କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପକ୍ଷ ନେବାକୁ ମନାକରିଛି ତାଲିବାନ |
Trending Photos
ନୂଆଦିଲ୍ଲୀ: ଆତଙ୍କବାଦ କାର୍ଯ୍ୟକଳାପ ମାଧ୍ୟମରେ କାଶ୍ମୀର ଘାଟିକୁ ଅଶାନ୍ତ କରୁଥିବା ପାକିସ୍ତାନକୁ ଲାଗିଛି ଜୋରଦାର ଝଟକା | ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରେ ସମାନ୍ତରାଳ ସରକାର ଚଳାଇବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀ ସଙ୍ଗଠନ ତାଲିବାନ ପକ୍ଷରୁ ନାସ୍ତିବାଣୀ ଶୁଣିଛି ଆତଙ୍କବାଦୀଙ୍କ ପୃଷ୍ଠପୋଷକ ପାକିସ୍ତାନ |
କାଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା | ପାକିସ୍ତାନର ଗଜବା-ଏ-ହିନ୍ଦ କିମ୍ବା କୌଣସି ଭାରତ ବିରୋଧି ଯୁଦ୍ଧରେ ପାକିସ୍ତାନକୁ ସମର୍ଥନ ଦିଆଯିବ ନାହିଁ ବୋଲି ସ୍ପଷ୍ଟ ଭାବେ ଜଣାଇ ଦେଇଛି ଆତଙ୍କବାଦୀ ସଙ୍ଗଠନ ତାଲିବାନ | ସୋସିଆଲ ମିଡିଆରେ ଏ ମାମଲା ସହ ଜଡିତ ତାଲିବାନର ଏକ ଟ୍ୱିଟ ଭାଇରାଲ ହେବା ପରେ ଏହି ସ୍ପଷ୍ଟୀକରଣ ଦିଆଯାଇଛି |
ତାଲିବାନର ଦୋହା ସ୍ଥିତ ରାଜନୈତିକ କାର୍ଯ୍ୟାଳୟର ପ୍ରବକ୍ତା ସୁହେଲ ଶାହିନୀ ଟ୍ୱିଟରରେ ମତ ରଖି କହିଛନ୍ତି, "ଭାରତ ସମ୍ପର୍କରେ ଯେଉଁ ବୟାନ ପ୍ରସାରିତ କରାଯାଉଛି ତାହା ଇସଲାମିକ ଅମିରାତ ସହ ସମ୍ପୃକ୍ତ ନୁହେଁ | ପଡୋଶୀ ଦେଶଙ୍କ ବାବଦରେ ଆମର ଆଭିମୁଖ୍ୟ ସ୍ପଷ୍ଟ | ସେମାନଙ୍କର ଆଭ୍ୟନ୍ତରୀଣ ମାମଲାରେ ଆମେ ହସ୍ତକ୍ଷେପ କରୁନାହୁଁ | "
ସୁହେଲ ଶାହିନୀ ଏବଂ ତାଲିବାନ ସହ ଜଡିତ ବୋଲି କୁହାଯାଉଥିବା ଜବୀଉଲ୍ଲାହ ମୁଜାହିଦର ମିଛ ଟ୍ୱିଟରେ କୁହାଯାଇଥିଲା, "ଭାରତ ଏବଂ ଇସଲାମିକ ଅମିରାତ ମଧ୍ୟରେ ବନ୍ଧୁତା ଅସମ୍ଭବ | ଇସଲାମିକ ଅମିରାତ କାଫିର(ଇସଲାମ ବିରୋଧି) ପାଖରୁ କାଶ୍ମୀର ଛଡାଇ ଆଣିବ | "
କାଶ୍ମୀର ଏବଂ ମୁସଲମାନଙ୍କ ପ୍ରସଙ୍ଗରେ ପାକିସ୍ତାନୀ ଏଜେଣ୍ଡାରେ ସାମିଲ ହେବାକୁ ମନାକରିଛି ତାଲିବାନ | ଆଫାଗାନିସ୍ତାନରେ ଭାରତ ପକ୍ଷରୁ କରାଯାଉଥିବା ବିଭିନ୍ନ ପୁନନିର୍ମାଣ କାର୍ଯ୍ୟକୁ ସକରାତ୍ମକ ଦିଗ ଭାବେ ଦେଖୁଛି ଏହି ସଙ୍ଗଠନ |
ଆମର ରାଷ୍ଟ୍ରୀୟ ହିତ ଏବଂ ବ୍ୟକ୍ତିଗତ ସମ୍ମାନ ଆଧାରରେ ଆମେ ଭାରତ ସମେତ ଅନ୍ୟ ପଡୋଶୀ ଦେଶଙ୍କ ସହ ସକରାତ୍ମକ ସମ୍ପର୍କ ରଖିବା ସପକ୍ଷରେ ଅଛୁ | ଭବିଷ୍ୟତରେ ଆଫଗାନିସ୍ତାନରେ କରାଯିବାକୁ ନିର୍ମାଣ କାର୍ଯ୍ୟରେ ଭାରତର ଯୋଗଦାନ ଏବଂ ସହଯୋଗକୁ ସ୍ୱାଗତ ଜଣାଇବୁ | ଆଫଗାନିସ୍ତାନରେ ଇସଲାମି ଅମିରାତ ଏକ ରାଷ୍ଟ୍ରୀୟ ଇସଲାମିକ ଆନ୍ଦୋଳନ | ଯିଏ ଦେଶ ପାଇଁ ସଂଘର୍ଷ କରୁଥିବା ନେଇ ଜଣାଇଛନ୍ତି ତାଲିବାନ ପ୍ରବକ୍ତା ସୁହେଲ ଶାହିନୀ |