ମନେପଡ଼େ ପିଲାଦିନ
Advertisement

ମନେପଡ଼େ ପିଲାଦିନ

ଅତୀତକୁ ଫେରିଯିବାର, ଅତୀତକୁ ମନେ ପକାଇବାର ଏକ ନିଆରା ସନ୍ଦେଶ ଦେଇଥାଏ ପିଲାଦିନ ।

ମନେପଡ଼େ ପିଲାଦିନ

ଭୁବନେଶ୍ୱର: କଥାରେ ଅଛି ଅତୀତର ସ୍ମୃତି କେବେ ଭୁଲି ହୁଏନା । ଆଉ ସେହି ସ୍ମୃତି ଯଦି ପିଲାଦିନର ହୋଇଥାଏ, ତେବେ ତାହାକୁ ଭୁଲିବା ଅସମ୍ଭବ । ଜୀବନରେ ପିଲାବେଳର ସମୟ ମନେପଡ଼ିଲେ ଆଜି ବି ଲୋକେ ସେଇ ଦିନକୁ ଫେରିଯିବାକୁ ଚାହାନ୍ତି । ମାମୁ ଘର ବୁଲା, ପୁଚିଖେଳ, ସାଙ୍ଗସାଥୀ ମେଳରେ ବୁଲା, ଦୀପ ଆଲୁଅରେ ପାଠ ପଢା ଏସବୁ ପିଲାଦିନର ଅଭୂଲା କଥା ଆଜି କିନ୍ତୁ ଆଉ ନାହିଁ । ଆଜିର ଆଧୁନିକତା ଯୁଗରେ ପିଲାମାନେ ବିଜ୍ଞାନ ସହ ଯୋଡ଼ି ହୋଇ ନିଜର ଛୁଟିଦିନ କାଟୁଥିବା ବେଳେ ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲ୍ଲାରେ କିନ୍ତୁ ଆଜି ବି ପିଲାମାନେ ନିଜ ବିଦ୍ୟାଳୟ ଛୁଟିରେ ସାଙ୍ଗସାଥୀଙ୍କ ମେଳରେ ଖେଳିବା, ଘର କାମ କରିବା, ପୁଚି ଖେଳିବା , ବିଲରେ କାମ କରିବା ଭଳି ଅନେକ କାମରେ ନିଜକୁ ଲିପ୍ତ ରଖି ନିଜର ଛୁଟି କାଟୁଥିବା ଦେଖିବାକୁ ମିଳିଛି ।

ପିଲାଦିନସମସ୍ତଙ୍କ ସ୍ମୃତିର ଫରୁଆ ଭିତରେ ସାଇତା ରହିଥିବା ଏକ ଅମୂଲକ ଚିଜ୍ ଟିଏ । ଅତୀତକୁ ଫେରିଯିବାର, ଅତୀତକୁ ମନେ ପକାଇବାର ଏକ ନିଆରା ସନ୍ଦେଶ ଦେଇଥାଏ ପିଲାଦିନ । ସମୟର ସ୍ପିଡୋମିଟରରେ ମଣିଷ ଯେତେ ତୀବ୍ରତର ହେଲେ ବି ପିଲାଦିନର ସ୍ମୃତି ସବୁବେଳେ ସତେଜ ରହିଥାଏ । ଧାନ କଟା ଛୁଟି ହେବାମାତ୍ରେ ସାଙ୍ଗସାଥୀଙ୍କ ସହ ମିଶି ନଈରେ ଗାଧୋଇବା, ସାଙ୍ଗହୋଇ ବୁଲିଯିବା, ପୁଚି ଖେଳ ଆଜି ବି ସବୁ ମନରେ ଅଭୂଲା ହୋଇ ରହିଥିବା ବେଳେ ଆଜିର ବିଜ୍ଞାନ ଯୁଗର ପିଲାଏ କିନ୍ତୁ ଏସବୁକୁ ଭୁଲି ଗଲେଣି । ଆଧୁନିକତାର ଛାପରେ ଆଉ ସେସବୁ ଦେଖାଯାଉନି । ଭିଡିଓ ଗେମର ରେସ୍ ଭିତରେ ହଜିଯାଇଛି ପୁଚି , ବାଗୁଡ଼ି ଖେଳ, ଲାପ୍ ଟପ, ମୋବାଇଲ ଭିତରେ ଲୀନ ହୋଇଯାଇଛି ପିଲାଦିନର ଖେଳ ।  କିନ୍ତୁ  ଏସବୁ ବାଦ୍ ବି ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ପିଲାମାନେ ଆଜି ବି ନିଜର ଛୁଟିବେଳେ ସେଇ ପୁରୁଣା ଦିନରେ ହିଁ ନିଜକୁ ମଶଗୁଲ କରି ରଖିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ବିଦ୍ୟାଳୟ ଛୁଟି ହୋଇଥିବାବେଳେ  ପିଲାମାନେ ନାଳ ପୋଖରୀରେ ଗାଧୋଇବା, ଗାଈ ଚରାଇବା, ଚାଷ କମ କରିବା, ସାଙ୍ଗ ସାଥୀଙ୍କ ସହ ମିଶି ବୁଲିବା ଭଳି ୯୦ଦଶକର କଥା ଆଜି ବି ଦେଖିବାକୁ ମିଳିଛି ।