Trending Photos
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ୭୦ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ତେବେ ୭୦ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ଦେଖା ଦେଇଛି ଦଳୀୟ କନ୍ଦଳ। ଦଳରେ ଥିବା ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢୁଥିବା ବେଳେ ଚିନ୍ତାରେ ରହିଛନ୍ତି ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ତେବେ ଏହି ଅସନ୍ତୁଷ୍ଟ ଦଳ ପାଇଁ ବିପଦ ହେବା ପୂର୍ବରୁ ତାଙ୍କୁ କ୍ଷମତାଶାଳୀ କରିବା ପାଇଁ ପ୍ରୟାସ ଆରମ୍ଭ କରିପାରନ୍ତି କେଜରିଓ୍ୱାଲ।
ମିଳିଥିବା ସୂଚନା ମୁତାବକ ଆଗାମୀ ବିଧାନସଭା ପାଇଁ ମୋଟ ୧୫ ଜଣ ବିଧାୟକଙ୍କ ଟିକେଟ କଟିଛି। ତାଙ୍କ ବଦଳରେ ଆପ ନୂଆ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ଫଳରେ ଉକ୍ତ ୧୫ ଜଣ ବିଧାୟକଙ୍କ ମଧ୍ୟରେ ଅନେକ ଅସନ୍ତୋଷ ଜାହିର କରିଥିବା ବେଳେ ଆଉ କିଛି ଚୁପ ରହିଛନ୍ତି। ତେବେ ବଦରପୁର ବିଧାୟକ ନାରାୟଣ ଦତ୍ତ ଶର୍ମା ଦଳରୁ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି। ସେହିପରି ସିଲମପୁର ବିଧାୟକ ଇଶାରକ ଖାନଙ୍କୁ ମଧ୍ୟ ଟିକଟ ମିଳିନଥିବା ଜଣାପଡ଼ିଛି। ଫଳରେ ଏହି ଦୁଇ ବିଧାୟକ ଦଳ ବିରୋଧରେ ଅସନ୍ତୋଷ ଜାହିର କରିଛନ୍ତି। ବୁଧବାର ସେ ମଧ୍ୟ ଦଳରୁ ଇସ୍ତଫା ପ୍ରଦାନ କରିଥିବା ଜଣାପଡ଼ିଛି।
କେବଳ ଏହି ଦୁଇ ନେତା ନୁହନ୍ତି, ବୱାନା ବିଧାୟକ ରାମଚନ୍ଦ୍ର, ମୁଣ୍ଡକା ବିଧାୟକ ସୁଖବୀର ସିଂହ ଦଲାଲ, ଦିଲ୍ଲୀ କ୍ୟାଣ୍ଟ ବିଧାୟକ ସୁରିନ୍ଦର ସିଂଙ୍କ ଟିକେଟ ମଧ୍ୟ କଟିଯାଇଛି। ତେବେ ଏହି ତିନି ଜଣ ଦଳୀୟ ଡକରା ପାଇ ବୁଧବାର ଦଳ ମୁଖିଆଙ୍କୁ ଦେଖା କରିବାକୁ ଆସିଥିବା ଜଣାପଡ଼ିଛି।
ସେପଟେ ବୁଧବାର ଶ୍ରୀ ସିଂ ଓ ଦଲାଲଙ୍କୁ ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀରେ ଦେଖିବାକୁ ମିଳିଥିଲା। ସାଂସଦ ଶ୍ରୀ ସିଂ କହିଛନ୍ତି କି, ସେମାନଙ୍କୁ ଖରାପ ଲାଗିବା ସ୍ୱାଭାବିକ କଥା। ତେବେ ଏହି ବିଧାୟକମାନଙ୍କୁ ଦଳ ରାଜି କରାଇବାକୁ ପ୍ରୟାସ ଜାରି ରଖିଛି। ଏହି ବିଧାୟକମାନଙ୍କୁ ଦଳରୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ। କାରଣ ଆପ ହେଉଛି ଏକ ପରିବାର। ଏମାନେ ସେହି ପରିବାରର ଜଣେ ଜଣେ ଅଂଶ। ଏମାନଙ୍କୁ ବିଧାୟକ ଟିକେଟ ମିଳିନାହିଁ। ମାତ୍ର ଏମାନଙ୍କୁ ଦଳ କୌଣସି ଅବହେଳା କରିବ ନାହିଁ। ଏମାନଙ୍କୁ ଦଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଦିଆଯିବ ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି।