ଝୁଲିବ ଝାଡ଼ଖଣ୍ଡ ! ନେତାଙ୍କ ଛାତି ଧଡଧଡ
Advertisement

ଝୁଲିବ ଝାଡ଼ଖଣ୍ଡ ! ନେତାଙ୍କ ଛାତି ଧଡଧଡ

ଏକଜିଟରୁ ଆକଜେକ୍ଟ କେତେ ଦୂର ? 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: କିଏ ଗଢିବ ଝାଡ଼ଖଣ୍ଡରେ ସରକାର ? ପୁଣି ଥରେ ବିଜେପି ଆସିବ ନା ସତ ହେବ ଏକଜିଟ ପୋଲ ଫଳ । ବାଜି ମାରିନେବେ କଂଗ୍ରେସ-ଜେଏମଏମ ! ସବୁ ସସପେନ୍ସ ଉପରୁ ଆଜି ପରଦା ହଟିବ । ଝାଡ଼ଖଣ୍ଡ ଲୋକଙ୍କ ରାୟ କାହା ସପକ୍ଷରେ, ତାହା ସ୍ପଷ୍ଟ ହୋଇଯିବ । ଆଜିର ଫଳାଫଳ ମୋଦି ସରକାରଙ୍କୁ ଏକ ନୂଆ ସନ୍ଦେଶ ଦେବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଆଉ ଏହାରି ଭିତରେ ଆରମ୍ଭ ହୋଇଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି । 

ଝାଡ଼ଖଣ୍ଡର ୨୪ ଜିଲ୍ଲାର ଗଣନା କେନ୍ଦ୍ରରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । କଡା ସୁରକ୍ଷା ଭିତରେ ସମୁଦାୟ ୮୧ ଆସନ ପାଇଁ ଭୋଟ ଗଣତି ଚାଲିଛି । ଛତରା ବିଧାନସଭା ଆସନ ପାଇଁ ସର୍ବାଧିକ ୨୮ ଥର ଗଣତି ହେବ ବୋଲି ଜଣାପଡ଼ିଛି । ସେହିପରି ତୋରପା ଏବିଂ ଚନ୍ଦନକ୍ୟାରୀ ବିଧାନସଭା ଆସନ ପାଇଁ ମାତ୍ର ୨ ରାଉଣ୍ଡରେ ଗଣତି ସରିଯିବ । ଅପରାହ୍ନ ଗୋଟିଏ ଭିତରେ ଫଳାଫଳ ଆସିଯିବ ବୋଲି ଅନୁମାନ କରାଯାଉଛି । ନଭେମ୍ବର ୩୦ରୁ ଡିସେମ୍ବର ୨୦ ମଧ୍ୟରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । 

 

କାହାର ହେବ ଝାଡଖଣ୍ଡ ? 

ବୁଥ ବହୁଡା ଫଳ ବିଜେପି ସପକ୍ଷରେ ନାହିଁ । ଯଦି ଏକଜିଟ ସତରେ ଆକଜେକ୍ଟ ହୋଇଯାଏ, ତେବେ ୩୦ ଆସନ ଭିତରେ ସୀମିତ ରହିବ ଗେରୁଆ ଦଳ । ଜେଏମଏମ, କଂଗ୍ରେସ ଓ ଆରଜେଡି ମେଣ୍ଟକୁ ବହୁମତ ମିଳିପାରେ କିମ୍ବା ମ୍ୟାଜିକ ନମ୍ବରରୁ କିଛି କମ୍ ଆସନ ମିଳିପାରେ । ସେହିପରି ଝାଡଖଣ୍ଡ ବିକାଶ ମୋର୍ଚ୍ଚା(ପ୍ରଜାତାନ୍ତ୍ରିକ)  ଏବଂ ଅନ୍ୟମାନେ ମଧ୍ୟ କିଛି କିଛି ଆସନ ପାଇ ଗୁରୁତ୍ୱପୂର୍ଣ୍ଣ ଭୂମିତା ତୁଲାଇପାରନ୍ତି । 

ବିଜେପି ଛାତି ଧଡଧଡ 

ଯଦିଓ ଏକଜିଟ ସବୁବେଳେ ଆକଜେକ୍ଟ ହୋଇନଥାଏ, ତଥାପି ବି ବିଜେପି ନେତାଙ୍କ ଛାତି ଧଡଧଡ ! ଏକଜିଟ ପୋଲ ଆସିବା ପରଠୁ ରଘୁବର ସରକାରଙ୍କ ନିଦ ହଜିଯାଇଥିବା ଚର୍ଚ୍ଚା ହେଉଛି । ଏପଟେ କଂଗ୍ରେସ ଓ ଜେଏମଏମ ମ୍ୟାଜିକ ନମ୍ବରକୁ ନେଇ ଚିନ୍ତାରେ ଅଛନ୍ତି । ମେଣ୍ଟକୁ ମ୍ୟାଜିକ ନମ୍ବର ମିଳିବ ନା ଫଳାଫଳ ପରେ ଅନ୍ୟ କିଛି ସ୍ୱାଧୀନ ବିଧାୟକଙ୍କ ସମର୍ଥନ ନେବାକୁ ପଡିବ, ତାକୁ ନେଇ ଏବେ ବି ସସପେନ୍ସ । 

fallback

ଫୋକସରେ ପୂର୍ବ ଜାମସେଦପୁର ବିଧାନସଭା ଆସନ

ପୂର୍ବ ଜାମସେଦପୁର ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର । କାରଣ ଏହି ଆସନରୁ ୧୯୯୫ରୁ ନିର୍ବାଚିତ ହୋଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ରଘୁବର ଦାସ । ହେଲେ ଏଥର ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ପୂର୍ବ ସହଯୋଗୀ ସର୍ଯ୍ୟୁ ରାୟ। ରଘୁବରଙ୍କୁ ସେ ଏଥର ମାତ ଦେବେ ବୋଲି ଅନୁମାନ କରାଯାଉଛି । ତେବେ ଅପରାହ୍ନ ଗୋଟିଏ ବେଳକୁ ଏସବୁ ସସପେନ୍ସ ଉପରେ ପରଦା ହଟିବ । 

ଆହୁରି ପଢନ୍ତୁ; ଦେଶବାସୀ ମୋଦିଙ୍କୁ ଭଲ ପାଆନ୍ତି, ହେଲେ ମୋଦିଙ୍କ ଡବଲ ଇଞ୍ଜିନ ଫର୍ମୁଲାକୁ ନୁହେଁ !