ପଲିଟିକାଲ୍ ଭେଜିଟେବୁଲ୍
Advertisement
Article Detail0/zeeodisha/odisha604871

ପଲିଟିକାଲ୍ ଭେଜିଟେବୁଲ୍

ଆଖିରୁ ଶୁଖୁନି ଲୁହ

ସୌଜନ୍ୟ: ସୋସିଆଲ ମିଡିଆ

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର: ପ୍ରାୟ ସବୁ ପରିବାରରେ ପିଆଜ ହେଉଛି ଏକ ପରିଚିତ ନାଁ । ସମସ୍ତଙ୍କର ଅତି ଆପଣାର ବି । ହାଣ୍ଡିଶାଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ଏକ ପରିବାର ନାଁ ହେଉଛି ପିଆଜ । କିନ୍ତୁ ଏବେ ଏହାକୁ ଦେଖିଲେ ଡର ଲାଗୁଛି । ସବୁରି ଆପଣାର ଚେହେରାଟି ଏବେ ଚିହ୍ନା ଥିଲେ ବି ଅଚିହ୍ନା ଭଳି ଲାଗୁଛି । ଏହାର ମୂଲ୍ୟ ଏତେ ବଢ଼ି ଯାଇଛି ଯେ, ଏହାକୁ କିଣିବାକୁ ସାହସ ହେଉନି । ଗରିବ ପରିବାର ପାଇଁ ଏହା ଏବେ ସ୍ୱପ୍ନ ପାଲଟିଥିବାବେଳେ ମଧ୍ୟବିତ୍ତ ପରିବାର ଲୋକଙ୍କ ପାଇଁ ଏହା ବୋଝ ଉପରେ ନଳିତା ବିଡ଼ା । ଆଉ ଧନୀ ଲୋକଙ୍କ ପାଇଁ ଏହା LUXURY । ସଂସଦରୁ ସଡ଼କ, ବିଧାନସଭାରୁ ଗାନ୍ଧି ମାର୍ଗ, ସବୁଠି ଏହାକୁ ନେଇ ଚର୍ଚ୍ଚା, ଆଲୋଚନା । ତେବେ ଭାରତରେ ଏହାକୁ 'ପଲିଟିକାଲ ଭେଜିଟେବୁଲ୍' ବା ରାଜନୈତିକ ପରିବା ବୋଲି କୁହାଯାଏ । କାରଣ ପ୍ରତିବର୍ଷ ସେପ୍ଟେମ୍ୱରରୁ ନଭେମ୍ୱର ଶେଷ କିମ୍ୱା ଡିସେମ୍ୱର ମଧ୍ୟ ପର୍ଯ୍ୟନ୍ତ ଏବଂ ଏପ୍ରିଲରୁ ମେ' ପର୍ଯ୍ୟନ୍ତ ଏହାକୁ ନେଇ ରାଜନୀତି କରାଯାଇଥାଏ । ସାରା ବିଶ୍ୱରେ ଭାରତ ହେଉଛି ପିଆଜ ରପ୍ତାନୀରେ ସର୍ବବୃହତ୍ ଦେଶ । ପ୍ରତିବର୍ଷ ଭାରତ ୨ ମିଲିୟନ୍ ଟନ୍ ପିଆଜ ରପ୍ତାନୀ କରିଥାଏ । ତେବେ ପ୍ରତି ଟନର ହାରାହାରି ମୂଲ୍ୟ ୮୫୦ ଡଲାର ରହିଥାଏ ।

ତେବେ ୧୯୮୦ ମସିହାରେ ପ୍ରଥମେ ପିଆଜକୁ ନେଇ ରାଜନୀତି କରାଯାଇଥିଲା । ଏହାପରେ ୧୯୯୮ରେ ଦିଲ୍ଲୀ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ସମୟରେ ପିଆଜ ଏକ ରାଜନୈତିକ ପ୍ରସଙ୍ଗ ଥିଲା । ସେହିପରି ଚାଇନା ପରେ ପିଆଜ ଉତ୍ପାଦନରେ ଭାରତ ହେଉଛି ଦ୍ୱିତୀୟ ସର୍ବ ବୃହତ୍ ଉତ୍ପାଦନକାରୀ ଦେଶ । ଅତ୍ୟଧିକ ବର୍ଷା ଯୋଗୁ ୨୦୧୦ ମସିହାରେ ନାସିକରେ ମାର୍କେଟକୁ ପିଆଜ ପହଞ୍ଚାଇବାରେ ବିଳମ୍ୱ ହୋଇଥିଲା । ଏହାସହ ୨୦୧୦ ମସିହାରେ ଭାରତରେ ଦେଖାଦେଇଥିଲା ପିଆଜ କ୍ରାଇସିସ୍ । ସେହିପରି ୨୦୧୫ରେ ଭାରତର ଅଧିକାଂଶ ସ୍ଥାନରେ ପିଆଜ ଦର କିଲୋଗ୍ରାମ୍ ପିଛା ୮୦ ଟଙ୍କା ରହିଥିଲା । ସେହି ସମୟରେ ପାକିସ୍ତାନରେ ପିଆଜ ଦର କିଲୋ ପିଛା ୪୦ରୁ ୫୦ ଟଙ୍କା ରହିଥିବାରୁ ଭାରତ ସରକାର ପାକିସ୍ତାନ ଠାରୁ ପିଆଜ କିଣିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ପାକିସ୍ତାନରୁ ପିଆଜ କିଣା ଯାଇଥିଲା । କିନ୍ତୁ ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନ ସହ ସମସ୍ତ ବାଣିଜ୍ୟିକ କାରବାର ଉପରେ ପ୍ରତିବନ୍ଧକ ଲଗାଇ ଦେଇଛି । ଏବେ ପୁଣି ଥରେ ସାରା ଦେଶରେ ପିଆଜକୁ ନେଇ ଚଡ଼କ ମାଡ଼ି ବସିଛି । କାରଣ ପିଆଜ ଦର ବୃଦ୍ଧି ପାଇଁ କେହି ଏହାକୁ କିଣିବାକୁ ସାହସ କରୁନାହାନ୍ତି । ଫେସବୁକ୍, ଟ୍ୱିଟର୍, ଟିକଟକ୍ ଆଦି ସୋସିଆଲ ମିଡିଆରେ ଏହା ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି । ଦୁଇ ଦିନ ପୂ୍ର୍ବରୁ ଭାରତ ତୁର୍କୀରୁ ୧୧ ହଜାର ଟନ୍ ପିଆଜ ଆମଦାନୀ କରିଛି । ମେଟାଲ୍ସ ଆଣ୍ଡ ମିନେରାଲ୍ସ ଟ୍ରେଡିଙ୍ଗ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ଏନେଇ ଏକ ଚୁକ୍ତି ସ୍ୱାକ୍ଷରିତ କରିଛି । ଡିସେମ୍ୱର ଶେଷ ସୁଦ୍ଧା କିମ୍ୱା ଜାନୁଆରୀ ପ୍ରଥମ ସପ୍ତାହ ଭିତରେ ଭାରତକୁ ପିଆଜ ଆସିବ । ଏହି ସଂସ୍ଥା ପୂର୍ବରୁ ଇଜିପ୍ଟ ଠାରୁ ୬ ହଜାର ୯ ଶହ ଟନର ଡିଲ୍ କରିଥିଲା । ଏହି ଡିଲ୍ ଭାରତରେ ଆଗାମୀ ୧୦ ଦିନ ଭିତରେ ପହଞ୍ଚିବ ।

ତେବେ ଆପଣଙ୍କ ମଧ୍ୟରୁ କେତେକଙ୍କ ମୁଣ୍ଡକୁ ନିହାତି ଗୋଟିଏ ପ୍ରଶ୍ନ ଆସୁଥିବ । ପ୍ରକୃତରେ ପିଆଜର ଇତିହାସ କେଉଁଠୁ ଆରମ୍ଭ ହୁଏ ।  ଆଜକୁ ପ୍ରାୟ ୭ ହଜାର ବର୍ଷ ପୂର୍ବେ ପିଆଜର ସୃଷ୍ଟି ହୋଇଥିଲା ବୋଲି ବିଶେଷଜ୍ଞମାନେ କୁହନ୍ତି । ପୂର୍ବ ଓ ପଶ୍ଚିମ ଏସିଆରେ ଏହାର ଭୌଗୋଳିକ ଉତ୍ପତ୍ତି ହୋଇଥିବାର କୁହାଯାଏ । କିନ୍ତୁ ଇରାନ, ପଶ୍ଚିମ ଭାରତୀୟ ଉପମହାଦେଶ ଏବଂ ମଧ୍ୟ ଏସିଆରେ ଏହାର ସୃଷ୍ଟି ହୋଇଥିବା କେତେକ ବିଶେଷଜ୍ଞ କୁହନ୍ତି । ସେହିପରି କାଂସ୍ୟ ଯୁଗରେ ଖ୍ରୀଷ୍ଟପୂର୍ବ ୫୦୦୦ରେ ଏହା ଚାଇନାରେ ବ୍ୟବହୃତ ହେଉଥିବା ଇତିହାସ କୁହେ । ଜଣେ ରୋମାନ୍ ଲେଖକ 'ପ୍ଲିନି ଦି ଏଲଡର୍' ଙ୍କ କହିବାନୁସାରେ, ଚକ୍ଷୁ ରୋଗ, ନିଦ୍ରାରେ ସହାୟତା, ମୁଖ ଜନିତ ରୋଗ ଇତ୍ୟାଦିରୁ ମୁକ୍ତି ପାଇବାକୁ ରୋମାନରେ ପିଆଜକୁ ବ୍ୟବହାର କରାଯାଉଥିଲା । ସେହିପରି ପିଆଜକୁ ୟୁରୋପିଆନମାନେ ଉତ୍ତର ଆମେରିକା ନେଇ ଆସିଥିଲେ । ସେହିପରି କେତେକ ବିଶେଷଜ୍ଞ ଇରାନର ବେବିଲୋନିଆନ୍ ସଂସ୍କୃତି ଏବଂ ପଶ୍ଚିମ ପାକିସ୍ତାନରେ ପିଆଜର ଉତ୍ପତ୍ତି ହୋଇଥିବା କୁହନ୍ତି । ଇଜିପ୍ଟରେ ସାଢ଼େ ୫ ହଜାର ବର୍ଷ ପୂର୍ବେ, ଭାରତ ଓ ଚାଇନାରେ ୫ ହଜାର ବର୍ଷ ପୂର୍ବେ ଏବଂ ସୁମେରିଆରେ ସାଢ଼େ ୪ ହଜାର ବର୍ଷ ପୂର୍ବେ ପିଆଜ ସୃଷ୍ଟି ହୋଇଥିବା ଜଣାପଡ଼ିଛି ।  ଭାରତରେ ଖ୍ରୀଷ୍ଟପୂର୍ବ ଷାଠିଏ ଶତାବ୍ଦୀରେ ଚରକ ସଂହିତାରେ ପିଆଜ ବିଷୟରେ ଲେଖା ଯାଇଥିଲା । ସେଥିରେ ମଧ୍ୟ ଚକ୍ଷୁ ଚିକିତ୍ସା, ହାଡ଼ ରୋଗ ଇତ୍ୟାଦିରୁ ପିଆଜ ମୁକ୍ତି ଦେଉଥିବାର ଉଲ୍ଲେଖ ରହିଛି ।

ଭାରତର ସମୁଦାୟ ପିଆଜ ଉତ୍ସାଦନର ୪୫ ପ୍ରତିଶତ କେବଳ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ହୋଇଥାଏ । ସେହିପରି ପିଆଜ ଉତ୍ପାଦନରେ ପ୍ରଥମ ଦଶଟି ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ବିହାର, ଗୁଜରାଟ, ରାଜସ୍ଥାନ, ହରିୟାଣା, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା ଏବଂ ଉତ୍ତର ପ୍ରଦେଶ ରହିଛି । ଓଡ଼ିଶାର ସ୍ଥାନ ଏହି ତାଲିକାରେ ନାହିଁ  । ଓଡ଼ିଶାରେ ବି ପିଆଜକୁ ନେଇ କମ୍ ରାଜନୀତି ହେଉ ନାହିଁ । ସୋମବାର ଦିନ ଓଡ଼ିଶା କଂଗ୍ରେସ ପକ୍ଷରୁ ରାଜରାସ୍ତାରେ ପିଆଜ ବିକ୍ରି କରାଯାଉଥିଲା । ପିଆଜ ଦର କିଲୋପ୍ରତି ୪୦ ଟଙ୍କାରେ କଂଗ୍ରେସ ବିକ୍ରି କରୁଥିଲା । କଂଗ୍ରେସ ଭବନରୁ ଏକ ପିଆଜ ଭର୍ତ୍ତି ଟ୍ରଲିରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ପିଆଜ ଧରି ଭୁବନେଶ୍ୱର ରାଜରାସ୍ତାରେ ବିକ୍ରି କରିଥିଲେ । ଆଉ ପିଆଜ ନେବାକୁ ଖାଉଟିଙ୍କ ଖଚାଖଚ ଭିଡ ବି ଦେଖିବାକୁ ମିଳିଥିଲା । ଦୁଇ ଦିନ ଧରି ସଂସଦରେ ମଧ୍ୟ ଏହାକୁ ନେଇ ବିରୋଧୀ ହଙ୍ଗାମା କରୁଛନ୍ତି । ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ । ମୋଦି ସରକାର ବି ଏହାକୁ ନିୟନ୍ତ୍ରଣ କରିବାକୁ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି । କଥାରେ ବିଶ୍ୱାସ କରୁଥିବା ବିଜେପି ସରକାର କାମରେ ତ କରିପାରୁନି, ସେଥିପାଇଁ ପିଆଜ ଦରବୃଦ୍ଧିକୁ ବା କେମିତି ନିୟନ୍ତ୍ରଣ କରିବ ? ସାରା ଦେଶ ଏବେ ଆର୍ଥିକ ମାନ୍ଦାବସ୍ଥାର ଚାବୁକ ପ୍ରହାରରେ ଛଟପଟ ହେଉଥିବାବେଳେ ପିଆଜ ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ଆଖିରୁ ଲୁହ ଗଡ଼ାଉଛି । ତେଣୁ, ୧୯୯୮ ମସିହା ହେଉ ଅବା ୨୦୧୯, ରାଜନୈତିକ ଦଳ ଗୁଡ଼ିକ ପିଆଜକୁ ମୁଦ୍ଦା କରି ରାଜନୀତି କରୁଥିଲେ, କରୁଛନ୍ତି ଏବଂ ଆଗାମୀ ଦିନରେ ବି କରୁଥିବେ । ଆଉ ସାଧାରଣ ଲୋକ ହିଁ ସବୁବେଳେ ଅପଦସ୍ତ ବି ହେଉଥିବେ ।