ଆସନ୍ତୁ ଜାଣିବା ଗୁଦଗୁଦା ଜଳପ୍ରପାତ ସମ୍ପର୍କରେ କିଛି ତଥ୍ୟ ।

ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ଜଳପ୍ରପାତ  ଖଜୁରିଆ ରିଜର୍ଭ ଜଙ୍ଗଲ ମଧ୍ୟରେ ରହିଛି । ସୁଉଚ୍ଚ ପାହଡରୁ ପଥର ଉପରେ କଚାଡି ହୋଇ ପଡୁଥିବା ଝରଣାର ଶବ୍ଦ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଗୁଦଗୁଦାଜଳ ପ୍ରପାତରେ ୭ଟି କୁଣ୍ଡ ଥିବାରୁ ଏହାକୁ ସପ୍ତଗଙ୍ଗା ମଧ୍ୟ କହନ୍ତି ।  ଜଳ ପ୍ରପାତର ୭ ଟି କୁଣ୍ଡ ମଧ୍ୟରୁ ତିନୋଟି  ଦେଖାଯାଉଥିବା ବେଲେ ୪ଟି ଦେଖାଯାଏନାହିଁ । ଏଠାରେ ବଣଭୋଜିର କରିବା ପାଇଁ  ନଭେମ୍ବର ରୁ ଫେବୃଆରୀ ମାସ ପର୍ଯ୍ୟନ୍ତ  ପର୍ଯ୍ୟଟକଙ୍କ ଭିଡ ଜମେ । ରାଜ୍ୟ ତଥା ପଡୋଶୀ ରାଜ୍ୟ ରୁ ହଜାର ହଜାର ପର୍ଯ୍ୟଟକ ଏଠାକୁ ବଣଭୋଜି ପାଇଁ ଆସିଥାନ୍ତି । ଏଠାରେ ବଣ ଭୋଜି ପାଇଁ ପିଣ୍ଡି ନିର୍ମାଣ କରାଯାଇଛି । ତାସହ  ଜଳ ପ୍ରପାତର ଗୋଟିଏ ପାର୍ଶ୍ୱରୁ ଅପର ପାର୍ଶ୍ୱକୁ ଯିବା ପାଇଁ ଏକ ପୋଲ ନିର୍ମାଣ ହୋଇଛି ।  ଏହି ପୋଲ ସହ ଝରଣା  ପାଖରେ ଠିଆ ହୋଇ ଫଟୋ ଉତ୍ତୋଳନ କରିବାକୁ କେହି ଭୁଲୁ ନାହାନ୍ତି ।  ମହିଳା ପର୍ଯ୍ୟଟକଙ୍କ ପାଇଁ  ମଧ୍ୟ ଶୌଚାଳୟ ରହିଛି । ଫଳରେ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ସୁବିଧାରେ ବଲାବୁଲି କରିପାରୁଛନ୍ତି ।

ପ୍ରାକୃତିକ ଶୋଭାରାଜିରେ ଭରପୁର  ଗୁଦଗୁଦା ଜଳପ୍ରପାତ ଉପରକୁ ପାହାଚ ନିର୍ମାଣ ହୋଇନଥିବା ଯୋଗୁଁ ପର୍ଯ୍ୟଟକ ବିପଦ ଅବସ୍ଥାରେ ଉପରକୁ ଚଢୁଛନ୍ତି । ଏଠାରେ ପର୍ଯ୍ୟଟକଙ୍କ  ମନୋରଞ୍ଜନ ପାଇଁ ଫରେଷ୍ଟ ପାର୍କ ଓ ରାତ୍ର ରହଣି ପାଇଁ ଏକ ଗେଷ୍ଟ ହାଉସ ନିର୍ମାଣ  କରାଗଲେ ଗୁଦଗୁଦା ଜଳପ୍ରପାତର ସୌନ୍ଦର୍ଯ୍ୟ ଦୁଇଗୁଣିତ ହୁଅନ୍ତା ବୋଲି ପର୍ଯ୍ୟଟକ କହିଛନ୍ତି ।

 

Trending news