ଈଶ୍ୱରଙ୍କ ଶରଣ ନେବାର ସମୟ ଆସିଛି !
Advertisement
Article Detail0/zeeodisha/odisha611049

ଈଶ୍ୱରଙ୍କ ଶରଣ ନେବାର ସମୟ ଆସିଛି !

ମହାତ୍ମା ଗାନ୍ଧି ଅହିଂସାର ମାର୍ଗ ଆପଣାଇବାକୁ ସମସ୍ତଙ୍କୁ ପରାମର୍ଶ ଦେଉଥିଲେ ଏହାସହ ରାମ ରାଜ୍ୟ ଗଠନ କରିବାକୁ ବାପୁଙ୍କ ଥିଲା ଏକ ସ୍ୱପ୍ନ । କିନ୍ତୁ ତାଙ୍କ ସ୍ୱପ୍ନ ତ ଦୂରର କଥା, ତାଙ୍କୁ ଆଜିର ଦିନରେ ଅପରାଧୀ ସଜାଇ ତାଙ୍କରି ହତ୍ୟାକାରୀକୁ ଦେଶଭକ୍ତର ଆଖ୍ୟା ମିଳୁଛି । ସେହପରି ମୁଖ୍ୟ ପ୍ରସଙ୍ଗଠାରୁ ଦୂରେଇ ରହି, କେତେବେଳେ ଗଡ଼ସେ, କେତେବେଳେ ସଭରକରଙ୍କୁ ହିରୋ ବନାଇ ଦିଆଯାଉଛି । ତେଣୁ, ଏବେ ହିଂସାର ରାବଣ ରାଜ୍ୟ ଗଠନ ଅପେକ୍ଷା ଈଶ୍ୱରଙ୍କ ଶରଣ ନେବାର ପ୍ରକୃତ ସମୟ ଆସିଛି ।

ସୌଜନ୍ୟ: ସୋସିଆଲ ମିଡିଆ

ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ: ୧୮୯୩ ଚିକାଗୋ ସମ୍ମିଳନୀରେ ସ୍ୱାମୀ ବିବେକାନନ୍ଦ କହିଥିଲେ,  ମୋତେ ସେଇ ଧର୍ମର ବୋଲି ନିଜକୁ ଗର୍ବ ଲାଗୁଛି, ଯେଉଁ ଧର୍ମ ସାରା ଦୁନିଆକୁ ସହିଷ୍ଣୁତା ଓ ସାର୍ବଭୌମତ୍ୱ ସ୍ୱୀକାରର ପାଠ ପଢ଼ାଇ ଥାଏ।.ମୋତେ ଗର୍ବ ଲାଗେ ଯେ, ମୋ ଦେଶ ବିଶ୍ୱର ଅନ୍ୟ ଦେଶର ବିଭିନ୍ନ ଧର୍ମର ନିର୍ଯାତିତ ଶରଣାର୍ଥୀଙ୍କୁ ଶରଣ ଦେଇଛି । ଆଜି ଯଦି ସେ ବଞ୍ଚିଥା'ନ୍ତେ, କ'ଣ ଅନୁଭବ କରିଥା'ନ୍ତେ !
ନାଗରିକତା ସଂଶୋଧନ ବିଲ୍ ଆସିଲା, ପାରିତ ହେଲା ଆଉ ଆଇନରେ ବି ପରିଣତ ହେଲା । କିନ୍ତୁ ଏହାପରେ ହେଲା କ'ଣ ? ଏ ଦେଶ ପାଇଲା କ'ଣ ? ବାପୁଙ୍କ ଅହିଂସାର ଧ୍ୱନି ଭିତରୁ ଗୁଞ୍ଜରଣ ହେଲା ହିଂସାର ସ୍ୱର।ହକ୍ ପାଇଁ ରାସ୍ତାକୁ ଓହ୍ଲାଇଲେ ଆବାଳବୃଦ୍ଧ ବନିତା ।ଦେଶର ଅନ୍ୟତମ ପ୍ରତିଷ୍ଠିତ ୟୁନିଭର୍ସିଟି ଜାମିଆ ମିଲିଆ ଇସଲାମିଆରେ ପିଲାଙ୍କୁ ପୋଲିସ ଗୋଡ଼ାଇ ଗୋଡ଼ାଇ ବାଡ଼ଉଛି । କାହାର ଗୋଡ଼ ହାତ ଭାଙ୍ଗି ଯାଇଛି ତ କାହାର ମୁଣ୍ଡ ଫାଟି ଯାଇଛି । ଉଭୟ ପୁରୁଷ ଓ ମହିଳା ହଷ୍ଟେଲରେ ପୋଲିସ ଗୁଳି ଚଳାଇଥିବା ଖବର ବି ସାମ୍ନାକୁ ଆସିଛି ।ପ୍ରାୟ ୫୦ ଜଣ ଛାତ୍ରଙ୍କୁ ପୋଲିସ ଦିଲ୍ଲୀ ସ୍ଥିତ ନ୍ୟୁ ଫ୍ରେଣ୍ଡସ କଲୋନୀ ଓ କାଲକାଜୀ ପୋଲିସ ଷ୍ଟେସନରେ ଅଟକ ରଖଥିଲା । ଅବଶ୍ୟ ସୋମବାର ସକାଳେ କାଲକା ଜୀ ପୋଲିସ ଷ୍ଟେସନରୁ ୩୫ ଜଣ ଏବଂ ନ୍ୟୁ ଫ୍ରେଣ୍ଡସ କଲୋନୀ ପୋଲିସ ଷ୍ଟେସନରୁ ୧୫ ଜଣ ଛାତ୍ରଙ୍କୁ  ପୋଲିସ ଛାଡ଼ି ଦେଇଛି । ତେବେ ନାଗରିକତା ସଂଶୋଧନ ବିଲକୁ ବିରୋଧ କରି ନ୍ୟୁ ଫ୍ରେଣ୍ଡସ କଲୋନୀ ଅଞ୍ଚଳରେ ତିନଟି ବସ୍ ଜାଳି ଦେଇଥିଲେ ପ୍ରଦର୍ଶନକାରୀମାନେ । ସେପଟେ ନାଗରିକତା ଆଇନକୁ ନେଇ  ହୋଇଥିବା ସମସ୍ତ ଆବେଦନ ଉପରେ ଡିସେମ୍ୱର ୧୮ ତାରିଖ ଶୁଣାଣି କରିବେ  ସୁପ୍ରିମକୋର୍ଟ। ଏଥିସହ ଜାମିଆ ଇସଲାମିଆ ହିଂସା ମାମଲାରେ ମଙ୍ଗଳବାର  ଶୁଣାଣି ହେବାକୁ ଯାଉଛି। ଜାମିଆରେ ଦଙ୍ଗାକୁ କଡ଼ା ନିନ୍ଦା କରିଛନ୍ତି ପ୍ରଧାନ ବିଚାରପତି ଏସ୍. ଏ ବୋବଡ଼େ। ଛାତ୍ରଙ୍କ ଉତ୍ତ୍ୟକ୍ତ ଆଚରଣକୁ କଡ଼ା ନିନ୍ଦା କରିଛନ୍ତି ସିଜେଆଇ।ହିଂସା ଦ୍ୱାରା ସରକାରୀ ସମ୍ପତ୍ତି ନଷ୍ଟ କଲେ ଏହାର ଶୁଣାଣି  କରାଯିବ ନାହିଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ଏହାର ତଦନ୍ତ ପାଇଁ ଅବସରପ୍ରାପ୍ତ ବିଚାରପତିଙ୍କ ଏକ କମିଟି ଗଠନ କରିବାକୁ ଆବେଦନକାରୀ ଦାବି କରିଛନ୍ତି। ହିଂସାକାଣ୍ଡ  ପ୍ରସଙ୍ଗରେ ପୋଲିସଙ୍କ ଟାର୍ଗେଟରେ ଏବେ ଜାମିଆ ଛାତ୍ରଛାତ୍ରୀ।ଭାତହାଣ୍ଡିରୁ ଗୋଟିଏ ଭାତ ଚିପୁଡ଼ିଲେ ଜଣାପଡ଼ିଥାଏ।ଠିକ୍ ସେହିପରି ଦିଲ୍ଲୀରେ ଯେଉଁ ହକ୍ ର ଲଢ଼େଇ ଚାଲିଛି, ସେଥିରୁ ସ୍ପଷ୍ଟ ଅନୁମେୟ ଯେ, ଦେଶର ଅବସ୍ଥା ସଂପ୍ରତି କେମିତି ? ଉତ୍ତର ପୂର୍ବ ଭାରତରେ ନିଆଁ ତ ସମ୍ପୂର୍ଣ୍ଣ ଭାବେ ଲିଭି ନଥିବାବେଳେ ଏହି ନିଆଁ ଏବେ ଦିଲ୍ଲୀକୁ ବ୍ୟାପୀଛି । କେବଳ ଜାମିଆ ନୁହେଁ, ଜେଏନୟୁ,  ଡିୟୁ, ଲକ୍ଷ୍ନୌ ୟୁନିଭର୍ସିଟି ଭଳି ଦେଶର ବିଭିନ୍ନ ସ୍ଥାନରେ ଏବେ ବିଦ୍ରୋହର ନିଆଁ ଦେଖିବାକୁ ମିଳିଛି । ତେବେ ଏହି ଆଇନ ଲାଗୁ କରିବାର ଯଥାର୍ଥ କ'ଣ ? ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିଥିବାବେଳେ ସେହି ବିଷୟରେ ଗୁରୁତ୍ୱ ନ ଦେଇ ନାଗରିକତା ସଂଶୋଧନ ଆଇନ ଆଣିବାରେ ଲାଭ କ'ଣ ?

ନାଗରିକତା ସଂଶୋଧନ ବିଲ୍ ଆଇନରେ ପରିଣତ ହେବା ପରେ ଭାରତ-ଜାପାନ ଦ୍ୱିପାକ୍ଷିକ ଆଲୋଚନାକୁ ସ୍ଥଗିତ ରଖାଯାଇଛି।ଏହା କେବେ ହେବ, ସେନେଇ ନୂଆ ତାରିଖ ଘୋଷଣା ହୋଇନି । ଅନ୍ୟ ଦେଶ ଗୁଡ଼ିକ ମଧ୍ୟ ଭାରତ ପ୍ରତି ଚରମ ମନୋଭାବ ପୋଷଣ କରିବା ଆରମ୍ଭ କରିଦେଲେଣି।.ଅନ୍ତର୍ଜାତୀୟ କୂଟନୈତିକ ସ୍ତରରେ ଏହା ଅଲୋଚନା ହେଉଛି।ଏହି ପ୍ରସଙ୍ଗରେ ଆଉ ଏକ ପ୍ରଶ୍ନ ମଧ୍ୟ ସାମ୍ନାକୁ ଆସୁଛି।.ଏହି ଆଇନ ଫଳରେ ବାଂଲାଦେଶ ଭାରତ ପ୍ରତି କିଭଳି ମନୋଭାବ ପୋଷଣ କରୁଥିବ ? ମୋଦି ସରକାର ଯଦି ବାଂଲାଦେଶ ପ୍ରତି ଏତେ ଚିନ୍ତିତ ତେବେ, ଗତ ପାଞ୍ଚ ବର୍ଷ ଭିତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଖ୍ ହାସିନା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ କେତେଥର ସାକ୍ଷାତ ହୋଇଛି ? ଥରେ ମଧ୍ୟ ବାଂଲାଦେଶରେ ହିନ୍ଦୁଙ୍କୁ ପ୍ରତାରଣା କରିଥିବା ଆଲୋଚନା ହୋଇଛି ? ଏକଥା ଆପଣ ରିସର୍ଚ କଲେ ଜାଣିପାରିବେ।ଥରୁ ଟିଏ ବି ଏହି ଦୁଇ ନେତାଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇନି । ସେହିପରି ଏହି ଆଇନରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶ କଥା ଲେଖା ହୋଇଛି । ନେପାଳ, ଶ୍ରୀଲଙ୍କା ଏବଂ ମିଆଁମାର କ'ଣ ଆମର ପଡ଼ୋଶୀ ଦେଶ ନୁହନ୍ତି ? ଧର୍ମ ଓ ଜାତିକୁ ନେଇ ଇତିହାସରେ ଅନେକ ଲଢ଼େଇ ହୋଇଛି । ଆଜିର ଏଇ ଆଧୁନିକ ଏବଂ ପ୍ରତିଯୋଗିତାପୂର୍ଣ୍ଣ ଦୁନିଆରେ ଦେଶର ବିକାଶ କଥା ଚିନ୍ତା ନ କରି, ଅର୍ଥନୀତି ବିଷୟରେ ଗୁରୁତ୍ୱର ସହ ବିଚାର ନ କରି ଜାତି, ଧର୍ମ ଏବଂ ହିଂସାକୁ ପ୍ରଶ୍ରୟ ଦେବା କେତେ ଯଥାର୍ଥ ?

fallback

ଭାରତବର୍ଷ ବସୁଧୈବ କୁଟୁମ୍ୱକମ୍ ଭାବେ ପରିଚିତ।ସବୁ ଧର୍ମର ଲୋକ ଏଠି ରୁହନ୍ତି ବୋଲି ସାରା ବିଶ୍ୱରେ ଏହାର ଏକ ପରିଚୟ ରହିଛି।କିନ୍ତୁ, ଏବେ ବୋଧହୁଏ ଆମ ଦେଶକୁ ଶନିଦଶା ପଡ଼ିଛି।ସେଥିପାଇଁ ଆଜି ଏଠି ଏଭଳି ସ୍ଥିତି ଦେଖାଦେଇଛି।ପ୍ରସଙ୍ଗ ବଦଳାଇବା ଓ ଏଡ଼ାଇବାରେ ଏ ସରକାର ବଡ଼ ମାହିର୍।ଯାହା ଦେଶର ଜନତା ବେଶ୍ ହୃଦୟଙ୍ଗମ କରୁଛନ୍ତି।.ସେହିପରି ବିରୋଧୀଙ୍କୁ ଚୁପ୍ କରାଇବାରେ ଏହି ସରକାରଙ୍କୁ କୌଶଳ ବେଶ୍ ଜଣାଅଛି।ସରକାରଙ୍କ ବିରୋଧରେ ଯିଏ ପଦେ ବି କହିଲା, ତାକୁ ପାକିସ୍ତାନୀର ପଦକ ମିଳୁଛି।ଗଣତନ୍ତ୍ର ରାଷ୍ଟ୍ରରେ ସରକାରଙ୍କ ଅପାରଗତାକୁ ପଦାରେ ପକାଇବା ଏବଂ ଦୋଷ ଦୁର୍ଗୁଣକୁ ସାଧାରଣ ଜନତା ବାହାର କରିବା କ'ଣ ଅପରାଧ ? ଖୋଦ୍ ପ୍ରଧାନମନ୍ତ୍ରୀ ନିଜର ସଂସଦୀୟ ଦଳ ବୈଠକରେ କହିଛନ୍ତି, ଯେଉଁମାନେ ଏହି ବିଲକୁ ବିରୋଧ କରୁଛନ୍ତି, ସେମାନେ ପାକିସ୍ତାନର ସମର୍ଥକ।ଆଜିର ଭାରତରେ ଜଣେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଏଭଳି ଆଶା କରିବା କୌଣସି ଆଚମ୍ୱିତ ନୁହେଁ । କାରଣ ଇତିହାସକୁ ଓଲଟାଇଲେ ଏଭଳି ଅନେକ ଘଟଣା ବି ରହିଛି, ଅନେକ ଉଦାହରଣ ବି ରହିଛି..କିନ୍ତୁ ନିଜ ଦେଶରେ ନିଜ ସରକାର ବିରୋଧରେ ସ୍ୱର ଉତ୍ତୋଳନ କଲେ ଜନତାଙ୍କ ଉପରେ ଏ ଜୁଲୁମ୍ କାହିଁକି କରାଯାଉଛି।ଯେଉଁମାନେ ବି ଏହା କରୁଛନ୍ତି, ସେମାନଙ୍କୁ ଏ ଦେଶବାସୀ ଭୋଟ୍ ଦେଇ ଜିତାଉଛନ୍ତି । ଦେଶବାସୀ ଯଦି ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିବେ, ତେବେ ସେମାନେ କ'ଣ ଆଉ ବିରୋଧୀଙ୍କୁ ପାକିସ୍ତାନୀର ଆଖ୍ୟା ଦେଇପାରିବେ ?

ଗୀତାର ୧୮ତମ ଅଧ୍ୟାୟର ୬୬ ନମ୍ୱର ଶ୍ଲୋକରେ ଲେଖାହୋଇଛି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ।ଅହଂ ତ୍ୱାଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ । ଏହାର ଅର୍ଥ ହେଉଛି ସକଳ ଧର୍ମ ପରିତ୍ୟାଗ କରି କେବଳ ଏକମାତ୍ର ମୋରି (ଭଗବାନଙ୍କ) ଶରଣ ନିଅ।.ମୁଁ (ଭଗବାନ) ତୁମକୁ ସର୍ବପାପରୁ ମୁକ୍ତ କରିଦେବି, ତେଣୁ ତୁମେ କେବେ ଶୋଚନା କରନାହଁ । ସେହିପରି ମହାତ୍ମା ଗାନ୍ଧି ଅହିଂସାର ମାର୍ଗ ଆପଣାଇବାକୁ ସମସ୍ତଙ୍କୁ ପରାମର୍ଶ ଦେଉଥିଲେ ଏହାସହ ରାମ ରାଜ୍ୟ ଗଠନ କରିବାକୁ ବାପୁଙ୍କ ଥିଲା ଏକ ସ୍ୱପ୍ନ । କିନ୍ତୁ ତାଙ୍କ ସ୍ୱପ୍ନ ତ ଦୂରର କଥା, ତାଙ୍କୁ ଆଜିର ଦିନରେ ଅପରାଧୀ ସଜାଇ ତାଙ୍କରି ହତ୍ୟାକାରୀକୁ ଦେଶଭକ୍ତର ଆଖ୍ୟା ମିଳୁଛି । ସେହପରି ମୁଖ୍ୟ ପ୍ରସଙ୍ଗଠାରୁ ଦୂରେଇ ରହି, କେତେବେଳେ ଗଡ଼ସେ, କେତେବେଳେ ସଭରକରଙ୍କୁ ହିରୋ ବନାଇ ଦିଆଯାଉଛି । ତେଣୁ, ଏବେ ହିଂସାର ରାବଣ ରାଜ୍ୟ ଗଠନ ଅପେକ୍ଷା ଈଶ୍ୱରଙ୍କ ଶରଣ ନେବାର ପ୍ରକୃତ ସମୟ ଆସିଛି ।