ବିଲୀନ ପଥରେ 'ନକ୍ସଲବାଦ'
Advertisement

ବିଲୀନ ପଥରେ 'ନକ୍ସଲବାଦ'

ଗରିବଙ୍କ ହକ୍ ପାଇଁ ଜନ୍ମ ନେଇଥିଲା 'ନକ୍ସଲବାଦ'। 

ବିଲୀନ ପଥରେ 'ନକ୍ସଲବାଦ'

ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ: ଗରିବଙ୍କ ହକ୍ ପାଇଁ ଜନ୍ମ ନେଇଥିଲା 'ନକ୍ସଲବାଦ'। ସମାଜରେ ଗରିବଙ୍କୁ ଲୁଟୁଥିବା ଲୋକମାନଙ୍କ ଠାରୁ ଗରିବଙ୍କୁ ରକ୍ଷା କରିବା ପାଇଁ ଏହା ଲଢ଼େଇ କରୁଥିଲା।ଦିନ ବିତିଲା, ସମୟ ବଦଳିଲା ଆଉ ଶେଷରେ 'ନକ୍ସଲବାଦ'ର ନୀତି ଓ ଆଦର୍ଶରେ ବି ପରିବର୍ତ୍ତନ ଘଟିଥିଲା।ପୂର୍ବରୁ ସରକାର ଏହି ନକ୍ସଲଙ୍କ ବିରୋଧରେ ଥିଲେ, କିନ୍ତୁ କେତେକ ଲୋକ ଏମାନଙ୍କ ସମର୍ଥକ ଥିଲେ।ମାତ୍ର, ଦିନେ ଯେଉଁ ସମର୍ଥକମାନେ ସରକାରଙ୍କୁ ବିରୋଧ କରି ନକ୍ସଲଙ୍କ ସପକ୍ଷରେ ଥିଲେ, ଆଜି ସେମାନେ ସରକାରଙ୍କ ପକ୍ଷରେ ରହି ନକ୍ସଲଙ୍କୁ ବିରୋଧ କରିଛନ୍ତି । ଯାହାର ଏକ ଉଦାହରଣ ମାଲକାନଗିରିରେ ଦେଖିବାକୁ ମିଳିଛି ।

ଏବେ ମାଓବାଦୀଙ୍କୁ ଭୟ ନ କରି, ସେମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି ସାଧାରଣ ଜନତା । ମାଓବାଦୀଙ୍କୁ ଏକଜୁଟ ହୋଇ ଉପଯୁକ୍ତ ଜବାବ ଦେଉଛନ୍ତି। କାରଣ ସେମାନେ ଧୀରେଧୀରେ ବୁଝି ସାରିଲେଣି ଯେ, ମାଓବାଦୀମାନେ ହେଉଛନ୍ତି ସ୍ଥାୟୀ ସମସ୍ୟା ସମାଧାନର ବିରୋଧୀ । ସେମାନଙ୍କ ଚିନ୍ତାଧାରା ସାରା ବିଶ୍ୱରେ କ୍ରମେ ପ୍ରତ୍ୟାଖ୍ୟାନ ହେବାରେ ଲାଗିଛି । ରୁଷ୍ ହେଉ ଅବା ଚାଇନା, କିମ୍ବା ଭାରତରର ପଶ୍ଚିମବଙ୍ଗ ହେଉ ଅବା ତ୍ରିପୁରା,  ସବୁଠି ଲାଲଗଡ଼ର ଲାଲ ପତାକା ଫିକା ହେବାରେ ଲାଗିଛି । ଯାହା ଓଡ଼ିଶାର ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ ମଧ୍ୟ ପ୍ରତିଫଳିତ ହୋଇଛି । ଏବେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ପୋଲିସ ଦେଉଛି ସୁରକ୍ଷା । କାରଣ ଗତ କିଛିଦିନ ଧରି ମାଓବାଦୀ ଓ ସ୍ୱାଭିମାନ ଅଞ୍ଚଳବାସୀଙ୍କ ମଧ୍ୟରେ ଲାଗି ରହିଛି ଶୀତଳଯୁଦ୍ଧ । ପ୍ରଥମେ ଦୁଇଜଣ ମାଓବାଦୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ ସ୍ୱାଭିମାନ ଅଞ୍ଚଳବାସୀ । ମାଓବାଦୀଙ୍କ ଅତ୍ୟାଚାରକୁ ବିରୋଧ କରିବା ସହ ଦୁଇଜଣ ମାଓବାଦୀଙ୍କୁ ଲୋକେ ନିସ୍ତୁକ ମାଡ଼ ମାରିଥିଲେ । ଘଟଣାରେ ମାଓବାଦୀ ଆଡ଼ମାର ମୃତ୍ୟୁ ହୋଇଥିବା ବେଳେ ଲୋକଙ୍କ ମାଡ଼ରେ ଗୁରୁତର ହୋଇ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା ଆଉ ଜଣେ ମାଓବାଦୀ । ଏ ଘଟଣା ହେଉଛି ମାଲକାନଗିରି ଜିଲ୍ଲା ଜନ୍ତୁରାଇର। ଏପରିକି ମୃତ ମାଓବାଦୀ ଆଡ଼ମାର ମୁଣ୍ଡପାଇଁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା ପୋଲିସ। ଏହିପରି ଏକ ମୋଷ୍ଟ ୱାଣ୍ଟେଡ୍ ମାଓବାଦୀକୁ ମାରିଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ ।

fallback

ତେଣୁ ଆମେ କହିପାରିବା ଯେ, ଲୋକମାନେ ମଧ୍ୟ ଏହି ମାଓବାଦୀଙ୍କୁ ଆଉ ପ୍ରଶ୍ରୟ ଦେଉ ନାହାନ୍ତି । ପୂର୍ବରୁ ମାଓ ଅଧ୍ୟୁଷିତ ଅଞ୍ଚଳର ଲୋକମାନେ ମାଓବାଦୀଙ୍କ ଇନଫର୍ମର୍ ହିସାବରେ କାମ କରୁଥିଲେ । ସେହି ଲୋକମାନଙ୍କୁ ହାତ କରି ମାଓବାଦୀମାନେ ହିଂସ୍ର ହୋଇ ଉଠୁଥିଲେ । କିନ୍ତୁ ସମୟ ବଦଳିଛି । ଏଣିକି ରାଜ୍ୟର ମାଓବାଦୀ ଅଧ୍ୟୁଷିତ ଅଞ୍ଚଳର ଲୋକ ବି ସଚେତନ ହେଲେଣି। ସେମାନଙ୍କୁ ଲୋଡ଼ା କାମ। ସେମାନଙ୍କୁ ଲୋଡ଼ା ସ୍ଥାନୀୟ ଅଞ୍ଚଳର ଉନ୍ନତି। ମାଲକାନଗିରି ଗୁମ୍ମା ମାଓ ଡିଭିଜନରେ ପାର୍ଟିର ସଦସ୍ୟ ରୂପେ କାର୍ଯ୍ୟ କରୁଥିଲା ଆଡ଼ମା । ଆହତ ମାଓବାଦୀ ଜିପ୍ରୋ ନିଜ ଦଳରେ ଏରିଆ କମାଣ୍ଡର ରୂପେ କାର୍ଯ୍ୟ କରୁଥିଲା। ତା' ମୁଣ୍ଡ ପାଇଁ ମଧ୍ୟ ରହିଥିଲା ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି । ତେବେ ପ୍ରତି ଆକ୍ସନର ରିଆକ୍ସନ ଭଳି ଏହି ଘଟଣାରେ ବି  ଉତ୍ତ୍ୟକ୍ତ ମାଓବାଦୀମାନେ ରୋଗ ବିକଳରେ ତାଟିଆ କାମୁଡ଼ିଛନ୍ତି ।  ମାଓବାଦୀମାନେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଅଞ୍ଚଳରେ ଅନେକ ଘର ଭାଙ୍ଗିଛନ୍ତି । ଲୋକଙ୍କୁ ମାଡ଼ ମାରିଥିବା ସୂଚନା ମିଳିଛି। ଆଗକୁ ମଧ୍ୟ ଅନ୍ୟାନ୍ୟ ମାଓବାଦୀ ଅଧ୍ୟୁଷିତ ଜିଲ୍ଲାରେ ମାଓବାଦୀଙ୍କ ଲାଲ୍ ଗଡ଼ ଭାଙ୍ଗିବା ନେଇ ଏବେଠାରୁ ଏହି ସ୍ଥିତି ସ୍ପଷ୍ଟ ସୂଚନା ଦେଉଛି ।

ମାଓବାଦୀର ଜନ୍ମ 

ତେବେ ମାଓବାଦ ସୃଷ୍ଟି ହୋଇଥିଲା କେମିତି ? ଭାରତରେ ମାଓବାଦ ଜନ୍ମ ନେଲା କେମିତି ?  ଏହା ନିଶ୍ଚିତ ଭାବେ ଏକ ବଡ଼ ପ୍ରଶ୍ନ।୧୯୪୬ରୁ ୧୯୫୧ ମସିହା ପର୍ଯ୍ୟନ୍ତ ତେଲଙ୍ଗାନା ଆନ୍ଦୋଳନ ଚାଲିଥିଲା । ସେହି ସମୟରେ 'ଜମି' ଏକ ପ୍ରମୁଖ ସମସ୍ୟା ଥିବାରୁ ଲୋକମାନେ ଏହାକୁ ନେଇ ଆନ୍ଦୋଳନ କରିବାରେ ଲାଗିଲେ । ୧୯୪୮ ମସିହା ଜୁଲାଇ ମାସରେ ପ୍ରାୟ ୨୫ଶହ ଗ୍ରାମବାସୀ ଏହି ଆନ୍ଦୋଳନକୁ ତୀବ୍ର କରିଥିଲେ । ଆଉ ପରୋକ୍ଷରେ ସେହିଠାରୁ ହିଁ ସୃଷ୍ଟି ହୋଇଥିଲା ମାଓବାଦ ବା ନକ୍ସଲବାଦ । କିନ୍ତୁ ପଶ୍ଚିମବଙ୍ଗର ଚାରୁ ମଜୁମଦାର ହିଁ ଏହାକୁ ସାରା ଭାରତରେ ବିସ୍ତାର କରିଥିଲେ ।

fallback

ମାଓ ସଂଗଠନର କାୟା ବିସ୍ତାର

୧୯୬୪ ମସିହାରେ କମ୍ୟୁନିଷ୍ଟ ଶାସନରେ ଆଇଡୋଲୋଜିକୁ ନେଇ ବିବାଦ ଦେଖା ଦେଇଥିଲା।ଗୋଟିଏ ଦଳ ସୋଭିଏତ ରୁଷ ସହ ଯିବାକୁ ଥିବାବେଳେ ଅନ୍ୟ ଏକ ଦଳ ଚାଇନା ଆଦର୍ଶ ମାନିବାକୁ ଚାହୁଁଥିଲେ। ଫଳରେ ଏଠାରେ କମ୍ୟୁନିଷ୍ଟ ପାର୍ଟି ବଞ୍ଚିବା ପରେ ଏହା ଅଲଗା ହୋଇଗଲା ଏବଂ ୧୯୭୭ରେ ଜ୍ୟୋତି ବସୁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୦ ମସିହା ପର୍ଯ୍ୟନ୍ତ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରହିଥିଲେ । ନକ୍ସଲମାନଙ୍କୁ ଦମନ କରିବାକୁ ସେ ଅନେକ ଖସଡ଼ା ପ୍ରସ୍ତୁତ କରିଥିଲେ । ୧୯୬୭ରେ ଅଲଗା ହୋଇଥିବା ଅନ୍ୟ ଦଳ ସଂଗ୍ରାମ କରିବାରେ ଲାଗିଲେ । ଗରିବଙ୍କୁ ସେମାନଙ୍କ ହକ୍ ଦେବାକୁ ଲଢ଼େଇ କରିବା ଆରମ୍ଭ କଲେ । ନକ୍ସଲବାଡ଼ି ହେଉଛି ଦାର୍ଜିଲିଂର ଏକ ଛୋଟ ଗାଁ । ସେଠାରେ ଜଣେ ପିଲା ପାଖରେ କୋର୍ଟରୁ ନିର୍ଦ୍ଦେଶ ମିଳିଥିବା ଏକ ରେକର୍ଡ ଥିଲା ଏବଂ ନିଜ ଜମିରେ ଚାଷ କରିବା ପାଇଁ ନିର୍ଦ୍ଦେଶ ଥିଲା । ଏହାପରେ ସେ ନିଜ ଜମିରେ ଚାଷ କରୁଥିବା ସମୟରେ ଜଣେ ଜମିଦାରର ଗୁଣ୍ଡାମାନେ ଆସି ପିଲାଟି ଉପରେ ଆକ୍ରମଣ କରିଥିଲେ। ପରେ ପିଲାଟି ଜମିଦାରଙ୍କ ପ୍ରତି  ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା । ସ୍ଥାନୀୟ ଲୋକଙ୍କୁ ଏବିଷୟରେ ବୁଝାସୁଝା କରି ଧନି ଲୋକଙ୍କ ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲା । ସେଠାରୁ ହିଁ ଜନ୍ମ ନେଇଥିଲା ନକ୍ସଲବାଦ। ନକ୍ସଲବାଡ଼ିରୁ ଏହା ଆରମ୍ଭ ହୋଇଥିବାରୁ ଏହାର ନାଁ naxalite ରହିଲା। ଏହାପରେ ଚାରୁ ମଜୁମଦାରଙ୍କ ନେତୃତ୍ୱରେ ନକ୍ସଲମାନେ ନିଜର କାୟା ବିସ୍ତାର କରିବାରେ ଲାଗିଥିଲେ । ଏଥିରେ ତାଙ୍କୁ ସମର୍ଥନ କରିଥିଲେ କାହ୍ନୁ ସାନ୍ୟାଲ ଓ ଜଙ୍ଗାଲ ସାନ୍ଥାଲ। ସେହି ସମୟରେ ଚାରୁ ମଜୁମଦାର ଅନେକ ଗୁଡ଼ିଏ ବିପ୍ଲବାତ୍ମକ ଲେଖା ଲେଖୁଥିଲେ । ତାଙ୍କର 'Historic Eight Documents' ନକ୍ସଲ ଆନ୍ଦୋଳନକୁ ତୀବ୍ର କରି ଦେଇଥିଲା। ଯାହାକୁ ପାଥେୟ କରି ଭାରତରେ ନକ୍ସଲବାଦ ଏକ ନୂଆ ରୂପ ନେଇଥିଲା ।

ଏହାପରେ ୧୯୬୯ ମସିହା ଏପ୍ରିଲ ୨୨ ତାରିଖରେ ଲେନିନଙ୍କ ଜନ୍ମଦିନରେ ଜନ୍ମ ହୁଏ ଆଉ ଏକ ଦଳ, ଯାହାର ନାଁ ହେଉଛି କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ, ମାର୍କସିଷ୍ଟ-ଲେନିନିନ୍। ବା ସିପିଆଇ-ଏମଏଲ୍।୧୯୭୦ ବେଳକୁ ନକ୍ସଲ ଦେଶର ବିଭିନ୍ନ ସ୍ଥାନକୁ ବ୍ୟାପୀ ସାରିଥିଲା । ଏହାପରେ ୧୯୭୨ରେ ଚାରୁ ମଜୁମଦାରଙ୍କ ଜେଲରେ ମୃତ୍ୟୁ ପରେ ନେତୃତ୍ୱକୁ ନେଇ ନକ୍ସଲ ସଂଗଠନରେ ଫାଟ ସୃଷ୍ଟି ହୋଇଥିଲା । ପରେ ୧୯୭୬ ମସିହାରେ ସିପିଆଇର ଦ୍ୱିତୀୟ ବୈଠକ ଗୋପନ ଭାବେ ବସିଥିଲା ଏବଂ ୧୯୮୦ରେ ସିପିଆଇ-ଏମ୍ଏଲ୍ ଲାଲ୍ ପତାକା ଚାରିଆଡ଼େ ଲଗାଇବା ଆରମ୍ଭ କରିଥିଲେ। ତେଣୁ, ୧୯୭୨ରୁ ୧୯୮୦ ପର୍ଯ୍ୟନ୍ତ ସ୍ପ୍ଲିଟିଂ ଏରା ବା ବିବାଦର ଯୁଗ ବୋଲି କୁହାଯାଏ। ୧୯୮୦ରୁ ୨୦୦୪ ପର୍ଯ୍ୟନ୍ତ ନକ୍ସଲ ସଂଗଠନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ସବୁ ସଂଗଠନ ଗୁଡ଼ିକୁ ଏକାଠି ନେବାର ପ୍ରୟାସ କରାଯାଇଥିଲା। କିନ୍ତୁ ଏହି ପର୍ଯ୍ୟାୟରେ ନକ୍ସଲମାନେ ସେତେଟା ହିଂସ୍ର ନ ଥିଲେ।

fallback

ସଂଗଠନର ସୀମା ବୃଦ୍ଧି
୨୦୦୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ ନକ୍ସଲଙ୍କର ତୃତୀୟ ପର୍ଯ୍ୟାୟ ଚାଲିଛି। ୨୦୦୪ରେ ଜନ୍ମ ନିଏ ସିପିଆଇ ମାଓଇଷ୍ଟ। ଏହି ସଂଗଠନ ସବୁଠାରୁ ବଡ଼ ଗ୍ରୁପ୍ ମାଓଇଷ୍ଟ କମ୍ୟୁନିଷ୍ଟ ସେଣ୍ଟରକୁ ମିଶାଇ ଥିଲା। ଏହାସହ ପିପୁଲ୍ସ ୱାର୍ ଗ୍ରୁପକୁ ବି ନିଜ ସହ ସାମିଲ କରିଥିଲା। ଏମାନଙ୍କ ନିଜର ଏକ ଆର୍ମି ଅଛି। ଏହାପରେ ସମସ୍ତଙ୍କୁ ବ୍ୟାନ୍ କରାଯାଇଥିଲା। ଏମାନେ ଭୟଙ୍କର ସାବ୍ୟସ୍ତ ହୋଇଥିଲେ। ବିଭିନ୍ନ ସ୍ଥାନରେ ହିଂସା କରିବା ଆରମ୍ଭ କରିଥିଲେ। ୨୦୦୨ରୁ ୨୦୦୬ ପର୍ଯ୍ୟନ୍ତ ନକ୍ସଲମାନେ ପ୍ରାୟ ୩ ହଜାର ଲୋକଙ୍କୁ ହତ୍ୟା କରିଥିଲେ। ୨୦୧୦ରେ ଛତିଶଗଡ଼ରେ ସବୁଠୁ ବଡ଼ ହିଂସା କରିଥିଲେ ନକ୍ସଲ। ଗତ ୨୦ ବର୍ଷ ଭିତରେ ପ୍ରାୟ ୧୦ରୁ ୧୫ ହଜାର ଲୋକଙ୍କୁ ନକ୍ସଲମାନେ ହତ୍ୟା କରିଛନ୍ତି। ସେଥିରେ ଆମର ଯବାନମାନେ ମଧ୍ୟ ସାମିଲ ଅଛନ୍ତି। ଓଡ଼ିଶାରେ ମଧ୍ୟ ମାଓବାଦୀମାନେ ଅନେକ ହିଂସା କରିଛନ୍ତି। ୨୦୦୮ ମସିହା ଜୁନ ୨୯ରେ ମାଲକାନଗିରିର ବାଲିମେଳା ଜଳଭଣ୍ଡାରସ୍ଥିତ ଆଲାମ୍ ପକାରେ ମାଓବାଦୀମାନେ ଆକ୍ରମଣ କରି ଏକ ଡଙ୍ଗା ବୁଡ଼ାଇ ଦେଇଥିଲେ। ଏଥିରେ ୩୮ ଜଣ ଯବାନ ସହିଦ ହୋଇଥିଲେ ଏବଂ ୨୬ ଜଣ ଯବାନ ବଞ୍ଚି ଯାଇଥିଲେ। ସେହିପରି ସେହିବର୍ଷ ଜୁଲାଇ ୧୭ରେ  MV-126ରେ ଆଣ୍ଟି ଲ୍ୟାଣ୍ଡମାଇନ ଗାଡ଼ିକୁ ମାଓବାଦୀମାନେ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ। ଏଥିରେ ଜଣେ ପୋଲିସ ଆରଆଇଙ୍କ ସମେତ ୧୭ ଜଣ ଯବାନ ସହିଦ ହୋଇଥିଲେ। କେବଳ ମାଲକାନଗିରି ନୁହେଁ, କୋରାପୁଟ, ରାୟଗଡ଼ା, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଆଦି ସ୍ଥାନରେ ମାଓବାଦୀ ଏବେ ବି ସକ୍ରିୟ ଅଛନ୍ତି ଏବଂ ବିଭିନ୍ନ ସମୟରେ ଛୋଟବଡ଼ ହିଂସା ବି ଘଟାଉଛନ୍ତି । 

ପୂର୍ବ ବର୍ଷ ଅପେକ୍ଷା ୨୦୧୯ କ୍ୟାଲେଣ୍ଡର ବର୍ଷରେ ଜିଲ୍ଲାରେ ମାତ୍ର ଗୋଟିଏ ସ୍ଥାନରେ ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଏଥିରେ ଜୟରାମ କବାସୀ ନାମକ ଜଣେ ଜଣେ ଓ.ଏ.ପି.ଏଫ ଯବାନ ସହିଦ ହୋଇଥିବା ବେଳେ ରାମ ଦୁରୁଆ ନାମକ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ। କିନ୍ତୁ ପୋଲିସ ଗୁଳିରେ ସୋଡ଼ି ବୁଦ୍ରା ଓରଫ ରାକେଶ ନାମକ ଡିସିଏମ କ୍ୟାଡର ଜଣେ ମାଓବାଦୀ ନିହତ ହୋଇଥିଲା। ଏହାସହ ବହୁ ମାଓ ଅସ୍ତ୍ରଶସ୍ତ୍ର ଓ ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିଲା। ସେହପରି ପୋଲିସ ମୋଟ ୨୨ ଜଣ ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ମାଥିଲି ଥାନା ଅନ୍ତର୍ଗତ ମହୁପଦର ଅଞ୍ଚଳର ପ୍ରାୟ ୨୫୦ ରୁ ଉର୍ଦ୍ଧ୍ୱ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ଚଳିତ ବର୍ଷ ୬ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ବିଭିନ୍ନ ସମୟରେ ପୁଲିସ ସୂଚନାକାରୀ ଓ ମାଓ ସଂଗଠନ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ମାଓବାଦୀମାନେ ୩ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି । ବିଗତ ୫ ବର୍ଷରେ ମାଲକାନଗିରିରେ ମୋଟ ୩୦ ଜଣ ମାଓବାଦୀ ପୋଲିସ ଗୁଳିରେ ନିହତ ହୋଇଥିବା ବେଳେ ୩୦ଜଣଙ୍କୁ ମାଓବାଦୀ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରାଯାଇଛି।

fallback

ତେବେ ୨୦୦୯ ଫେବ୍ରୁଆରୀ ମାସରେ ନକ୍ସଲ ନିପାତ ପାଇଁ କେନ୍ଦ୍ର ସରକାର ଏକ ଆକ୍ସନ ପ୍ଲାନ କରିଥିଲେ, ଯାହାର ନାଁ ଥିଲା Integrated action plan। କର୍ଣ୍ଣାଟକ, ଛତିଶଗଡ଼, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର, ଝାଡଖଣ୍ଡ, ବିହାର, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ନକ୍ସଲ ଦମନ ପାଇଁ ସରକାର ଏହି ପ୍ଲାନ୍ କରିଥିଲେ।ଏହାପରେ ୨୦୧୭ରେ ଗୃହ ମନ୍ତ୍ରାଳୟ ପକ୍ଷରୁ ନକ୍ସଲ ସମସ୍ୟାକୁ ଦୂର କରିବାକୁ 'ସମାଧାନ' ନାଁରେ ଏକ ସ୍ୱତନ୍ତ୍ର ଯୋଜନା ଅଣାଯାଇଥିଲା।ଏଥିରେ ଆର୍ମିକୁ ଫୁଲ୍ ପାୱାର ଦିଆଯାଇଥିଲା। ଏହାପରେ ପ୍ରତିବର୍ଷ ମାଓ ଦମନ ରଣନୀତି ପାଇଁ ସବୁ ରାଜ୍ୟର ମିଳିତ ବୈଠକ ବସିଥାଏ।ମାଓବାଦୀଙ୍କୁ ହିଂସା ପଥରୁ ଦୂରେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସରକାର ଅନେକ ଚେଷ୍ଟା କରୁଛନ୍ତି। ଆଉ ଅନେକ ମାଓବାଦୀ ଆତ୍ମସମର୍ପଣ ମଧ୍ୟ କରି ସାରିଛନ୍ତି ଏବଂ କରୁଛନ୍ତି। ହିଂସା କେବେ ବି ସମାଧାନର ରାସ୍ତା ନୁହେଁ। ତେଣୁ, ହିଂସା ଠାରୁ ଦୂରେଇ ଯାଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ହିଁ ତାଙ୍କ ପାଇଁ ବିକଳ୍ପ ରାସ୍ତା। ନହେଲେ ଖୁବ୍ କମ୍ ଦିନରେ ଲାଲ ବାହିନୀର ଦୁର୍ଗ ଭୁଶୁଡ଼ି ଯିବ ଏବଂ ସମାଜରୁ 'ନକ୍ସଲବାଦ' ଉଭେଇ ଯିବ।