କରି କରାଉ ଥାଉ ମୁହିଁ...
Advertisement

କରି କରାଉ ଥାଉ ମୁହିଁ...

ମନ୍ଥର ଗତିରେ 'ମହା' ସରକାର...ବିଳମ୍ବରେ ସରକାର, ବିଳମ୍ବରେ ମନ୍ତ୍ରୀଙ୍କ ଶପଥ, ବିଳମ୍ବରେ ବିଭାଗ ବଣ୍ଟନ.... 

କରି କରାଉ ଥାଉ ମୁହିଁ...

ନୂଆଦିଲ୍ଲୀ: ବଡ଼ ଗୋଳମାଳିଆ ମହା ରାଜନୀତି । ସରକାରଟିଏ ହୋଇନି ତ ସବୁବେଳେ ଛାତି ଧଡ଼ ଧଡ଼ କରାଉଛି । କେତେ କ'ଣ ହେଲା ପରେ ମହା ବିକାଶ ଅଘାଡି ସରକାର ଗଠନ ହେଲା, ସେକଥା ସମସ୍ତେ ଜାଣିଛନ୍ତି । ତାପରେ କାହାକୁ ମନ୍ତ୍ରୀ ପଦ ଦିଆଯିବ, କାହାକୁ ଦିଆଯିବନାହିଁ ସତରେ ନିଷ୍ପତ୍ତି ନେବା ବେଶ କାଠିକର ପାଠ ଥିଲା । ଆଉ ଏବେ ବିଭାଗ ବଣ୍ଟନ ବେଳେ ବି ସମାନ ଅବସ୍ଥା । ଦୁଇ ଦିନ ହେଲା ବୈଠକ ପରେ ବୈଠକ ବସୁଛି, ହେଲେ କୁଆଡ଼ୁ କୁଆଡ଼ୁ କେଁ ପୁରୁଛି କେଜାଣେ, ବିଳମ୍ବ ହୋଇଚାଲିଛି । 

ଆଶା କରାଯାଉଥିଲା, ଗୁରୁବାର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ହୋଇଯିବ । ଦିନରେ ବୈଠକ, ରାତିରେ ବୈଠକ । ହେଲେ ତାହା ନୋହିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ବୈଠକ ବସି ମଧ୍ୟ ଭଗବଣ୍ଟା ଛିଣ୍ଡିଲାନି । ଯଦିଓ ଉପରେ ଉପରେ ମେଣ୍ଟର ନେତା ସବୁକିଛି ଠିକ୍ ଠାକ୍ ଥିବା କହୁଛନ୍ତି, ହେଲେ ଭିତରେ ଭିତରେ ଯେ କ'ଣ ଗୋଟିଏ ଚାଲିଛି ନିଶ୍ଚୟ । ତିନି ଦଳ ମଧ୍ୟରେ ବିଭାଗ ବଣ୍ଟନକୁ ନେଇ ସହମତି ପ୍ରକାଶ ପାଇପାରୁନାହିଁ । ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହୁଛନ୍ତି ଯେ, ୯୫ ପ୍ରତିଶତ ବିଭାଗରେ ସହମତି ହୋଇସାରିଛି । ବାକି ଥିବା ୫ ପ୍ରତିଶତ ବିଭାଗ ଉପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । 

ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ସଂଖ୍ୟା ୪୩ । ଶିବସେନାର ୧୫, ଏନସିପିର ୧୬ ଏବଂ କଂଗ୍ରେସର ୧୨ ଜଣ ମନ୍ତ୍ରୀ । ଅର୍ଥାତ, ସବୁଦଳରେ ପାଖାପାଖି ସମାନ ସଂଖ୍ୟକ ମନ୍ତ୍ରୀ ରହିଛନ୍ତି ।  ଶିବସେନାକୁ ମୁଖ୍ୟମନ୍ତ୍ରୀ, ଏନସିପିକୁ ଉପମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସକୁ ବାଚସ୍ପତି ପଦ ମିଳିଛି । ତଥାପି ବି ବିଭାଗ ବଣ୍ଟନକୁ ନେଇ ବିଳମ୍ବ କାହିଁକି ? ୩ ଦଳ ମଧ୍ୟରୁ ପ୍ରକୃତରେ କେଁ ପୁରାଉଛି କିଏ ? 

ସକାଳ ପାଇଲେ ସରକାର ଗଠନ ହେବାର ଥିଲା, ରାତି ଅଧିଆ ବିଜେପି ଶିବିରକୁ ଡିଆ ମାରିଥିଲେ ଏନସିପି ନେତା । ମନ୍ତ୍ରୀ ଶପଥ ନନେଉଣୁ, ଏପଟେ ମନ୍ତ୍ରୀ ପଦ ନ ମିଳିବାରୁ ଇସ୍ତଫା ଘୋଷଣା କରିଥିଲେ ଏନସିପି ବିଧାୟକ । ଅବଶ୍ୟ ଏହାର କାରଣ ଅନ୍ୟକିଛି ଦର୍ଶାଇଥିଲେ ।  ଆଉ ବିଭାଗ ବଣ୍ଟନ ବେଳେ ବି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ବାରମ୍ୱାର ଏନସିପି ହିଁ ଚାପ ପକାଉଥିବା ଚର୍ଚ୍ଚା ହେଉଛି । କଂଗ୍ରେସ ଏବଂ ଶିବସେନାରେ ମଧ୍ୟ ଦଳୀୟ ଅସନ୍ତୋଷ ଅଛି , ହେଲେ ମେଣ୍ଟର ଚାବି ଏନସିପି ସବୁବେଳେ ନିଜ ହାତରେ ରଖିବାକୁ ଚାହୁଁଥିବା ରାଜନୈତିକ ବିଶ୍ଳେଷକ କହୁଛନ୍ତି । 

fallback

ଶିବସେନା ସହ ମୁଖ୍ୟମନ୍ତ୍ରୀ ପଦକୁ ଅଢ଼େଇ ବର୍ଷ ଲେଖାଏ କରିବାକୁ ଚାହୁଁଥିଲା ଏନସିପି । ହେଲେ ଏଥିରେ ସହମତି ପ୍ରକାଶ ପାଇନଥିଲା । ଖୋଦ୍ ଏନସିପି ନେତା ଏକଥା ପୂର୍ବରୁ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ପଦ ସିନା ମିଳିନି, ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଏନସିପି ଝୁଲାଇ ରଖିଥିବା କୁହାଯାଉଛି । ଆଉ ଏହାରି ଭିତରେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ପରି ଉଦ୍ଧବ ବି ଯେ ଦିନେ ଅଣନିଶ୍ୱାସୀ ହୋଇନଯିବେ, କିଏ କହିବ । କେବଳ ଏତିକି କୁହାଯାଇପାରେ, ରାତି ଅଧିଆ ଅଜିତଙ୍କ ଡିଆଁ ମାରିବାଠୁ ଆରମ୍ଭ କରି ବିଭାଗ ବଣ୍ଟନରେ ବିଳମ୍ବ ହେବା ଇତ୍ୟାଦି ''କରି କରାଉ ଥାଉ ମୁହିଁ'' ପରିସର ଭୁକ୍ତ । ଅବଶ୍ୟ ଶତ୍ରୁ ସଙ୍ଗେ ମିତ୍ର କଲେ ଏମନ୍ତ ହୁଅଇ !

ଆହୁରି ପଢ଼ନ୍ତୁ; ପାକିସ୍ତାନରେ ଉଡ଼ିବାକୁ ଆମେରିକାର ଛାତି ବି ଧଡ଼ ଧଡ଼