ଭଙ୍ଗା ଘରେ ଭବିଷ୍ୟତ ଗଢା
Advertisement

ଭଙ୍ଗା ଘରେ ଭବିଷ୍ୟତ ଗଢା

ଭିତ୍ତିଭୂମିର ହେଉନି ବିକାଶ

ଭଙ୍ଗା ଘରେ ଭବିଷ୍ୟତ ଗଢା

ନିରୋଜ ଶତପଥି, କୋରାପୁଟ: ରାଜ୍ୟରେ ଶିକ୍ଷାର ବ୍ୟାପକ ପରିବର୍ତ୍ତନ ତଥା ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନାମାନ କରୁଛନ୍ତି। ମାତ୍ର ବାସ୍ତବ ଚିତ୍ର କିଛି ଭିନ୍ନ ରହିଛି। ବାସ୍ତବ ଚିତ୍ରକୁ ଦେଖିଲେ ସରକାର ଯେ ମିଛ ଡେଙ୍ଗୁରା ପିଟୁଛନ୍ତି ତାହା ଅନୁମେୟ।

ରାଜ୍ୟର ପଛୁଆ ଜିଲ୍ଲା ଭାବେ ପରିଚିତ କୋରାପୁଟରେ ସ୍କୁଲର ବାସ୍ତବ ଚିତ୍ର ନ କହିବା ଭଲ। ଜିଲ୍ଲାର କୁନ୍ଦୁଲିରେ ଥିବା ଅନୁଦାନପ୍ରାପ୍ତ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ । ୧୯୮୭ ମସିହାରୁ କୁନ୍ଦୁଲିଠାରେ ଆରମ୍ଭ ହୋଇଥିଲା ଏହି ବିଦ୍ୟାଳୟ । ପରେ ୧୯୯୪ ମସିହାରେ ସରକାରଙ୍କ ଦ୍ୱାରା ଅନୁଦାନ ପାଇଥିଲା । ଏହି ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ୧୫୯ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ହେଲେ ଏହି ବିଦ୍ୟାଳୟ ଏବେ ସମସ୍ୟା ଦେଇ ଗତି କରୁଛି ।

ଅଧିକ ପଢନ୍ତୁ: ଟେକ ରଖିଲା ରୁକୁଣା ରଥ, ପୁରସ୍କୃତ ହେଲା ଓଡ଼ିଶା

ଏହି ବିଦ୍ୟାଳୟରେ ଆଜି ଯାଏଁ ଭିତ୍ତିଭୂମିର ବିକାଶ ହୋଇନାହିଁ । ସୁରକ୍ଷା ପାଚେରୀ ମଧ୍ୟ ନିର୍ମାଣ ହୋଇନାହିଁ । ସ୍କୁଲ ଗୃହ ମଧ୍ୟ ବେଶ ଦୁର୍ବଳ ହୋଇ ପଡ଼ିଛି । ଶ୍ରେଣୀ ଗୃହ ଭାଙ୍ଗି ଯାଇଛି। କେଉଁ ପରିସ୍ଥିତିରେ ତାହା ଭୁଶୁଡ଼ି ପଡ଼ିବ ତାହା ଅନୁମାନ କରିବା ମଧ୍ୟ ମୁସ୍କିଲ । ଅଧିକାଂଶ ସ୍ଥାନରେ କାନ୍ଥ ଗୁଡ଼ିକ ଭାଙ୍ଗି ମାଟିରେ ମିଶିଗଲାଣି । ଦୀର୍ଘ ବର୍ଷ ହେବ ବିଦ୍ୟାଳୟରେ ଏପରି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ମରାମତି ହୋଇପାରିନାହିଁ ।

ଏହାଛଡ଼ା ବିଦ୍ୟାଳୟର ଶୌଚାଳୟ କଥା ନ କହିବା ଭଲ । ଶୌଚାଳୟର କବାଟ କେହି ତାଡ଼ି ନେଇଯାଇଛନ୍ତି । ଫଳରେ ଛାତ୍ରଛାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟାଳୟ ନିକଟରେ ଥିବା ଛାତ୍ରାବାସର ଅବସ୍ଥା ମଧ୍ୟ ସମାନ । ଏହି ଛାତ୍ରାବାସରେ ପୂର୍ବରୁ ଛାତ୍ରମାନେ ରହୁଥିଲେ । ମାତ୍ର ଏହାର ସୁରକ୍ଷା କାନ୍ଥ ନଥିବାରୁ ଏହା ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏଠାରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରୁ ଛାତ୍ରାବାସଟିକୁ ବନ୍ଦ ମଧ୍ୟ କରି ଦିଆଯାଇଥିଲା । ଫଳରେ ଛାତ୍ରାବାନ ନଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରମାନେ ସମସ୍ୟା ଭୋଗୁଛନ୍ତି ।  

ଅଧିକ ପଢନ୍ତୁ: ବିଲୀନ ପଥରେ 'ନକ୍ସଲବାଦ'

ଏହି ବିଦ୍ୟାଳୟରେ ମଧ୍ୟ ପାନୀୟ ଜଳ ପାଇଁ କୌଣସି ବ୍ୟବସ୍ଥା ନାହିଁ । ବିଦ୍ୟାଳୟ ପରିସରରେ ଥିବା ନଳକୂପରୁ ଦୂଷିତ ପାଣି ବାହାରୁଥିବା ବେଳେ ଏହା ବ୍ୟବହାର ଉପଯୋଗୀ ନୁହେଁ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।   ଫଳରେ ପାନୀୟ ଜଳ ପାଇଁ ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି  ।

ଏଥିସହ ବିଦ୍ୟାଳୟରେ ଆବଶ୍ୟକୀୟ ଶ୍ରେଣୀଗୃହ ମଧ୍ୟ ନାହିଁ । ଫଳରେ ଛାତ୍ରଛାତ୍ରୀ ଭଙ୍ଗା ଘରେ ପାଠ ପଢୁଛନ୍ତି । ତେବେ ଏହାର ଭିତ୍ତିଭୂମିର ବିକାଶ ଦିଗରେ ନା ପ୍ରଶାସନ ଦୃଷ୍ଟି ଦେଉଛନ୍ତି ନା ରାଜନେତା  । ଫଳରେ ଅବ୍ୟବସ୍ଥା ମଧ୍ୟ ଦେଇ ଗତି କରୁଛି ଏହି ବିଦ୍ୟାଳୟ । କେବେ ଏହି ବିଦ୍ୟାଳୟର ଭାଗ୍ୟ ବଦଳିବ କେବେ ଛାତ୍ରଛାତ୍ରୀ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇବେ ଏବେ ସେହି ଦିନକୁ ଅପେକ୍ଷା ।