ଆମେରିକାର ବଦଲା ନେବ ଇରାନ, ଚାଲିଛି 'ବିଶ୍ୱ ବିନାଶକ' ପ୍ରସ୍ତୁତି
Advertisement

ଆମେରିକାର ବଦଲା ନେବ ଇରାନ, ଚାଲିଛି 'ବିଶ୍ୱ ବିନାଶକ' ପ୍ରସ୍ତୁତି

ତୃତୀୟ ବିଶ୍ୱଯୁଦ୍ଧର ପଦଧ୍ୱନୀ

ଡିଜାଇନ ଫଟୋ

ନୂଆଦିଲ୍ଲୀ: ସୁଲେମାନୀଙ୍କ ହତ୍ୟା ପରେ ଆମେରିକା-ଇରାନ ମଧ୍ୟରେ ଯେଉଁ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା, ଏବେ ତାହା ନାହିଁ । ମାତ୍ର ଏହା ବୁଝିବା ଭୁଲ, ଇରାନ ଡରି ଯାଇଛି ! ଆମେରିକା ଉପରେ ବଡ଼ ଧରଣର ଆକ୍ରମଣ କରିବାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ଇରାନ । ନିଜ କଟ୍ଟର ଦୁଷ୍ମନ ଆମେରିକା ଓ ଇସ୍ରାଏଲ ଉପରେ ଦରକାର ପଡ଼ିଲେ ପରମାଣୁ ବୋମାର ମଧ୍ୟ ଉପଯୋଗ କରିପାରେ । ଏକଥାକୁ କେହି ବୁଝୁ କି ନବୁଝୁ, ଇସ୍ରାଏଲ ଏବଂ ଆମେରିକା ଭଲ ଭାବରେ ବୁଝିଗଲେଣି । 

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏବେ ଇରାନ୍ ବିରୋଧରେ ଏକାଠୀ ହେବା ପାଇଁ ବିଶ୍ୱର ଅନ୍ୟ ସମସ୍ତ ଦେଶକୁ ଆହ୍ୱାନ କରିଛନ୍ତି । ଏପରକି ଇରାନ୍ ଉପରେ ଆମେରିକାର କାର୍ଯ୍ୟାନୁଷ୍ଠାନକୁ ଋଷ ରାଷ୍ଟ୍ରପତି ପୁଟିନଙ୍କ ସାମ୍ନାରେ ପ୍ରଶଂସା କରିଛନ୍ତି ନେତାନ୍ୟାହୁ । ସେ କହିଛନ୍ତି, ଇରାନର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ଇସ୍ରାଏଲକୁ ଧ୍ୱଂସ କରିବା । ତେଣୁ ଇରାନର ପରମାଣୁ ଶକ୍ତିକୁ ଅଟକାଇବାକୁ ପଡ଼ିବ । 

ଆମେରିକା ମଧ୍ୟ ପୂର୍ବରୁ କହିସାରିଛି, ଇରାନର ପରମାଣୁ ଅସ୍ତ୍ରକୁ ବିକଶିତ କରିବାକୁ ଦିଆଯିବନାହିଁ । ସେହିପରି ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ ଇତ୍ୟାଦି ଦେଶ ମଧ୍ୟ ଇରାନର ପରମାଣୁ ଶକ୍ତିକୁ ବିରୋଧ କରୁଛନ୍ତି । ସେପଟେ ଅନେକ ଦେଶ ଏକାଠୀ ହେଉଥିବା ଦେଖି ଆହୁରି ଆକ୍ରମଣାତ୍ମକ ହେଉଛି ଇରାନ୍ । ଏପରିକି ଉକ୍ତ ଦେଶଗୁଡ଼ିକୁ ଆମେରିକାର ଚାକର ବୋଲି ମଧ୍ୟ ଅବିହିତ କରିଛି । 

fallback

ସେପଟେ ସୁଲେମାନୀଙ୍କ ହତ୍ୟା ପରେ ଇରାନ୍ ଯେଉଁ ରକେଟ୍ ଆକ୍ରମଣ କରିଥିଲା, ସେନେଇ ଅନେକ ଖବର ଏବେ ସାମ୍ନାକୁ ଆସୁଛି । ଇରାନର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକ କରି ମାରିବା ପରେ ଇରାନ ପ୍ରତିଶୋଧ ନେଇଥିଲା । ଇରାକ୍ ସ୍ଥିତ ଆମେରିକାର ସେନା କ୍ୟାମ୍ପ ଉପରେ ରକେଟ ମାଡ଼ କରିଥିଲା ଇରାନ । ଏହି ଆକ୍ରମଣରେ କୌଣସି ଆମେରିକାର ସୈନ୍ୟଙ୍କ କ୍ଷତି ହୋଇନଥିବା ଦାବି କରିଥିଲେ ଟ୍ରମ୍ପ । ପରେ କୁହାଯାଇଥିଲା ୧୧ ସୈନ୍ୟ ଆହତ ହୋଇଛନ୍ତି । ମାତ୍ର ଏବେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଇରାନର ଆକ୍ରମଣରେ ଆମେରିକାର ୩୪ ସୈନ୍ୟଙ୍କୁ ମାନସିକ ଆଘାତ ଲାଗିଛି । ସେମାନଙ୍କର ଏବେ ଜର୍ମାନୀରେ ଚିକିତ୍ସା ଚାଲିଛି । 

fallback

ଇରାନ୍ ଚୁପ୍ ବସିଛି ନା ଆମେରିକା ଉପରେ ହମଲା କରୁଛି ? 

କୁହାଯାଉଛି, ଗତକାଲି(ରବିବାର) ମଧ୍ୟ ଇରାକ୍ ରାଜଧାନୀ ବାଗଦାଦ ସ୍ଥିତ ଆମେରିକାର ଦୂତବାସ ଉପରେ ରକେଟ ମାଡ଼ କରିଥିଲା ଇରାନ । ଦୂତବାସ ଉପରେ ୫ଟି ରକେଟ ମାଡ଼ ହୋଇଥିବା କୁହାଯାଉଛି । ଇରାକ୍ ସୁରକ୍ଷାବଳ ମଧ୍ୟ ଏନେଇ ସ୍ପଷ୍ଟିକରଣ ରଖିଛି । ତେବେ ଏଥିରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି । 

ସୁଲେମାନୀଙ୍କ ହତ୍ୟା ପରଠୁ ଏଭଳି ରକେଟ ମାଡ଼ କରିଚାଲିଛି ଇରାନ୍ । ଆମେରିକାର ବାରମ୍ବାର ଚେତାବନୀକୁ ମଧ୍ୟ ଭ୍ରୁକ୍ଷେପ କରୁନାହିଁ । ଲଗାତାର ଆମେରିକା ଆଡ୍ଡା ଉପରେ ହମଲା କରୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏସବୁ ଭିତରେ ମଧ୍ୟ ଆମେରିକା ସହ ଆଲୋଚନା ପାଇଁ ଇରାନ୍ ରାଜି ଅଛି । ହେଲେ ଇରାନ୍ ଉପରେ ଆମେରିକା ଲଗାଇଥିବା ପ୍ରତିବନ୍ଧକକୁ ପ୍ରଥମେ ହଟାଉ ବୋଲି ଇରାନ୍ ବୈଦେଶିକ ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଆମେରିକା ଇରାନର ଏହି ସର୍ତ୍ତକୁ ରୋକ ଠୋକ୍ ମନା କରିଦେଇଛି । ଶନିବାର ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ କରିଥିଲେ । 

ଇରାନ୍ କ'ଣ ଆମେରିକା ଉପରେ ବଡ଼ ଧରଣର ହମଲା କରିବ ?

ଏବେ ପ୍ରଶ୍ନ, ସତରେ କ'ଣ ଆମେରିକା ଉପରେ ବଡ଼ ଧରଣର ହମଲା କରିବ ଇରାନ୍ ? ନା ରକେଟ ମାଡ଼ କରି ଚୁପ୍ ରହିବ । ସୂତ୍ର ଅନୁସାରେ, ଏକ ବଡ଼ ଧରଣର ହମଲା କରିବା ପାଇଁ ଏବେ ଇରାନ ପ୍ରସ୍ତୁତ ନେଉଛି । ଗୋଟିଏ ପଟେ ସୁଲେମାନୀଙ୍କ ହତ୍ୟା ପରେ କ୍ରୋଧରେ ଜଳୁଛି ଇରାନ୍ । ସେହିପରି ଇରାନ୍ ଉପର ସମସ୍ତ ପ୍ରକାର କଟକଣା ଲଗାଇ ଏଥିରେ ବାଲିସେକ ଦେଇଛି ଆମେରିକା । ଆଉ ଏହାରି ଭିତରେ ପରମାଣୁ ଆକ୍ରମଣ ପାଇଁ ଇରାନ ପ୍ରସ୍ତୁତି ନେଉଥିବା ଜଣାପଡ଼ିଛି । 

ଏକ ରିପୋର୍ଟ ଅନୁସାରେ, ଏବେ ପରମାଣୁ ଶକ୍ତି ବଢ଼ାଇବାରେ ଲାଗି ପଡ଼ିଛି ଇରାନ । ଦୈନିକ ୧୦ କିଲୋଗ୍ରାମ ୟୁରେନିୟମର ଉତ୍ପାଦନ ୫ ପ୍ରତିଶତ ଶୁଦ୍ଧତାର ସହ କରୁଛି । ଲୋ-ଗ୍ରେଡ ୟୁରାନିୟମର ଭଣ୍ଡାର ୧୨୦୦ କିଲୋଗ୍ରାମରୁ ଅଧିକ ହୋଇଗଲାଣି । ଆଉ ଏସବୁ ଭିତରେ ଇରାନ ଯେଉଁ ଚେତାବନୀ ଦେଉଛି, ମନେ ହେଉଛି ଯୁଦ୍ଧର ମୂଳଦୁଆ ପଡ଼ିଗଲାଣି । ଯଦି ଏପରି ହୁଏ, ତୃତୀୟ ବିଶ୍ୱଯୁଦ୍ଧ ଅବଶ୍ୟମ୍ଭାବୀ । 

ଆହୁରି ପଢ଼ନ୍ତୁ; ମଲା ବେଳେ ସୁଲେମାନୀ ଯାଉଥିଲେ କୁଆଡ଼େ ? କହିଲା ଇରାନ୍